ପୋଲିସ ଓ ପ୍ରଶାସନର ମନିଟରିଂରେ ହେବ ଯୁକ୍ତଦୁଇ ଥିଓରୀ ପରୀକ୍ଷା, ଏଥର କଡା ଚେକିଂ

1 min read

ଭୁବନେଶ୍ବର: ଯୁକ୍ତଦୁଇ ଥିଓରୀ ପରୀକ୍ଷା ହେବ ସ୍ବଚ୍ଛ । କପିକୁ ସମ୍ପୂର୍ଣ୍ଣ ରୋକାଯିବ । ପୋଲିସ ଓ ପ୍ରଶାସନ ମନିଟରିଂରେ ହେବ ଥିଓରି ପରୀକ୍ଷା । ଏ ନେଇ ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି । ଏହାସହ ବୈଠକରେ ସବୁ ଜିଲ୍ଲାପାଳ, ଏସପି, ଭୁବନେଶ୍ଵର କଟକ ପୋଲିସ କମିଶନର, ପରୀକ୍ଷା ପରିଚାଳନା ହବ ସୁପରଭାଇଜରଙ୍କ ସହ ଆଲୋଚନା କରି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପୋଲିସ ଓ ପ୍ରଶାସନ ଉପସ୍ଥିତିରେ ପ୍ରଶ୍ନପତ୍ର ପରୀକ୍ଷା ହବ୍ ଓ ସେଣ୍ଟରକୁ ପଠାଯିବ । ସଂପୂର୍ଣ୍ଣ ପରୀକ୍ଷା ପରିଚାଳନା ପ୍ରକ୍ରିୟାରେ ପୋଲିସର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ।

ଆସନ୍ତା ଦୁଇ ମାସ ପାଇଁ ରାଜ୍ୟ ପୋଲିସର ଦାୟିତ୍ବ ବଢିବ । ବିଧାନସଭା ସୁରକ୍ଷା, ଆଇନ ଶୃଙ୍ଖଳା, ମହଶିବରାତ୍ରୀ ପରି ପର୍ବପର୍ବାଣୀ ସହ ଯୁକ୍ତଦୁଇ ପରୀକ୍ଷା ପରିଚାଳନା ଦାୟିତ୍ବ ବି ନେବେ ରାଜ୍ୟ ପୋଲିସ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାରଙ୍କ ଅଧ୍ୟକ୍ଷତାରେ ଯୁକ୍ତଦୁଇ ପରୀକ୍ଷା ପ୍ରସ୍ତୁତି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଓ ଏସପିଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ପୋଲିସ ପ୍ରଶ୍ନପତ୍ର ନେଇ ପରୀକ୍ଷା ହବ୍ ଓ ସେଣ୍ଟରକୁ ଯିବେ, ସେହି ପୋଲିସ ହେପାଜତରେ ହିଁ ଉତ୍ତରଖାତା ମୂଲ୍ୟାୟନ କେନ୍ଦ୍ରକୁ ଆସିବ । ସମ୍ପୂର୍ଣ୍ଣ ପରୀକ୍ଷା ପରିଚାଳନା ପ୍ରକ୍ରିୟାରେ ଜିଲ୍ଲାପାଳ ଓ ଏସପିଙ୍କ ସମେତ ଜିଲ୍ଲା ପ୍ରଶାସନ ସହଯୋଗ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲା ସ୍ତରୀୟ ସ୍କ୍ବାଡ୍ ଗଠନ ସହ ପରୀକ୍ଷା ସେଣ୍ଟରରେ ଜିଲ୍ଲା ପ୍ରଶାସନର ପ୍ରତିନିଧି ଉପସ୍ଥିତ ରହି ପରୀକ୍ଷା ମନିଟରିଂ କରିବେ । ହେଡ ଅଫିସରୁ ଇଏମଏଚ ଓ ଇଏମଏଚରୁ ପରୀକ୍ଷା ସେଣ୍ଟର ଯାଏଁ ପ୍ରଶ୍ନପତ୍ର, ଉତ୍ତରଖାତା ଓ ପରୀକ୍ଷା ସାମଗ୍ରୀ ପୋଲିସ କର୍ଡନରେ ଯିବ । ଚଳିତଥର ହବ୍ ସଂଖ୍ୟା ୨୦୫କୁ ବୃଦ୍ଧି କରାଯାଇଛି । ସେଥିରୁ ୨୦୪ଟି ଯୁକ୍ତଦୁଇ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ବୟଂଶାସିତ କଲେଜ, ବିଶ୍ଵବିଦ୍ୟାଳୟରେ ହୋଇଥିବା ବେଳେ ଗୋଟିଏ ସବ୍-ଟ୍ରେଜେରିକୁ ହବ୍ ଭାବେ ଚିହ୍ନଟ କରାଯାଇଛି । ଏ ବର୍ଷ ୧୨୬୮ଟି ପରୀକ୍ଷା କେନ୍ଦ୍ର ଓ ୮ଟି ଉପକେନ୍ଦ୍ର କରାଯାଇଛି । ଯାହାକି ଏହି ୨୦୫ଟି ହବ୍ ଅଧୀନରେ ରହିବ ।

ପୂର୍ବରୁ ଥିବା ରାଜ୍ୟସ୍ତରୀୟ ଉଇଙ୍ଗ ଭାଙ୍ଗି ଜିଲ୍ଲାସ୍ତରୀୟ କରିବାକୁ ନିଷ୍ପତ୍ତି ହୋଇ ପ୍ରତି ଜିଲ୍ଲାରେ ସ୍କ୍ବାଡ ଗଠନ ହେବ । ଏହାର ସଦସ୍ୟମାନେ ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ଯାଞ୍ଚ କରିବେ । ସ୍କ୍ବାଡରେ ଜିଲ୍ଲା ବାହାର ଅଧ୍ୟାପକମାନେ ହିଁ ସଦସ୍ଯ ରହିବେ । ଜିଲ୍ଲାସ୍ତରୀୟ ସ୍କ୍ବାଡ ସହ ପରିଷଦର ଜୋନ ସ୍ତରୀୟ, ହବ୍ ଅବଜରଭର ଓ ଜିଲ୍ଲାପାଳଙ୍କ ପ୍ରତିନିଧିଙ୍କୁ ନେଇ ମଧ୍ୟ ସ୍କ୍ବାଡ ଗଠନ କରାଯିବ । ଯେଉଁମାନେ ହବ୍ ସୁପରଭାଇଜର ଦାୟିତ୍ଵରେ ରହିବେ, ସେମାନଙ୍କ ସମ୍ପର୍କୀୟ ପରୀକ୍ଷାର୍ଥୀ ହୋଇ ନଥିବା ଆବଶ୍ୟକ ।

ପରୀକ୍ଷା ହବରେ ସିସିଟିଭି ଲଗାଯିବା ସହ ଷ୍ଟ୍ରଙ୍ଗ ରୁମ୍ କରାଯାଇଛି । ପରୀକ୍ଷା ସେଣ୍ଟର ପ୍ରଶ୍ନପତ୍ରର ଷ୍ଟେଟମେଣ୍ଟ ଫେବୃଆରୀ ୧୫ ସୁଦ୍ଧା ପ୍ରଦାନ କରିବେ । ଏଥିସହ ପରୀକ୍ଷା ସେଣ୍ଟରଗୁଡ଼ିକର ଟେବୁଲ ଚେୟାର ଯାଞ୍ଚ ହେବା ସହ ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ନିରୂପଣ କରି ସିଏଚଏସଇକୁ ରିପୋର୍ଟ କରାଯିବ ।

ଚଳିତବର୍ଷ ଉଭୟ ରେଗୁଲାର ଏକ୍ସ-ରେଗୁଲାର ପାଇଁ ୩ ଲକ୍ଷ ୯୨ ହଜାର ୮୬୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୪୬ ହଜାର ପରୀକ୍ଷାର୍ଥୀ ରହିଥିବା ବେଳେ ବିଜ୍ଞାନରେ ପ୍ରାୟ ୧ ଲକ୍ଷ ୧୫ ହଜାର, ବାଣିଜ୍ୟରେ ୨୫ ହଜାର ଓ ଧନ୍ଦାମୂଳକ ବିଭାଗରେ ୫,୭୦୦ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି ।