ଏପ୍ରିଲ ୨ରୁ ଯୁକ୍ତ ଦୁଇ ଖାତାଦେଖା: ମେ ୧୫ ସୁଦ୍ଧା ବାହାରିବ ରେଜଲ୍ଟ

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ପାଇଁ ମୂଲ୍ୟାଙ୍କନ କେନ୍ଦ୍ର ସଂଖ୍ୟାରେ ବୃଦ୍ଧି । ଉଭୟ ଅନଲାଇନ ଓ ଅଫଲାଇନ ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢ଼ାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଆସନ୍ତା ଏପ୍ରିଲ ଦୁଇ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା । ଅତ୍ୟଧିକ ଖରା ଓ ମୂଲ୍ୟାଙ୍କନ କେନ୍ଦ୍ରର ଦୂରତା ଯୋଗୁଁ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବାକୁ ଆସିବା ବେଳେ ସମସ୍ୟାରେ ପଡି ପାରନ୍ତି । ଯାହାକୁ ଆଖି ଆଗରେ ରଖି ମୁଲ୍ୟାଙ୍କନ କେନ୍ଦ୍ର ବଢାଯାଇଛି । ଖାତା ଦେଖା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ହୋଇଛନ୍ତି । ଏକଜାମିନରଙ୍କ ସୁବିଧା ଦୃଷ୍ଟିରୁ ସେମାନଙ୍କୁ ନିଜ ଜିଲ୍ଲାରେ ହୋଇଥିବା ମୁଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖିବା ପାଇଁ ନିୟୋଜିତ କରାଯାଇଛି। ଏଥିସହିତ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି ସିଏଚଏସଇ । ଏଥର ମାଲ ପ୍ରାକ୍ଟିସ ବା ଏମପିରେ ବୁକ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ବଡ଼ ଆଶ୍ବସ୍ତି । କୌଣସି ଭୁଲ ନ ଥାଇ ତ୍ରୁଟିପୂର୍ଣ୍ଣ ଭାବେ ଏମପିରେ ବୁକ ହୋଇଥିଲେ ସେମାନଙ୍କ ପରୀକ୍ଷା ଫଳ ସାଧାରଣ ପରୀକ୍ଷାର୍ଥୀଙ୍କ ସହ ଏକାସାଙ୍ଗରେ ପ୍ରକାଶ ପାଇବ । କାଉନସିଲ ଦ୍ୱାରା ଗଠିତ ସ୍ୱତନ୍ତ୍ର କମିଟିର ଯାଞ୍ଚରେ ଏମପିରେ ବୁକ ହୋଇଥିବା ଛାତ୍ରଛାତ୍ରୀ ନିଜର ପକ୍ଷ ରଖିବେ।
ସେପଟେ ମୂଲ୍ୟାଙ୍କନକୁ ସ୍ୱଚ୍ଛ କରିବା ପାଇଁ ଖାତା ଦେଖା ସମୟ ମଧ୍ୟ ଧାର୍ଯ୍ୟ କରାଯାଇଛି। ୩୫, ୪୦ ଓ ୫୦ ମାର୍କ ଥିବା ବିଷୟ ଗୁଡ଼ିକ ପାଇଁ ୩୦ ଟି ଖାତା ୫ ଘଣ୍ଟାରେ ଦେଖାଯାଇପାରିବ । ସେହିପରି ୭୦ ଓ ୮୦ ମାର୍କ ଥିବା ବିଷୟ ପାଇଁ ୫ ଘଣ୍ଟାରେ ୨୦ ଟି ଖାତା ଦେଖିପାରିବେ । ସେପଟେ ଖାତା ଦେଖା କେନ୍ଦ୍ର ଗୁଡ଼ିକ ମଧ୍ୟ ପ୍ରସ୍ତୁତ ହୋଇଛଇ । ପ୍ରବଳ ଖରାକୁ ଆଖି ଆଗରେ ରଖି କେନ୍ଦ୍ରଗୁଡ଼ିକୁ ଶୀତତାପ ନିୟନ୍ତ୍ରିତ କରାଯିବା ସହ ସିସିଟିଭି ଲଗାଯାଇଛି। ଏଥିସହିତ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି। ଖାତା ଦେଖା ପ୍ରକ୍ରିୟା ସଠିକ ସମୟରେ ସାରି ମେ’ ୧୫ ତାରିଖ ସୁଦ୍ଧା କେଜଲ୍ଟ ବାହାରିବ ବୋଲି ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ। ଏଥର ରିଚେକିଂ ଓ ରିଆଡିସନ ସଂଖ୍ୟା ମଧ୍ୟ ଅଧିକ ରହିବ ନାହିଁ ବୋଲି ସିଏଚଏସଇ ଆଶା ରଖିଛି।