ଆଜିଠୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା, ଅଧଘଣ୍ଟା ଆଗରୁ ପହଞ୍ଚିବାକୁ ପରାମର୍ଶ

ଭୁବନେଶ୍ବର: ଆଜିଠୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା। କଳାରେ ସର୍ବାଧିକ ୨ ଲକ୍ଷ ୩୬ ହଜାର ୪୨୫ ଜଣ ଓ ବାଣିଜ୍ୟରେ ୨୫,୯୬୦ ଓ ଧନ୍ଦାମୂଳକରେ ୫,୭୬୫ ଜଣ ଛାତ୍ର ଛାତ୍ରୀ ଦେବେ ପରୀକ୍ଷା । ସେଥିପାଇଁ ସାରା ରାଜ୍ୟରେ ୧୧୫୦ ପରୀକ୍ଷା ସେଣ୍ଟର୍ ସହ ୨୦୨ଟି ହବ କରାଯାଇଛି। ଗତକାଲି ଠାରୁ ବିଜ୍ଞାନରେ ପରୀକ୍ଷା ଆରମ୍ଭ ହୋଇଛି । ଏଥିରେ ୧ଲକ୍ଷ ୧୬ ହଜାର ୪୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।

ପ୍ରତିଦିନ ଗୋଟିଏ ସିଟିଂ ଦିନ ୧୦ ଟା ରୁ ୧ଟା ହେଉଛି ପରୀକ୍ଷା। ପରୀକ୍ଷା ପାଇଁ ଅଧଘଣ୍ଟା ଆଗରୁ ଛାତ୍ରଛାତ୍ରୀମାନେ କେନ୍ଦ୍ରରେ ପହଞ୍ଚିବାକୁ ପରାମର୍ଶ ଦେଇଛି ଯୁକ୍ତ ଦୁଇ ପରିଷଦ । ୧୫ ମିନିଟ୍ ପୂର୍ବରୁ ହଲ୍ ପ୍ରବେଶ ସହ ୧୦ ମିନିଟ୍ ପୂର୍ବରୁ ଖାତା ମିଳିବ । ୫ ମିନିଟ୍ ପୂର୍ବରୁ ଦିଆଯିବ ପ୍ରଶ୍ନପତ୍ର । ପରୀକ୍ଷା ଲାଗି ଭିନ୍ନକ୍ଷମ ମାନଙ୍କୁ ଏକ ଘଣ୍ଟା ଅଧିକ ସମୟ ମିଳିବ ।ଉତ୍ତର ଖାତାରେ ନିଜର ରୋଲ୍ ନମ୍ବର, ରେଜିଷ୍ଟ୍ରେସନ୍ ନମ୍ବର ଠିକ୍ ଭାବରେ ଠିକ୍ ଜାଗାରେ ଲେଖିବାକୁ ପଡ଼ିବ । ପ୍ରଶ୍ନ ପତ୍ରର ସେଟ୍ କୋଡକୁ ନିର୍ଭୁଲ ଭାବରେ ଲେଖିବା ସହ ଉପସ୍ଥାନ ଖାତାରେ ନିଜର ରୋଲ୍ ନମ୍ବର ଦେଖି ଉପସ୍ଥାନ ଦେବେ । ପରୀକ୍ଷା ହଲକୁ କଳା ବଲ୍ ପେନ୍ ଏବଂ ଆଡମିଟ୍ କାର୍ଡ ବ୍ଯତୀତ ଅନ୍ଯ ଜିନିଷ ନେବା ନିଷେଧ କରାଯାଇଛି ।

ଉତ୍ତର ଖାତାର ସିରିୟଲ୍ ନମ୍ବର ଏବଂ ପୃଷ୍ଠା ସଂଖ୍ଯା ଭଲଭାବରେ ଦେଖିବାକୁ ପଡ଼ିବ । ପ୍ରଶ୍ନ ପତ୍ରରେ ପୃଷ୍ଠା ସଂଖ୍ଯା କିମ୍ବା ଛପାଜନିତ ତ୍ରୁଟି ଥିଲେ ତୁରନ୍ତ ଜଣାଇବାକୁ ପରାମର୍ଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କୁ କୌଣସି ଆଡିସନାଲ ସିଟ୍ ଦିଆଯିବ ନାହିଁ । ପ୍ରଶ୍ନ ପତ୍ରରେ ରୋଲ୍ ନମ୍ବର ଛଡା ଦାଗ ବି ଲଗାଇବାକୁ ହେବନି । ନେହେଲ ଛାତ୍ରଛାତ୍ରୀ ମାନେ ମାଲପ୍ରାକ୍ଟିସ ହେବେ । ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ଗୁରୁତ୍ୱ ଦିଆଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ଏହାର ଲାଇଭ ଷ୍ଟିମିଂର ବ୍ୟବସ୍ଥା କରାଯାଇଛି। ସୋସିଆଲ ମିଡିଆରେ ଭାଇରାଲ୍ କୌଣସି ପ୍ରଶ୍ନ ପତ୍ରକୁ ବିଶ୍ୱାସ ନ କରିବାକୁ ଉଚ ମାଧ୍ୟମ ଶିକ୍ଷା ପରିଷଦର ପକ୍ଷରୁ ପରାମର୍ଶ ଦିଆଯାଇଛି ।