ଜୁନ୍‌ରେ ଯୁକ୍ତ ୩ ଫାଇନାଲ ସେମିଷ୍ଟାର ପରୀକ୍ଷା

ଭୁବନେଶ୍ୱର: ରାଜ୍ୟର  ସମସ୍ତ ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା ଯୁକ୍ତ ୩ ମହାବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ର ୬ଷ୍ଠ ସେମିଷ୍ଟାର ଫାଇନାଲ୍‌ ପରୀକ୍ଷା ଜୁନ୍‌ ୨୦ ତାରିଖ ପରେ ଆରମ୍ଭ ହୋଇ ଜୁଲାଇ ୨୪ ତାରିଖ ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ।

ସେହିପରି ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତକୋତର ଶ୍ରେଣୀର ଚତୁର୍ଥ ସେମିଷ୍ଟାର ଫାଇନାଲ୍‌ ପରୀକ୍ଷା ଅଗଷ୍ଯ ୨୦ ତାରି ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ସେପ୍ଟେମ୍ୱର ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟଗୁଡ଼ିକର କୁଳପତିମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିବା ସମ୍ପର୍କରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଏଥିସହିତ ମେ’ ୭ ତାରିଖଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରଶାସନିକ କାର୍ଯ୍ୟ ସମ୍ପାଦକ ନିମେନ୍ତ ଏକ ତୃତୀୟାଂଶ କର୍ମଚାରୀଙ୍କୁ ନେଇ ଖୋଲାଯିବ ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡ଼ିକ ଯୁକ୍ତ ୩ ଶ୍ରେଣୀର ୬ଷ୍ଠ ସେମିଷ୍ଟାର ପରୀକ୍ଷା ନିମନ୍ତେ ପରୀକ୍ଷା ସୂଚୀ ସ୍ଥିର କରି ଛାତ୍ରଛାତ୍ରୀମାନଙ୍କୁ ଆଗୁଆ ଜଣାଇବା  ପାଇଁ କୁହାଯାଇଛି । ସେହିପରି ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଶ୍ରେଣୀର ଚତୁର୍ଥ ସେମିଷ୍ଟାର ପରୀକ୍ଷା ନିମନ୍ତେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟ ବିସ୍ତୃତ ପରୀକ୍ଷା ସୂଚୀ ପ୍ରକାଶ କରିବେ ।

ଅନୁଷ୍ଠିତ ବୈଠକରେ ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ, ଶାଶ୍ୱତ ମିଶ୍ର, ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସଙ୍କ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଲୋକସେବା ଭବନରେ ଉପସ୍ଥିତ ଥିବା ବେଳେ ଅନ୍ୟ ବିଶ୍ୱବିଦ୍ୟାଳୟମାନଙ୍କ କୁଳପତିମାନେ ଭିଡିଓ କନ୍‌ଫରେନ୍ସଂ ମାଧ୍ୟମରେ ଯୋଗଦେଇଥିଲେ ।

Leave a Reply