ପ୍ରକାଶ ପାଇଲା ଯୁକ୍ତତିନି କଟଅଫ୍ ମାର୍କ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତତିନି କଟଅଫ୍ ମାର୍କ । ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ତାଲିକା । ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୪ ହଜାର ୧୯୫ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ବିଜ୍ଞାନ ବିଭାଗରେ ପୁରୀର ଏସସିଏସ୍ କଲେଜ ଆଗରେ ରହିଥିବା ବେଳେ କଳାରେ ରହିଛି ଫକୀର ମୋହନ କଲେଜ ଏବଂ ବାଣିଜ୍ୟରେ ରେଭେନ୍ସା କଲେଜ ଆଗରେ ରହିଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସାଧାରଣ ବର୍ଗ କଳା ବିଭାଗରେ ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ କଲେଜ ଓ ବାରିପଦାର ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ କଲେଜ ପଲିଟିକାଲ ସାଇନ୍ସ ରେ ୯୧.୮୩ ପ୍ରତିଶତ କଟଅଫ୍ ମାର୍କ ରହିଛି । ସେହିପରି ଫିଜିକାଲ ସାଇନ୍ସ ବିଭାଗରେ ପୁରୀର ସାମନ୍ତ ଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ କେମେଷ୍ଟ୍ରୀ ବିଭାଗରେ ୯୪.୫୦ ପ୍ରତିଶତ କଟଅଫ୍ ମାର୍କ ରହିଥିବା ବେଳେ ଗଣିତ ବିଭାଗରେ ୯୪ ପ୍ରତିଶତ ଓ ବଟନିରେ ୯୫.୬୦ ପ୍ରତିଶତ ରହିଛି । ବାରିପଦା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟର ଜୁଲୋଜିରେ ୯୪.୮୩ କଟ୍ ଅଫ୍ ମାର୍କ ରହିଛି । ବାଣିଜ୍ୟରେ ରେଭେନ୍ସା କଲେଜ ୮୬.୮୩ ପ୍ରତିଶତ ରହିଥିବା ବେଳେ ୮୫.୮୩ ପ୍ରତିଶତ କଟ୍ ଅଫ୍ ମାର୍କ ସହ ଦ୍ଵିତୀୟରେ ରହିଛି ବିଜେବି କଲେଜ ।