କଟକ ବାଲିଯାତ୍ରା: ଆରମ୍ଭ ହେଲା ପ୍ଲଟ ନିଲାମ, ୯ ଶହରୁ ଅଧିକ ବ୍ୟବସାୟୀ ନିଲାମୀରେ ସାମିଲ

1 min read

କଟକ: ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ପ୍ଲଟ ନିଲାମ । ୯ ଶହରୁ ଅଧିକ ବ୍ୟବସାୟୀ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ପାଞ୍ଚଦିନ ଧରି ଚାଲିବ ଏହି ନିଲାମ ପ୍ରକ୍ରିୟା । ସେପଟେ ଏଥର ବାଲିଯାତ୍ରା ଅଧିକ ଆକର୍ଷଣୀୟ କରିବା ପାଇଁ କଟକ ଇନ କଟକକୁ ଦିଆଯାଉଛି ନୂଆ ରୂପ । ଖାଲି ଏତିକି ନୁହେଁ କୋଡିଏ ହଜାର ବର୍ଗଫୁଟ ଅଞ୍ଚଳରେ G-20 ସମ୍ମିଳନୀ କକ୍ଷ ଶୈଳୀରେ ମହାନଗର ନିଗମ ନିର୍ମାଣ କରିବ ପ୍ରଦର୍ଶନୀ ହଲ । ଅତ୍ୟାଧୁନିକ ଲେଜର ଶୋ’ ସହ ଡିଜିଟାଲ ସ୍କ୍ରିନରେ ରାଜ୍ୟର ଉନ୍ନତି ମୂଳକ କାର୍ଯ୍ୟ ପ୍ରଦର୍ଶିତ ହେବାର ଯୋଜନା ପ୍ରସ୍ତୁତ କରାଯାଇଛି ।

ଐତିହାସିକ କଟକ ବାଲିଯାତ୍ରା ପାଇଁ ଆଜିଠାରୁ ଆରମ୍ଭ ହୋଇଥିବା ପ୍ଲଟ ନିଲାମ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ବାରବାଟୀ ପ୍ୟାଲେସ ସମେତ ୬ଟି ସ୍ଥାନରେ ୧୦ଟି କାଉଣ୍ଟରରେ ଚାଲିଛି ନିଲାମ । ପାଖାପାଖି ୯ ଶହ ବ୍ୟବସାୟୀ ୧୬ ଶହରୁ ଅଧିକ ପ୍ଲଟ ପାଇଁ ନିଲାମ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଛନ୍ତି । ପ୍ରଥମଥର ପାଇଁ ସିଙ୍ଗଲ ବିଡ୍ ଜରିଆରେ ବ୍ୟବସାୟୀଙ୍କ ପାଇଁ ସୁବିଧା ଯୋଗାଇ ଦେଇଛି ଜିଲ୍ଲା ପ୍ରଶାସନ । ଅନେକ ବ୍ୟବସାୟୀ ସିଙ୍ଗଲ ବିଡର ଭାବେ ପ୍ଲଟ ପାଇଥିବାରୁ ଖୁସି ପ୍ରକାଶ କରିଛନ୍ତି ।

ବାଲିଯାତ୍ରାକୁ ଚଳିତବର୍ଷ ଅଧିକ ଆକର୍ଷଣୀୟ ଓ ଜାକଜମକରେ ଆୟୋଜନ କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି । ଗତବର୍ଷର ଆକର୍ଷଣ ସାଜିଥିବା ‘କଟକ ଇନ କଟକ’କୁ ଦିଆଯାଉଛି ନୂଆ ରୂପ । ଏଥର ସହର ଭିତରେ ଗ୍ରାମାଞ୍ଚଳର ସୁନ୍ଦର ପରିବେଶ ଦେଖିବାକୁ ପାଇବେ ଦର୍ଶକ । ଗାଁ ପରିବେଶ ଭଳି ଛୋଟ କୁଡ଼ିଆରୁ ଆରମ୍ଭ କରି ଗାଈ ଗୁହାଳ, ଅସ୍ଥାୟୀ ପୋଖରୀରେ ମାଛ ଓ ବତକଙ୍କ ଜଳକ୍ରୀଡ଼ା ଦେଖିବାକୁ ମିଳିବ । ପ୍ରାଥମିକ ବିଦ୍ୟାଳୟ, ପ୍ରାଣୀ ଚିକିତ୍ସାଳୟ ଓ ଗାଁ ମୁଣ୍ଡର ପିଣ୍ଡି ସ୍ଥାନ ପାଇବ କଟକ ଇନ କଟକରେ । ସେହିପରି ୨୦ ହଜାର ବର୍ଗଫୁଟ ଅଂଚଳରେ ସିଏମସି ନିର୍ମାଣ କରିବ G-20  ଶୈଳୀର ପ୍ରଦର୍ଶନୀ ପ୍ରକୋଷ୍ଠ । ଅତ୍ୟାଧୁନିକ ଲେଜର ଶୋ ଠାରୁ ଆରମ୍ଭ କରି ଡିଜିଟାଲ ସ୍କ୍ରିନ ଜରିଆରେ ରାଜ୍ୟ ବିକାଶର ପ୍ରତିଛବି ଦେଖିବେ ଲୋକେ । ଏହାଛଡା ବିଭିନ୍ନ ସ୍ଥାନରେ ପ୍ରଜ୍ଞାପନ ମେଢ ବୁଲିବା ସହ କଟକ ସହରର ଦୁଇ ପ୍ରବେଶ ପଥରେ ବଡ ତୋରଣ ନିର୍ମାଣ କରାଯିବ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ । ସେହିପରି ବାଲିଯାତ୍ରାରେ ଚାରଚାନ୍ଦ ଲଗେଇବେ ବଲିଉଡ଼ ଓ ଓଲିଉଡ଼ର ନାମୀଦାମୀ କଣ୍ଠଶିଳ୍ପୀ ।