ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା, ଦେଶଦ୍ରୋହ ଅଭିଯୋଗରେ ହାଇକୋର୍ଟରେ ଆବେଦନ

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ମତଭେଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନାଁରେ ମାମଲା । ଜଣେ ସାମଜିକ କର୍ମୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ମନ୍ତ୍ରୀ ଆଦିତ୍ୟ ଠାକରେ ଓ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ହାଇକୋର୍ଟରେ ଯାଚିକା ଦାଖଲ କରିଛନ୍ତି ।

ସାମାଜିକ କର୍ମୀଙ୍କ ପକ୍ଷରୁ ଦାଖଲ କରଯାଇଥିବା ଯାଚିକାରେ ଦାବି କରାଯାଇଛି ଯେ ତିନି ନେତାଙ୍କ ବିରୁଦ୍ଧରେ ଅରାଜକତା ଓ ସରକାରୀ କାମକୁ ରୋକିବା ପାଇଁ ଦେଶଦ୍ରୋହ ମାମଲା ଦାଏର କରାଯିବା ଉଚିତ । ଠାକରେ ପିତାପୁତ୍ର ଓ ସଞ୍ଜୟ ରାଉତ ଆୟୋଜନ କରୁଥିବା ପ୍ରେସ କନଫରେନ୍ସରେ ବି ଅଦାଲତ ରୋକ ଲଗାଇବା ଉଚିତ ବୋଲି କହିଛନ୍ତି ଯାଚିକାକର୍ତ୍ତା ।

ଏହି ତିନି ନେତା ସାର୍ବଜନିକ ସ୍ଥାନରେ ଶାନ୍ତି ଭଙ୍ଗ କରୁଛନ୍ତି । ଏହାଛଡା ଏକନାଥ ସିନ୍ଦେ ଓ ତାଙ୍କ ଗୋଷ୍ଠୀ ବିରୁଦ୍ଧରେ ତିନି ନେତାଙ୍କ ଆପତ୍ତିଜନକ ବୟାନରେ ରୋକ ଲଗାଇବା ଉଚିତ ବୋଲି ଜନହିତ ଯାଚିକାରେ ଉଲ୍ଲେଖ ହୋଇଛି । ତିନି ନେତାଙ୍କ ଧମକ ପାଇଁ ଶିବସେନାର ବିଦ୍ରୋହୀ ବିଧାୟକ ଆସାମରେ ଡେରା ପକାଇଛନ୍ତି ।

ଏମାନଙ୍କ ପ୍ରରୋଚନାରେ ଶିବସୈନିକ ମାନେ ରାଜ୍ୟରେ ହିଂସା ସୃଷ୍ଟି କରୁଥିବାବେଳେ ଅନେକ ସ୍ଥାନରେ ଦଙ୍ଗାର କାରଣ ସାଜୁଥିବା ଅଭିଯୋଗ କରିଛନ୍ତି ଆବେଦନକାରୀ ।