ଗୋଆରେ ହେବାକୁ ଥିବା ୩୪ତମ ଜାତୀୟ କ୍ରୀଡା ପାଇଁ କଟକରେ ଖେଳାଳିମାନେ କରୁଛନ୍ତି ଅଭ୍ୟାସ

କଟକ : ଗୋଆରେ ହେବାକୁ ଥିବା ୩୪ତମ ଜାତୀୟ କ୍ରୀଡା ପାଇଁ କଟକରେ ଏବେ ସ୍କଏ ମାର୍ଶାଲ ଆର୍ଟ ଖେଳର ଖେଳାଳିମାନେ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି । ପ୍ରଥମ ଥର ଲାଗି ଏହି ଖେଳ ଜାତୀୟ କ୍ରୀଡାରେ ସ୍ଥାନ ପାଇଥିବାରୁ ଖେଳାଳିମାନେ ଅଧିକ ପଦକ ଜିତିବା ନେଇ ଆଶାବାଦୀ । ରାଜ୍ୟ ସରକାର ମଧ୍ୟ ସମସ୍ତ ଖର୍ଚ୍ଚ ବହନ କରି 15 ଜଣ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଓଡିଶାର 13 ଜଣ ମହିଳା ଓ 2 ଜଣ ପୁରୁଷ ଖେଳାଳି ଏଥିରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଆଉ କ୍ରୀଡ଼ା ବିଭାଗ ସେମାନଙ୍କ ପାଇଁ 2 ମାସର ପ୍ରଶିକ୍ଷଣ ଶିବିର ଆୟୋଜନ କରିଛି ।

କୋଚ ଫିଜିଓ ସାଙ୍ଗକୁ ଖେଳାଳିଙ୍କ ସମସ୍ତ କିଟ୍, ରହିବା ପାଇଁ ହଷ୍ଟେଲ ବ୍ୟବସ୍ଥା କରାଯାଇଛି । ଏହାସହ ଖେଳାଳିଙ୍କୁ ପ୍ରତିଦିନ ଭଲ ସ୍ବାସ୍ଥ୍ୟକର ଖାଦ୍ୟ ଯୋଗାଇ ଦିଆଯାଉଛି । ପୂର୍ବବର୍ଷ  ଜାତୀୟ ସ୍କଏ ଚମ୍ପିଅନସିପରେ ଓଡିଶାର ଖେଳାଳିମାନେ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ହାସଲ କରିବା ସହ 15 ପଦକ ଜିତିଥିଲେ । ତେଣୁ ଗୋଆ ଜାତୀୟ କ୍ରୀଡ଼ାରେ ପ୍ରଥମ ସୁଯୋଗରେ ଓଡିଶା ଭଲ ସଂଖ୍ୟକ ପଦକ ଜିତିବ ବୋଲି ସଂଘ ର କର୍ମକର୍ତ୍ତା ଆଶା ରଖିଛନ୍ତି ।