ଲାଉଡସ୍ପିକର ବିବାଦ: ରାଜ ଠାକରେଙ୍କ ଧମକ, ଆଜି ଯେଉଁ ସ୍ଥାନରେ ନମାଜ ପାଠ ହେବ ସେଠାରେ ବୋଲାଯିବ ହନୁମାନ ଚାଳିଶା

ମୁମ୍ବାଇ: ଘନେଇଲା ଲାଉଡ ସ୍ପିକର ବିବାଦ । ଯେଉଁ ଯେଉଁ ସ୍ଥାନରେ ଆଜି ନମାଜ ପାଠ ହେବ ସେହି ସବୁ ସ୍ଥାନରେ ମହାରାଷ୍ଟ୍ର ନବନିର୍ମାଣ ସେନା ପକ୍ଷରୁ ହନୁମାନ ଚାଳିଶା ପାଠ ହେବ ବୋଲି ଧମକ ଦେଇଛନ୍ତି ସଂଗଠନ ନେତା ରାଜ୍ ଠାକରେ । ସେ କହିଛନ୍ତି ଲାଉଡ ସ୍ପିକର ବାଜିବା ଯୋଗୁ ଦୁର୍ବଳ ବର୍ଗର ଲୋକ, ଶିଶୁ, ଛାତ୍ରଛାତ୍ରୀ ଅସୁବିଧାରେ ପଡ଼ୁଛନ୍ତି । ରାତି ୧୦ରୁ ଭୋର ୬ଟା ପର୍ଯ୍ୟନ୍ତ ଲାଉଡସ୍ପିକର ବନ୍ଦ ଲାଗି ସୁପ୍ରିମକୋର୍ଟ ଯେଉଁ ଆଦେଶ ଦେଇଛନ୍ତି, ତାହାକୁ ପାଳନ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

ସେପଟେ ଉତ୍ତେଜକ ଭାଷଣ ଦେଇଥିବା ଅଭିଯୋଗରେ ରାଜ ଠାକରେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମସଜିଦରୁ ଲାଉଡସ୍ପିକର ହଟାଇବା ପ୍ରସଙ୍ଗରେ ଉସୁକାଇବା ଭାଷଣ ଅଭିଯୋଗରେ ମାମଲା ରୁଜୁ କରିଛି ପୋଲିସ । ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ସବୁ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି । ଔରଙ୍ଗାବାଦ ପୋଲିସ କମିଶନର ରାଜ ଠାକରେଙ୍କ ବିରୋଧରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ମହାରାଷ୍ଟ୍ର ପୋଲିସ ଡିଜି ରଜନୀଶ ସେଠ୍ କହିଛନ୍ତି ।