ପ୍ଲାଷ୍ଟିକ ଚାଉଳ, ଅଣ୍ଡା ପରେ ଏବେ ବଜାରରେ ପ୍ଲାଷ୍ଟିକ କୋବି !

Plastic Kobi

କେନ୍ଦ୍ରାପଡ଼ା: ପ୍ଲାଷ୍ଟିକ ଚାଉଳ, ଅଣ୍ଡା ପରେ ଏବେ ବଜାରରେ ପ୍ଲାଷ୍ଟିକ କୋବି ନେଇ ଅଭିଯୋଗ । କଟକ, ଭବୁନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର ପରେ ଏବେ କେନ୍ଦ୍ରାପଡ଼ାରେ ବି ନକଲି ଖାଦ୍ୟ ସାମଗ୍ରୀ କଥା ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି ।

ରାମନଗର ବଜାରରୁ ସ୍ଥାନୀୟ ବାସିନ୍ଦା ବିକ୍ରମ ନାୟକ ଏକ ବନ୍ଧା କୋବି କିଣିଥିଲେ । ଘରେ ରୋଷେଇ କରିବା ପାଇଁ କୋବିକୁ କାଟିଥିଲେ । ପରେ ସେ ଦୀର୍ଘ ୧ ଘଣ୍ଟା ଧରି କୋବିକୁ ସିଝାଇଥିଲେ ମଧ୍ୟ ତାହା ସିଝି ନଥିଲା । ଏହାପରେ ତାଙ୍କର ସନ୍ଦେହ ଆରମ୍ଭ ହୋଇଥିଲା । କୋବିକୁ ଯେତେବେଳେ ସେ ନିଜେ ପରଖିବାକୁ ଚେଷ୍ଟା କଲେ ସେତେବେଳେ ତହା ଲାଳୁଆ ହୋଇଯାଇଥିଲା । ଖାଲି ସେତିକି ନୁହେଁ ପରେ ସେ କୋବି ପତ୍ରକୁ ନିଆଁରେ ଦେଖାଇଥିଲେ । ଫଳରେ ତାହା ରବର ଇଲାଷ୍ଟିକ୍‌ ଭଳି ହୋଇଯାଇଥିଲା । କୋବିକୁ ଟାଣିଲେ ତାହା ଲମ୍ବା ହେଉଥିଲା ।

ତେବେ ଏନେଇ ଅଭିଯୋଗ ହେବା ପରେ ବଜାର କମିଟିର ସଭାପତି ମଧ୍ୟ ଏହାକୁ ସତ ମାନିଥିବା ଜଣାପଡ଼ିଛି । କିଛି ଅସାଧୁ ବ୍ୟବସାୟୀ ପରିବାକୁ ଅଧିକ ଦିନ ସତେଜ ରଖିବା ପାଇଁ ଏଭଳି ରାସାୟନିକ ପଦାର୍ଥ ମିଶ୍ରଣ କରୁଥିବାରୁ ଏଭଳି ସ୍ଥିତି ଉପୁଜିଥିବା ସେ କହିଛନ୍ତି ।

ଅନ୍ୟପଟେ ଏଭଳି ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଛି । ଏହାପରେ ପରେ, ଏପରି ପରିବା ଖାଇବା ଦ୍ୱାରା ବିଭିନ୍ନ ପ୍ରକାରର ରୋଗ ସହିତ ଦେହ କୁଣ୍ଡେଇ ହେଉଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏନେଇ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଲୋକମାନେ ଦାବି କରିଛନ୍ତି ।

Leave a Reply