ରଥଯାତ୍ରା ସମୟରେ ସଂଗ୍ରହ ପ୍ଲାଷ୍ଟିକ ବୋତଲରେ ତିଆରି ହେବ କପଡ଼ା

ପୁରୀ: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ । ଆଉ ଭକ୍ତମାନେ ଏହି ସମୟରେ ପାଣି ପିଇବାକୁ ବ୍ୟବହାର କରିଥିଲେ ଲକ୍ଷ ଲକ୍ଷ ପ୍ଲାଷ୍ଟିକ ବୋତଲ । ଯାହା ପରିବେଶ ପାଇଁ ଚିନ୍ତାର କାରଣ ପାଲଟିଥିଲା । ତେବେ ଏହାର ଏକ ଭଲ ସଲ୍ୟୁସନ ବାହାରି ସାରିଛି । ରଥଯାତ୍ରା ସମୟରେ ସଂଗ୍ରହ କରାଯାଇଥିବା ପାଣି ବୋତଲର ହେବ ରିସାଇକେଲିଂ । ଆଉ ଏଥିରୁ ପୁଣି ବୋତଲ ତିଆରି କରାଯିବା ସହ କପଡ଼ା ମଧ୍ୟ ପ୍ରସ୍ତୁତ ହେବ ।

ଏନେଇ ରଥଯାତ୍ରାରେ ପ୍ରଥମ ଥର ପାଇଁ ପ୍ଳାଷ୍ଟିକ ବୋତଲକୁ ସଂଗ୍ରହ କରିଛି ଜିଲ୍ଲା ପ୍ରଶାସନ । ରଥଯାତ୍ରାଠାରୁ ଆଜି ପର୍ଯ୍ୟନ୍ତ ମୋଟ ୧୬ ଟନ୍ ଖାଲି ପାଣି ବୋତଲ ସଂଗ୍ରହ ହୋଇଛି । ହିନ୍ଦୁସ୍ତାନ କୋକାକୋଲା ବେଭେରେଜ୍ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବରେ ଏହି ବୋତଲ ସଂଗ୍ରହ କରି ପୁନଃ ପ୍ରକ୍ରିୟାକରଣ କରିବେ । ପ୍ରାଥମିକ ଭାବରେ ସଂଗ୍ରହ ହୋଇଥିବା କିଛି ବୋତଲରୁ କମ୍ପାନୀ କିଛି ନେହରୁ ଜ୍ଯାକେଟ ପ୍ରସ୍ତୁତ କରିଛି । ଏହି ଜ୍ଯାକେଟକୁ ଆଜି ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ହିନ୍ଦୁସ୍ଥାନ ବେଭେରେଜର ଅଧିକାରୀ ।

ପରିବେଶ ସୁରକ୍ଷା ସହ ଆର୍ଥିକ ଅଭିବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନ ଏଭଳି ଉଦ୍ୟମ କରିଛି । ଏହି ବୋତଲଗୁଡିକର ପୁନଃ ପ୍ରକ୍ରିୟାକରଣ ସମୟରେ ବୋତଲ କିମ୍ବା କପଡା ଉପରେ ରଥଯାତ୍ରାରୁ ମିଳିଥିବା ପାଣି ବୋତଲର ରିସାଇକେଲିଂ ବୋଲି ଲେଖାଯିବ ।