ରାବଣଙ୍କ ପୁଷ୍ପକ ବିମାନର ସତ ଖୋଜିବ ଶ୍ରୀଲଙ୍କା, ଭାରତର ସହଯୋଗ ଲୋଡ଼ିଲା

କଲୋମ୍ୱ: ରାବଣଙ୍କ ବିମାନ ଲାଗି ଆରମ୍ଭ ହେଲା ଗବେଷଣା । ରାବଣଙ୍କ ବିମାନ ସତରେ ଥିଲା କି ନାହିଁ, ବର୍ଣ୍ଣିତ ବିମାନବନ୍ଦର ସତ ନା ମିଥ୍ୟା ଏହା ଜାଣିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି ଶ୍ରୀଲଙ୍କା ସରକାର । ରାବଣଙ୍କ ପୁଷ୍ପକ ବିମାନ ନେଇ ବହୁ ପୁରାଣ, ଶାସ୍ତ୍ର, ପୁସ୍ତକରେ ଲିପିବଦ୍ଧ ରହିଥିବାବେଳେ ଏହାର ବୈଜ୍ଞାନିକ ପ୍ରମାଣ ଯୋଗାଡ କରିବା ଲାଗି ପଦକ୍ଷେପ ନିଆଯାଇଛି । ଉକ୍ତ ପ୍ରକଳ୍ପରେ ସହଯୋଗ କରିବା ଲାଗି ମଧ୍ୟ ଭାରତକୁ ଅନୁରୋଧ କରାଯାଇଛି । ଏହି ତଥ୍ୟ ସମ୍ପର୍କରେ ଅଧିକ ଗବେଷଣା ଲାଗି ଦୁଇ ବର୍ଷ ତଳେ କଲମ୍ବୋରେ ବେସାମରିକ ବିମାନ ବିଶେଷଜ୍ଞ, ପ୍ରତ୍ନତତ୍ତ୍ବବିତ୍, ଭୂତତ୍ତ୍ବବିତ ଓ ଐତିହାସିକମାନଙ୍କ ଏକ ବୈଠକ ବସିଥିଲା ।

ବୈଠକରେ ଏହା ବି ପ୍ରମାଣସିଦ୍ଧ ହୋଇଥିଲା ଯେ ରାବଣ ପ୍ରଥମେ ତାଙ୍କ ବିମାନରେ ଶ୍ରୀଲଙ୍କାରୁ ଭାରତ ଆସିଥିଲେ ଏବଂ ପରେ ଫେରିଯାଇଥିଲେ । ବୈଠକ ପରେ ଏହି ଗବେଷଣା ପ୍ରକଳ୍ପ ଲାଗି ସରକାର ୫୦ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିଲେ । ତେବେ କୋଭିଡ ଯୋଗୁ ଏହି ଗବେଷଣା ବନ୍ଦ ଥିଲା । ଏବେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଶ୍ରୀଲଙ୍କା ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ପୂର୍ବତନ ଉପାଧ୍ୟକ୍ଷ ଶଶୀ ଦାନୁତୁଙ୍ଗେ କହିଛନ୍ତି ଗବେଷଣା ପରେ ସତ ପଦାକୁ ଆସିବ ।

ପ୍ରଖ୍ୟାତ ଗବେଷକ ସୁନୀଳ ଜୟବର୍ଦ୍ଧନେ କହିଛନ୍ତି ମୌର୍ଯ୍ୟାଙ୍ଗ ରାଜତ୍ବ କାଳରେ ଅର୍ଥାତ ରାବଣଙ୍କ ସମୟରେ ବିମାନ ଥିଲା ଏବଂ ବିମାନ ବନ୍ଦର ମଧ୍ୟ ଥିଲା । ଏପରିକି ଗ୍ଲାଇଡର ମଧ୍ୟ ସେମାନଙ୍କ ନିକଟରେ ଥିଲା । ବର୍ତ୍ତମାନ ବି ଶ୍ରୀଲଙ୍ଗାରେ ଥୋଟୁପୋଲାକନ୍ଧା, ଉଷାନଗୋଡା, ଓ୍ବେରାଙ୍ଗଥୋଟା, ରୁମାସାଲା ଓ ଲେକଗାଲା ନାମକ ଜାଗା ରହିଛି ଯେଉଁଠାରେ ବିମାନ ଅବତରଣ ଲାଗି ବ୍ୟବସ୍ଥା ଥିଲା ବୋଲି ସେ କହିଛନ୍ତି । ଶ୍ରୀଲଙ୍କା ସରକାର ରାବଣଙ୍କ ନାମରେ ଏକ ଉପଗ୍ରହ ବି ମହାକାଶକୁ ପଠାଇଛନ୍ତି ।

ଏଥିସହିତ ପଢ଼ନ୍ତୁ:ବାୟୁ ପ୍ରଦୂଷଣରେ ଏକ ବର୍ଷରେ ୩ ଲକ୍ଷ ଲୋକଙ୍କ ମୃତ୍ୟୁ: ୟୁରୋପ ପର୍ଯ୍ୟାବରଣ ଏଜେନ୍ସି

 

Leave a Reply