ଘର ଉପରେ ପଡିଲା ବିମାନ, ଦୁଇ ମୃତ

କାର୍ଲିଫର୍ଣ୍ଣିଆ: ଆମେରିକାର କାର୍ଲିଫର୍ଣ୍ଣିଆରେ ସୋମବାର ଦିନ ଏକ କ୍ଷୁଦ୍ର ବିମାନ ଜନବସତି ଅଂଚଳରେ କ୍ରାସ୍ କରିଛି । ବିମାନ ଦୁଇଟି ଘର ଉପରେ ପଡିଥିଲା । ଘର ଉପରେ ପଡିବା ପରେ ବିମାନରେ ବିସ୍ଫୋରଣ ହୋଇଥିଲା । ଏକ ଡେଲିଭରି ଭ୍ୟାନ୍ ସମେତ ଅନେକ ଗାଡି ବିମାନ ତଳେ ଫସିଥିଲେ । ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ୩ରୁ ୪ ଜଣ ଆହତ ହୋଇଛନ୍ତି । ୧୦ ଘର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି ।

ପ୍ଲେନ୍ କ୍ରାସ ପରେ ସାମ୍ନାକୁ ଆସିଥିବା ଭିଡିଓରେ ଘରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ ବିମାନ କ୍ରାସ କରିବା ପରେ ବିସ୍ଫୋରଣ ହୋଇଥିଲା। ଜୋରଦାର ବିସ୍ଫୋରଣ ଶବ୍ଦ ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳକୁ ଯାଇଥିଲେ । ସେଠାରୁ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଜଣେ ମହିଳାଙ୍କ ଅନୁସାରେ ଏକ ଡେଲିଭରି ଭ୍ୟାନ୍ ବିସ୍ଫୋରଣ କାରଣରୁ ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିଲା । ଏଥିରେ ଥିବା ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ବିମାନଟି ସୋମବାର ପାଖାପାଖି ଦି’ପହର ବେଳେ କାର୍ଲିଫୋର୍ଣ୍ଣିଆର ସେଣ୍ଟି ସହରରେ କ୍ରାସ୍ କରିଥିଲା । ଏହା ଦୁଇ ଇଂଜିନ ବିଶିଷ୍ଟ ୬ ସିଟର ବିମାନ ଥିଲା । ପାଖାପାଖି ୧୧ ଟା ବେଳେ ବିମାନଟି ଉଡିଥିଲା । ଏରିଜୋନାରୁ ଉଡ଼ାଣ ଭରିଥିବା ବିମାନ ବୈଷୟିକ ତୃଟି କାରଣରୁ କ୍ରାସ କରିଥିଲା ବୋଲି କୁହାଯାଉଛି । ବିମାନ କ୍ରାସ କରିଥିବା ସ୍ଥାନ ପାଖରେ ହାଇସ୍କୁଲ ଥିଲା । ତେବେ ସୌଭାଗ୍ୟବଶତଃ ବିମାନ ହାଇସ୍କୁଲଠାରୁ ଦୁରରେ କ୍ରାସ ହୋଇଥିଲା ।

Leave a Reply