୭ ବର୍ଷରେ ୮୧୩ ଦୁର୍ଘଟଣା, ୧୪୭୩ ମୃତ୍ୟୁ : ଡରାଉଛି ବିମାନ ଦୁର୍ଘଟଣାର ଭୟଙ୍କର ଇତିହାସ
ନନ୍ଦିଘୋଷ ବ୍ୟୁରୋ : ନିକଟରେ ଦକ୍ଷିଣ କୋରିଆ ଏବଂ ଅଜରବୌଜାନର ବିମାନ ଦୁର୍ଘଟଣା ସଭିଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି । କେବେ ପକ୍ଷୀଙ୍କ ସହ ଧକ୍କା, କେବେ ଯାନ୍ତ୍ରିକ ତ୍ରୁଟି ତ କେବେ ଖରାପ ପାଗ ଯୋଗୁଁ ବିମାନ ଦୁର୍ଘଟଣା ହୋଇ ଆସୁଛି । ବିମାନ ଦୁର୍ଘଟଣା ଉପରେ ନଜର ରଖୁଥିବା ସଂସ୍ଥା ଏବିଏସନ୍ ସେପ୍ଟିର ରିପୋର୍ଟ ମୁତାବକ ୨୦୨୩ରେ ପୂରା ଦୁନିଆରେ ୧୦୯ଟି ବିମାନ ଦୁର୍ଘଟଣା ଘଟିଥିଲା । ଗତ ବର୍ଷ ସବୁଠୁ ଅଧିକା ଆମେରିକାରେ ୩୪ଟି ବିମାନ କ୍ରାସ୍ ହୋଇଥିଲା ।
ରିପୋର୍ଟ ଅନୁଯାୟୀ, ୨୦୧୭ରୁ ୨୦୨୩ ମଧ୍ୟରେ ଦୁନିଆରେ ୮୧୩ଟି ପ୍ଲେନ୍ କ୍ରାସ୍ ହୋଇସାରିଛି । ଏହି ଦୁର୍ଘଟଣାରେ ୧,୪୭୩ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଅଧିକାଂଶ ବିମାନ ଦୁର୍ଘଟଣା ଲ୍ୟାଣ୍ଡିଂ ସମୟରେ ଘଟିଥାଏ । ଏହି ୭ ବର୍ଷ ମଧ୍ୟରେ ଲ୍ୟାଣ୍ଡିଂ ସମୟରେ ୨୬୧ଟି ଦୁର୍ଘଟଣା ଘଟିଛି । ଏହା ଛଡା ୨୧୨ଟି ଦୁର୍ଘଟଣା ଉଡାଣ ସମୟରେ ହୋଇଛି । ଏହା ସମୟ ମଧ୍ୟରେ ଭାରତରେ ମୋଟି ୧୪ଟି ବିମାନ ଦୁର୍ଘଟଣା ହୋଇଛି ।
ରିସର୍ଚ୍ଚ ଅନୁଯାୟୀ, ସବୁଠାରୁ ଅଧିକ ବିମାନ ଦୁର୍ଘଟଣା ଟେକ୍ ଅଫ୍ ଏବଂ ଲ୍ୟାଣ୍ଡିଂ ସମୟରେ ହୁଏ ବୋଲି କୁହାଯାଇଛି । ଗତବର୍ଷ ୧୦୯ଟି ବିମାନ ଦୁର୍ଘଟଣା ମଧ୍ୟରୁ ୩୭ଟି ଟେକ୍ ଅଫ୍ ସମୟରେ ଏବଂ ୩୦ଟି ଲ୍ୟାଣ୍ଡିଂ ସମୟରେ କ୍ରାସ୍ ହୋଇଛି । ରିପୋର୍ଟ ମୁତାବିକ୍ ପରିସଂଖ୍ୟାନ ଦେଖାଯାଏ ତେବେ ଗତ ୭ ବର୍ଷ ମଧ୍ୟରେ ପ୍ରତିବର୍ଷ ହାରାହାରି ୨୦୦ ବିମାନ ଦୁର୍ଘଟଣା ଘଟୁଛି । ଏହି ଦୁର୍ଘଟଣାରେ ଶହ ଶହ ଲୋକଙ୍କ ପ୍ରାଣ ହରାଉଛନ୍ତି । କିନ୍ତୁ ତଥାପି ପ୍ରତିବର୍ଷ ଦୁନିଆରେ ଏତେ ବିମାନ ଦୁର୍ଘଟଣା ହେଉଥିବା ସତ୍ତ୍ୱେ ବିମାନ ଯାତ୍ରାକୁ ସବୁଠୁ ସୁରକ୍ଷିତ ବୋଲି ବିବେଚନା କରାଯାଏ ।