ରାଉରକେଲା : ଭୁବନେଶ୍ଵରରୁ ରାଉରକେଲା ଅଭିମୁଖେ ଉଡାଣ ଭରିଥିଲା ବିମାନ VT-KSS-17-102। ନିର୍ଦ୍ଧାରିତ ସମୟ ୧୨ଟା ୨୭ ମିନିଟରେ ଭୁବନେଶ୍ଵରରୁ ୪ ଯାତ୍ରୀଙ୍କୁ ନେଇ ରାଉରକେଲା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଇଣ୍ଡିଆ-ୱାଲ ଏୟାର ବିମାନ। ରାଉରକେଲା ପହଞ୍ଚିବାକୁ ଥିଲା ଆଉ ମାତ୍ର ୧୦ କିଲୋମିଟର। ହଠାତ ମଝି ଆକାଶରେ ବିମାନର ଇଂଜିନରେ ଦେଖାଦେଇଥିଲା ତ୍ରୁଟି। ବିମାନ ଉପରେ ନିୟନ୍ତ୍ରଣ ହରାଇବାକୁ ବସିଲେ ପାଇଲଟ। ଶେଷରେ ବିମାନର କରିଥିଲେ ଫୋର୍ସ ଲ୍ଯାଣ୍ଡିଂ। ସୁନ୍ଦରଗଡ଼ ଜଳଦା ଗୁଡ଼ିଆଟେଲି ନିକଟରେ ଥିବା ଏକ ଖୋଲା ପଡ଼ିଆରେ ବିମାନର କରିଥିଲେ ଜରୁରୀ ଅବତରଣ। ଲ୍ଯାଣ୍ଡିଂ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନ। ଦୁର୍ଘଟଣାଗ୍ରସ୍ତ ବିମାନକୁ ଦେଖି ପାଖକୁ ଦୌଡି ଆସିଥିଲେ ସ୍ଥାନୀୟ ଲୋକେ। ବିମାନରେ ନିଆଁ ଲାଗିବାର ଭୟ ଥିଲେ ମଧ୍ୟ ତୁରନ୍ତ ବିମାନ ଭିତରେ ଫସିଥିବା ପାଇଲଟ ଓ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ୨ ପାଇଲଟଙ୍କ ସମେତ ୪ ଯାତ୍ରୀଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତେ ବିପଦମୁକ୍ତ ଥିବା ଜଣାପଡିଛି। ଦୁର୍ଘଟଣାସ୍ଥଳରେ ଏସପି, ବିଡିଓ ଓ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ଅଗ୍ନିଶମବାହିନୀ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି।…
ବିମାନରେ ଦୁଇ ପାଇଲଟଙ୍କ ସହ ଥିଲେ ୨ ପୁରୁଷ ଓ ୨ ମହିଳା ଯାତ୍ରୀ। ଆଉ ମାତ୍ର କିଛି ମିନିଟ ମଧ୍ୟରେ ରାଉରକେଲାରେ ପହଞ୍ଚିଥାନ୍ତେ। ହେଲେ ବିମାନରେ ତ୍ରୁଟିରୁ ଅଧାରେ ଅଟକି ଯାଇଥିଲା ଯାତ୍ରା। ବିମାନ ଦୁର୍ଘଟଣାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ବିମାନ ଯାତ୍ରା ପୂର୍ବରୁ ସୁରକ୍ଷା ଯାଞ୍ଚ କରିବାର ଆବଶ୍ୟକ ଥିଲା ବୋଲି କହିଛନ୍ତି ଲୋକେ। ପୂର୍ବରୁ ରାଉରକେଲାରୁ ଭୁବନେଶ୍ବର ମଧ୍ୟରେ ୭୨ ସିଟ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ କରୁଥିଲା। ହେଲେ ଏହାକୁ ବନ୍ଦ କରାଯାଇ ଏବେ ୯ ସିଟ ବିଶିଷ୍ଟ ଇଣ୍ଡିଆ ଓ୍ଵାନ ଏୟାର ଚଳାଚଳ କରୁଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ଡିଜିସିଏ। ସେପଟେ ମାମଲାର ତଦନ୍ତ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ବିମାନରେ ଯାନ୍ତ୍ରିକ ତ୍ରୁଟି ରହିଥିଲେ ମଧ୍ୟ କିପରି ବିମାନ ଭୁବନେଶ୍ବର ରୁ ରାଉରକେଲା ଉଡାଣ ଭରିଲା ଏହାର ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।

