ପ୍ଲେନ୍ କ୍ରାସରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର କେବେ ପାଇବେ ସେମାନଙ୍କ ଆତ୍ମୀୟଙ୍କ ଦଗ୍ଧ ମୃତଶରୀର ?
1 min read
ନନ୍ଦିଘୋଷ ବ୍ୟୁରୋ : ଅହମ୍ମଦାବାଦ ପ୍ଲେନ୍ କ୍ରାସରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର କେବେ ପାଇବେ ସେମାନଙ୍କ ଆତ୍ମୀୟଙ୍କ ଦଗ୍ଧ ମୃତଶରୀର ? କେବେସୁଦ୍ଧା ଚିହ୍ନଟ କରି ଗୁଜୁରାଟ ସରକାର ଆତ୍ମୀୟଙ୍କ ଅବଶେଷ ହସ୍ତାନ୍ତର କରିବେ? ଏ ନେଇ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପରିବାର ସଦସ୍ୟଙ୍କ ଡିଏନ୍ଏ ନମୁନା ସଂଗ୍ରହ । ଏ ପର୍ଯ୍ୟନ୍ତ ପ୍ରାୟ ୨୦୦ରୁ ଅଧିକ ନମୁନା ସଂଗ୍ରହ ସରିଥିବା ଜଣାପଡ଼ିଛି । AI-171 ଏୟାର ଇଣ୍ଡିଆ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣ ପ୍ରାଣ ହରାଇଛନ୍ତି । ପ୍ରାଣ ହରାଇଥିବା ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମୃତଦେହ ସମ୍ପୂର୍ଣ୍ଣ ଜଳି ପୋଡ଼ି ଯାଇଥିବାରୁ ଚିହ୍ନଟ କରିହେଉନି । ଏଭଳି ସ୍ଥିତିରେ ଡିଏନ୍ଏ ପ୍ରୋଫାଇଲିଂ କରିବା ଗୁଜୁରାଟ ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ପାଲଟିଛି । ବିମାନଟି କ୍ରାସ ହେବା ପରେ ବିମାନରେ ଥିବା ଅତି ଦହନଶୀଳ ଇନ୍ଧନ ଏଟିଏଫ୍ ପ୍ରଭାବରେ ନିଆଁର ତାତି ଏତେ ଥିଲା ଯେ, କେତେକ ମୃତ ବ୍ୟକ୍ତିଙ୍କ ହାଡ଼ ଓ ଦାନ୍ତ ବି ଜଳିଯାଇଛି । ଏଭଳି କ୍ଷେତ୍ରରେ ସେସବୁ ଦଗ୍ଧ ଶରୀରର ହାଡ଼ରେ ଡିଏନ୍ଏ ନମୁନା ସବୁଠି ମିଳିବା ମଧ୍ୟ କଷ୍ଟକର ବ୍ୟାପାର । ନିୟମାନୁଯାୟୀ ଜଣଙ୍କର ଡିଏନ୍ଏ ପ୍ରୋଫାଇଲିଂ ସହିତ ପରିବାର ସଦସ୍ୟଙ୍କ ନମୁନା ସହ ମେଳ କରିବା ପାଇଁ ୭୨ ଘଣ୍ଟା ସମୟ ଲାଗିଥାଏ । ଏଭଳି କ୍ଷେତ୍ରରେ ଶତାଧିକ ମୃତକଙ୍କ ପାଇଁ ଏକସପ୍ତାହ କିମ୍ବା ଅଧିକ ଦିନ ଲାଗିପାରେ । ତେବେ ଏହାକୁ ଯଥାଶୀଘ୍ର କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ମୃତକଙ୍କ ଡିଏନ୍ଏ ସହିତ ପରିବାର ସଦସ୍ୟଙ୍କ ଡିଏନ୍ଏ ମେଳ ଗୁଜୁରାଟ ରାଜ୍ୟ ଫରେନ୍ସିକ ଲାବୋରେଟରୀ ଓ ଗାନ୍ଧୀନଗରରେ ଥିବା ଜାତୀୟ ଫରେନ୍ସିକ ସାଇନସ୍ ବିଶ୍ବବିଦ୍ୟାଳୟର ବୈଷୟିକ ଟିମ୍ ଲାଗିପଡ଼ିଛନ୍ତି ।