୧୦୦ ବର୍ଷର ଓଡ଼ିଶା ପାଇଁ ପ୍ଲାନ୍
ଭୁବନେଶ୍ବର: ୨୦୩୬ରେ ଓଡ଼ିଶାକୁ ୧୦୦ ବର୍ଷ ପୂରିବ। ୧୦୦ବର୍ଷରେ ରାଜ୍ୟରେ ସାମାଜିକ ସ୍ଥିତିର ଆକଳନ ନେଇ ଆଲୋଚନା ଆରମ୍ଭ ହୋଇଛି । ୨୦୩୬ ବେଳକୁ ରାଜ୍ୟର ଜନସଂଖ୍ୟା ୫କୋଟି ଛୁଇଁବ । ଏବେ ଜନସଂଖାର ୧୨ ପ୍ରତିଶତ ବୟସ୍କ ଥିବା ବେଳେ ୨୦୩୬ ବେଳକୁ ଏହା ବଢି ୧୭ ପ୍ରତିଶତରେ ପହଞ୍ଚିବ। ପୁରୁଷଙ୍କ ହାରରେ ମହିଳାଙ୍କ ଅନୁପାତ ବି ବଢିବ । ୧୦୦ବର୍ଷର ଓଡ଼ିଶାରେ ଶିକ୍ଷା, ସ୍ବାସ୍ଥ୍ୟ ସହ ସାମାଜିକ, ଅର୍ଥନୈତିକ ସ୍ଥିତି କେମିତି ରହିବ, ଏଥିପାଇଁ ଆମକୁ କିପରି ପ୍ରସ୍ତୁତ ରହିବାକୁ ହେବ, ସେନେଇ ଆଲୋଚନା ହେଉଛି। ସୁସ୍ଥ ରହିବାକୁ ହେଲେ ଆଜିକାଲିର ଫାଷ୍ଟଫୁଡ୍ ଛାଡ଼ି ମାଣ୍ଡିଆ ଭଳି ପୁରୁଣା ଖାଦ୍ୟକୁ ଆଦରିବାକୁ ହେବ। ବୟସ୍କଙ୍କ ଯତ୍ନ ନେବାକୁ ପ୍ରସ୍ତୁତ ରହିବାକୁ ହେବ।
ଗାଁ ଗାଁରେ ମିଳୁଛି ମୋମୋ। ଗଳିକନ୍ଦିରେ ପିଜା,ବର୍ଗର। ୨୦୩୬ରେ ସୁସ୍ଥ ରହିବାକୁ ହେଲେ ଅଲଟ୍ରା ପ୍ରସେସଡ୍ ଫୁଡ୍ ଛାଡ଼ି ପୁରୁଣା ଦେଶୀ ଖାଦ୍ୟ ଖାଇବା ଜରୁରୀ। ମାଣ୍ଡିଆ ଏହାର ଶ୍ରେଷ୍ଠ ଉଦାହରଣ। ଶହେ ବର୍ଷର ଓଡ଼ିଶାରେ ଆସିବାକୁ ଥିବା ପରିବର୍ତ୍ତନର ମୁକାବିଲା ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଫାଷ୍ଟଫୁଡର ବ୍ୟାପକ ବ୍ୟବହାର ଯୋଗୁଁ ଡାଇବେଟିସ୍, କିଡନୀ, ବ୍ଲଡ୍ ପ୍ରେସର ଭଳି ରୋଗୀ ବଢିଚାଲିଛି। ସାଇଲେଣ୍ଟ କିଲର ଭାବେ ଜୀବନ ନେଉଛି ଫାଷ୍ଟଫୁଡ୍। ଏହାର ବିକଳ୍ପ ଭାବେ ପୁରୁଣା ଅଭ୍ୟାସ ଆପଣାଇବା ଉପରେ ଗୁରୁତ୍ବ ଦେଇଛନ୍ତି ଖାଦ୍ୟ ନିରାପତ୍ତା ବିଶେଷଜ୍ଞ। ଏଥିପାଇଁ ସରକାରୀସ୍ତରରୁ ଆରମ୍ଭ କରି ସ୍ବେଚ୍ଛାସେବୀ ସଙ୍ଗଠନ, ଗଣମାଧ୍ୟମ ଗାଁଗଣ୍ଡାରୁ ସହରାଞ୍ଚଳ ପର୍ଯ୍ୟନ୍ତ ସଚେତନତା ଉପରେ ଗୁରୁତ୍ବ ନିହାତି ଆବଶ୍ୟକ ।
୨୦୩୬ ବେଳକୁ ସାରା ଦେଶ ଭଳି ଓଡ଼ିଶାରେ ବି ଡେମୋଗ୍ରାଫିକ ପରିବର୍ତ୍ତନ ହେବ। ୧୦୦ବର୍ଷର ଓଡ଼ିଶାରେ ବୟସ୍କଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୭ ପ୍ରତିଶତ ହେବ। ଜନସଂଖ୍ୟା ୫କୋଟି ଛୁଇଁବ। ପୁରୁଷଙ୍କ ତୁଳନାରେ ମହିଳାଙ୍କ ଅନୁପାତ ବଢିବ। ଯଦିଓ ଯୁବବର୍ଗଙ୍କ ସଂଖ୍ୟା ବଢିବ, ହେଲେ ସମସ୍ତଙ୍କ ଫୋକସ ବରିଷ୍ଠ ନାଗରିକଙ୍କ ଉପରେ ରହିବ । ୨୦୩୬ ବେଳକୁ ବୟସ୍କଙ୍କ ଯତ୍ନ ନେବାକୁ ପ୍ରସ୍ତୁତି ଜରୁରୀ । ଏହା ଏକ ସାମାଜିକ ସମସ୍ୟା ସହ ଯୁବପୀଢିଙ୍କ ପାଇଁ ଏକ ସୁଯୋଗ ମଧ୍ୟ ଆଣିବ । ପ୍ରତି ୧୦ଜଣରେ ୨ ଜଣ ବରିଷ୍ଠ ନାଗରିକଙ୍କ ସେବା କରିବାକୁ ସରକାରୀ ସ୍ତରରେ, ସାମାଜିକ ସ୍ତରରେ ମାନସିକ ଭାବେ ପ୍ରସ୍ତୁତ ରହିବାକୁ ପଡ଼ିବ।
ନୀତି ଆୟୋଗ, ୟୁଏନ୍ଏଫପିଏ, ସିଓ୍ବାଇଏସଡିର ମିଳିତ ଆନୁକୂଲ୍ୟରେ ଓଡ଼ିଶା ବିକାଶ କନକ୍ଲେଭ ଜରିଆରେ ୨୦୩୬ ବେଳକୁ ଓଡ଼ିଶାର ସାମଗ୍ରୀକ ବିକାଶ ପାଇଁ ବିଭିନ୍ନ ପ୍ରସଙ୍ଗରେ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଗଣମାଧ୍ୟମ, ପ୍ରଶାସକ, ଗବେଷକ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ।