ଆସନ୍ତାକାଲିଠାରୁ ଆରମ୍ଭ ହେବ ପିତୃପକ୍ଷ

ପୁରୀ : ଭାଦ୍ରବ ମାସ ପୂର୍ଣ୍ଣିମା । ଏକମାସ ଧରି ଆରମ୍ଭ ହେଉଛି ପିତୃପକ୍ଷ । ଆଶ୍ୱିନ ମାସ ଅମାବାସ୍ୟା ଯାଏଁ ଅପରପକ୍ଷ । ୧୫ ଦିନ ଧରି ଚାଲିବ ପିତୃପକ୍ଷ । ବିଶ୍ୱାସ ରହିଛି ଏହି ସମୟରେ ସମସ୍ତ ପିତୃପୁରୁଷ ମାନେ ଶ୍ରାଦ୍ଧ, ପିଣ୍ଡଦାନକୁ ଅପେକ୍ଷା କରିଥାନ୍ତି । ତେଣୁ ଶ୍ରଦ୍ଧାର ସହ ଶ୍ରାଦ୍ଧ ଏହି ସମୟରେ ରୀତିନୀତି ଅନୁସାରେ କରାଯାଇଥାଏ । ପିତୃ ପୁରୁଷମାନେ ସେମାନଙ୍କ ବଂଶଧରମାନଙ୍କ ଦ୍ୱାରା କରାଯାଇଥିବା ତର୍ପଣ, ଶ୍ରାଦ୍ଧ ଏବଂ ପିଣ୍ଡଦାନ ଇତ୍ୟାଦିରେ ସନ୍ତୁଷ୍ଟ ହୋଇ ସେମାନେ ବଂଶ ବୃଦ୍ଧି, ସୁଖ ଏବଂ ସମୃଦ୍ଧତା ପାଇଁ ଆଶୀର୍ବାଦ କରିଥାନ୍ତି ।

ହିନ୍ଦୁ ଧର୍ମରେ ଏହାର ରହିଛି ବିଶେଷ ମହତ୍ବ । ନିୟମ ନିଷ୍ଠାର ସହ ଏହି ଅପରପକ୍ଷ ବା ପିତୃପକ୍ଷକୁ ପାଳନ କରନ୍ତି ଶ୍ରଦ୍ଧାଳୁ । ପିତୃପକ୍ଷ ସମୟରେ ଖିଅର ହେବା ସମ୍ପୂର୍ଣ୍ଣ ନିଷିଦ୍ଧ ରହିଥିବା ବେଳେ ଏହି ସମୟରେ ନଖ ମଧ୍ୟ କଟାଯିବା ବାରଣ କରାଯାଛି । ଏପରିକି ଅପର ପାଗରେ ଅର୍ଥାତ ବାହାରେ ଭୋଜନ କରିବା ସମ୍ପୂର୍ଣ ନିଷିଦ୍ଧ କରାଯାଇଛି । ସେହିପରି ତିଳ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରିବା ସମୟରେ ସମ୍ପୂର୍ଣ୍ଣ ଶୁଦ୍ଧପୂତ ଭାବେ ରହିବା କୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଶ୍ରୀକ୍ଷେତ୍ରରେ ବହୁ ପୁରାତନ ସମୟରୁ ତୀର୍ଥ ପୁଷ୍କରିଣୀରେ ଏହି ପିତୃପକ୍ଷ ସମୟରେ ଶ୍ରାଦ୍ଧ, ତର୍ପଣ ଏବଂ ପିଣ୍ଡ ଦାନ କରିବା ଶୁଭ ବୋଲି ବିବେଚନା କରାଯାଏ । ତେଣୁ ଶ୍ରଦ୍ଧାଳୁଙ୍କ ଆଗମନ ଆରମ୍ଭ ହୋଇଯାଇଛି ।