ଟମାଟୋ କିଲୋ ମାତ୍ର ୨୫ ଟଙ୍କା: ସେଠୁ କିଣି ଏଠି ୪ ଗୁଣା ଦରରେ ବିକୁଛନ୍ତି

ଡେରାଡୁନ: ଆପଣଙ୍କ ଅଞ୍ଚଳରେ ଟମାଟୋ କିଲୋ କେତେ ଅଛି ? ଶହେ ଉପରେ ନା । ସାରା ଦେଶରେ ଏବେ ଆକାଶଛୁଆଁ ବିଲାତି ଦର । କିଣିବା ତ ଦୂରର କଥା ଦାମ ପଚାରିବାକୁ ବି ଲାଗୁଛି ଡର । କି ଧନୀ କି ଗରିବ ଲୋକଙ୍କ ରୋଷେଇ ଘରୁ ଟମାଟୋ ଏକ ପ୍ରକାର ଗାଏବ ହୋଇଯାଇଛି । ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏମିତି ଏକ ସ୍ଥାନ ଅଛି, ଯେଉଁଠି ଆଜି ବି ମାତ୍ର ୨୫ ଟଙ୍କା କେଜିରେ ମିଳୁଛି ଟମାଟୋ ।

ଆଜ୍ଞା ହାଁ, ମାତ୍ର ୨୫ ଟଙ୍କାରେ ଏଠାରେ ଟମାଟୋ ମିଳୁଛି । ଯେଉଁଥି ପାଇଁ ଏଠାରୁ ଟମାଟୋ କିଣି ଚଢ଼ା ଦରରେ ବିକ୍ରି କରିବାକୁ ସ୍ଥାନୀୟ ଲୋକେ ଓ ବ୍ୟବସାୟୀଙ୍କ ମଧ୍ୟରେ ଲାଗିଛି ଧାଁ ଦୌଡ଼ । ସ୍ଥାନଟି ଉତ୍ତରାଖଣ୍ଡ ସୀମାନ୍ତ ପିଥୌରାଗଡ଼ର । ନେପାଳକୁ ଗାଁଟି ଲାଗିଛି । ଏବେ ନେପାଳରେ ଟମାଟୋ କିଲେ ମାତ୍ର ୨୫ ଟଙ୍କା ରହିଛି । ଯାହାକୁ କିଣିବାକୁ ପିଥୌରାଗଡ଼ ଓ ଆଖପାଖ ଅଞ୍ଚଳର ଲୋକେ ନେପାଳ ଦୌଡୁଛନ୍ତି ।

ସୂଚନା ଅନୁସାରେ, ପିଥୌରାଗଡ଼ ଅଞ୍ଚଳରେ ଏବେ ଶହେରୁ ୧୨୦ ଟଙ୍କା କେଜିରେ ବିଲାତି ବିକ୍ରି ହେଉଛି । ଏହି ଟମାଟୋ ମାତ୍ର ୨୫ ଟଙ୍କାରେ ସୀମାନ୍ତ ନେପାଳରେ ବିକ୍ରି ହେଉଛି । ସୀମାନ୍ତ ପିଥୌରାଗଡ଼ ଓ ଚମ୍ପାବତ ଅଞ୍ଚଳର ଲୋକେ ସେଠାରୁ ୨୫ ଟଙ୍କାରେ ଟମାଟୋ କିଣି, ଭାରତୀୟ ଅଞ୍ଚଳରେ ଶହେ ଉପରେ ବିକ୍ରି କରୁଛନ୍ତି ।

ଚଳିତବର୍ଷ ନେପାଳରେ ଭଲ ଟମାଟୋ ଅମଳ ହୋଉଛି । ମୌସୁମୀ ଆସିବା ପରେ ବି ଦର ସ୍ଥିର ରହିଛି । ହେଲେ, ଏହି ଟମାଟୋ ସୀମା ପାର କରିବା ପରେ ଦୁଇଗୁଣାରୁ ଅଧିକ ହୋଇଯାଉଛି । ଅର୍ଥାତ, ନେପାଳରୁ ୨୫ ଟଙ୍କା କେଜିରେ ଆସୁଥିବା ଟମାଟୋ ଭାରତରେ ଏଣ୍ଟ୍ରି ମାରିବା ମାତ୍ରା ୬୦ ପାର ହୋଇଯାଉଛି । ଏମିତି ଭାବେ ଏହା ଯେଉଁ ଯେଉଁ ଅଞ୍ଚଳକୁ ଯାଉଛି, ସେହି ହିସାବରେ ଦର ବୃଦ୍ଧି ପାଇ ଶହେରୁ ୧୫୦ ଟଙ୍କାରେ ପହଞ୍ଚି ଯାଉଛି । ବ୍ୟବସାୟୀ ସଂଘଙ୍କ ଅନୁସାରେ, ନେପାଳରେ ଟମାଟୋ କେଜି କମ ରହିଥିବାରୁ ସେଠୁ ଭାରତକୁ ଆମଦାନୀ କରାଯାଉଛି । ଏହି ଅଞ୍ଚଳର ଅଧିକାଂଶ ବ୍ୟବସାୟୀ ଏବେ ନେପାଳରୁ ହିଁ ଟମାଟୋ ଉଠାଉଛନ୍ତି ।