ଅସ୍ତରଙ୍ଗର ଗଙ୍ଗାଦେବୀ ଓ ପୀର ଜାହାନିଆରେ ଜମୁଛି ବଣଭୋଜିର ଆସର
ନନ୍ଦିଘୋଷ ବ୍ୟୁରୋ: ପୁରୁଣା ବର୍ଷକୁ ବିଦାୟ, ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ସବୁଠି ଆନନ୍ଦ ଓ ଉତ୍ସାହ । ଶୀତଋତୁ ପାଇ ପର୍ଯ୍ୟଟକଙ୍କ ମନରେ ଅନେକ ଉନ୍ମାଦନା । ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରି ହେନ୍ତାଳ ବଣ ସହ ଅସ୍ତରଙ୍ଗ ଗଙ୍ଗାଦେବୀ ଓ ପୀର ଜାହାନିଆ ନିକଟରେ ବଣଭୋଜିର ଆସର ଜମୁଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଅସ୍ତରଙ୍ଗ ଅଞ୍ଚଳ ଶୋଭା ଉପଭୋଗ କରିବାକୁ ପର୍ଯ୍ୟଟନ ଋତୁରେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଆସନ୍ତୁ ଦେଖିବା ସ୍ୱତନ୍ତ୍ର ରିପୋର୍ଟ ପୁରୀ ଅସ୍ତରଙ୍ଗରୁ ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ କିପରି ମଜାନେଉଛନ୍ତି ପର୍ଯ୍ୟଟକ।
ସୂର୍ଯ୍ୟ ଉଦୟ ସାଙ୍ଗକୁ ଶାନ୍ତ କାନ୍ତ ସବୁଜ ପରିବେଶରେ ପକ୍ଷୀଙ୍କ କଳରବ ସୃଷ୍ଟି କରୁଛି ସଙ୍ଗୀତର ମୁର୍ଚ୍ଛନା । ବିଦେଶ ପକ୍ଷୀଙ୍କ ଗହନରେ ଏକାଠି ହେବାର ଦୃଶ୍ୟକୁ ଦେଖିଲେ ଆଖି ଲାଖିଯାଉଛି । ଦେବୀ ନଦୀର ତ୍ରିକୋଣଭୂମିରେ କଥା କହୁଛି ପ୍ରକୃତି ରାଣୀ । ପ୍ରାକୃତିକ ସୌନ୍ଦର୍ଯ୍ୟ ରାଜିରେ ହେନ୍ତାଳ ବନ ମଧ୍ୟରେ ନଦୀରେ ବୋଟିଂର ମଜା ଉଠାଉଛନ୍ତି ପର୍ଯ୍ୟଟକ । ସମୁଦ୍ର ମୁହାଁଣର ବାଲୁକା ରାଶିରେ ଲକ୍ଷ ଲକ୍ଷ ନାଲି କଙ୍କଡ଼ାଙ୍କ ନିର୍ଭୟ ବିଚରଣ ସହିତ ବିଦେଶୀ ପକ୍ଷୀଙ୍କ ଗଗନ ଛୁଇଁବାର ମନୋରମ ଦୃଶ୍ୟକୁ ଉପଭୋଗ କରିବାକୁ ପୁରୀ ଜିଲ୍ଲାର ଅସ୍ତରଙ୍ଗରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ୨୦୨୪କୁ ବିଦାୟ ଦେବାକୁ ନିଜ ନିଜ ପରିବାର ଓ ସାଙ୍ଗସାଥୀଙ୍କ ସହିତ ପିକିନିକ ପାଇଁ ଆସିଛନ୍ତି ପର୍ଯ୍ୟଟକ । ବଣଭୋଜିରେ ସ୍ୱାଦିଷ୍ଟ ବ୍ୟଞ୍ଜନ ସହିତ ନାଚଗୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ । ପୀର ଜାହାନିଆ ପୀଠରେ ପୀରବାବାଙ୍କ ଦର୍ଶନ, ସମୁଦ୍ରରେ ସ୍ନାନ କରିବାର ମଜା ସହ ବଣ ଭୋଜିର ମଜା ନେଉଛନ୍ତି ପର୍ଯ୍ୟଟକ।
ଅସ୍ତରଙ୍ଗ ଗଙ୍ଗାଦେବୀ ନିକଟରେ ଅତ୍ୟାଧୁନିକ ସୁବିଧା, ସୁନ୍ଦର କଟେଜ ସାଙ୍ଗକୁ ଖାଦ୍ୟ ଓ ଖେଳ କୁଦର ମଜା । ପ୍ରାକୃତିକ ପରିବେଶକୁ ଅଧିକ ମନମୁଗ୍ଧ କରିଛି ପୂର୍ବ ସରକାରଙ୍କ ଦ୍ୱାରା ଗଙ୍ଗାଦେବୀ ବେଳାଭୂମି ନିକଟରେ ନିର୍ମିତ ମ୍ୟାନଗ୍ରୁଭ ରିଟ୍ରିଟ । ୧୦ଟି ଶୀତତାପ ନିୟନ୍ତ୍ରିତ କଟେଜ ସାଙ୍ଗକୁ ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ। ଏଠାକୁ ଆସି ଜୀବନକୁ ଉପଭୋଗ କରିବାର ଅନୁଭୂତି ସାଉଣ୍ଟୁଛନ୍ତି ସମସ୍ତେ । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା ସାଙ୍ଗକୁ ମନୋରଞ୍ଜନର ସମସ୍ତ ସୁବିଧା ରହିଛି । ଗଙ୍ଗାଦେବୀ ନଦୀକୂଳରେ ପ୍ରକୃତି ଓଜାଡ଼ି ଦେଇଛି ସୌନ୍ଦର୍ଯ୍ୟର ସମ୍ଭାର । ଅସ୍ତରଙ୍ଗର ଅସ୍ତଗାମୀ ସୂର୍ଯ୍ୟ ସମସ୍ତଙ୍କୁ କରୁଛି ଆନମନା ।
ଇକୋ ଟୁର ଓଡ଼ିଶା ୱେବ ସାଇଟରେ ବୁକିଂ କରି ବନ ବିଭାଗର ଏହି ମ୍ୟାନଗ୍ରୁଭ ରିଟ୍ରିଟରେ ରହି ଦେବୀ ନଦୀ ମୁହାଣ, ହେନ୍ତାଳ ବଣ ମଧ୍ୟରେ ନଦୀରେ ବୋଟିଂର ମଜା ସହ ନାଲି କଙ୍କଡା ଓ ଦେଶ ବିଦେଶର ପକ୍ଷୀମାନଙ୍କୁ ଦେଖିବାର ସୁଯୋଗ ନେଇପାରିବେ ।