ପିପିଲି ଉପନିର୍ବାଚନ ନେଇ ବୃଦ୍ଧି ପାଇଲାଣି ସକ୍ରିୟତା, କଂଗ୍ରେସ ଗଠନ କଲା କମିଟି

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କଲେଣି ବିରୋଧୀ  ।  ବାଲେଶ୍ୱର ଉପନିର୍ବାଚନରେ ନୈରାଶ୍ୟ ଜନକ ପ୍ରଦର୍ଶନ ପରେ ପିପିଲିରେ କିଭଳି ଭଲ ପ୍ରଦର୍ଶନ କରାଯିବ ସେନେଇ ବିଚାର ବିମର୍ଶ ହୋଇଛି  । ପୁରୀ ଜିଲ୍ଲା ଏବଂ ପିପିଲିର ବରିଷ୍ଠ କଂଗ୍ରେସ ନେତାଙ୍କ ସହ ପିସିସି ସଭାପତି ଆଲୋଚନା କରିବା ସହ ବ୍ଲକ ଏବଂ ଏନଏସି ସ୍ତରରେ କମିଟି ଗଠନ କରିଛନ୍ତି  । ସାତ ଦିନ ମଧ୍ୟରେ କମିଟି ରିପୋର୍ଟ ଦେବାକୁ କୁହାଯାଇଛି  । ସେହି ଆଧାରରେ ପ୍ରାର୍ଥୀ ଚୂଡାନ୍ତ କରାଯିବ  ।

ମୋଟ ଉପରେ କହିବାକୁ ଗଲେ ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ଉପ ନିର୍ବାଚନରେ ବିଫଳ ହେବା ପରେ ବିରୋଧୀ କାରଣ ଖୋଜିବାରେ ବ୍ୟସ୍ତ  । ସେହି ଦଶା ଯେମିତି ପିପିଲିରେ ନହେବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି  । ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା କଂଗ୍ରେସ ପିପିଲି ଉପନିର୍ବାଚନ ପାଇଁ ଏକ ଗୁରୁତ୍ବପୂର୍ଣ ବୈଠକ କରିବା ସହ ପୁରୀ ଜିଲ୍ଲା ଏବଂ ପିପିଲି ଅଂଚଳର ନେତା କର୍ମୀଙ୍କ ସହ ରୁଦ୍ଧଦ୍ବାର ବୈଠକ କରିଛନ୍ତି  । ପିପିଲିରେ କଂଗ୍ରେସର ସାଂଗଠନିକ ସ୍ଥିତି କଣ ଅଛି ଏବଂ କିଭଳି କଂଗ୍ରେସ ଏଠାରେ ଭଲ ପ୍ରଦର୍ଶନ କରିବ ସେ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି  । ପ୍ରାଥମିକ ପର୍ଯ୍ୟାୟରେ ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଛି  । ଗଠନ କରାଯାଇଥିବା କମିଟି ୩ ନାମ ପିସିସିକୁ ସୁପାରିଶ କରିବେ  । ଏହା ପରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ  ବୋଲି କୁହାଯାଇଛି।

ଅନ୍ୟପକ୍ଷରେ ବିଜେପି ମଧ୍ୟ ପିପିଲି ପାଇଁ ପ୍ରସ୍ତୁତି ଜୋରଦାର କରିଛି  । ବାଲେଶ୍ୱର ଓ ତିର୍ତୋଲରେ ଦଳ ଯେଉଁ ଭୂଲ କରିଛି ତାହା ଆଉଥରେ ଦୋହରାଯିବନି ବୋଲି ବିଜେପି ପକ୍ଷରୁ କୁହାଯାଇଛି  ।

Leave a Reply