ପିପିଲି : ରାସ୍ତା ପାଲଟିଛି ମରଣଯନ୍ତା। ଯାତାୟତ ପାଇଁ କଲବଲ ହେଉଛନ୍ତି ଲୋକେ।ପିପିଲି ଆନନ୍ଦ ବଜାର ଛକ ଠାରୁ ପମସରା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ମେଟାଲ ବାହାରିଯିବା ସହିତ ଅନେକ ଖାଲଖମାରେ ଭର୍ତ୍ତି ହୋଇଛି ରାସ୍ତା। ପ୍ରତିଦିନ ଏହି ରାସ୍ତା ଦେଇ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଯାତାୟାତ କରିଥାନ୍ତି। ଅସରାଏ ବର୍ଷାରେ ପୋଖରୀର ଭ୍ରମ ସୃଷ୍ଟି ହେବା ସହିତ କାଦୁଅ ପଙ୍କରେ ଭର୍ତ୍ତି ହେଉଛି । ରାସ୍ତାର ଦୂରାବସ୍ଥା ଯୋଗୁଁ ପ୍ରତ୍ୟକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟିବା ସହ ସ୍କୁଲ ପିଲାଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି ହେଉଛି। ବର୍ଷ ବର୍ଷ ବିତି ଯାଇଥିଲେ ସୁଦ୍ଧା ରାସ୍ତା ସମସ୍ୟାର ସମାଧାନ ହେଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ। ଏନେଇ ପ୍ରଶାସନ ଅବହେଳା କରୁଥିବା ଅଭିଯୋଗ ଆଣିଛନ୍ତି। ଯଥାଶୀଘ୍ର ରାସ୍ତା ମରାମତି କରାନଗଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ।

