ରବିବାର ପିପିଲି ରେଜଲ୍ଟ, ଏବେଠାରୁ ଧଡ୍ ଧଡ୍ ନେତାଙ୍କ ଛାତି…

ଭୁବନେଶ୍ୱର: କେଇଟି ଘଣ୍ଟା ପରେ ପିପିଲି ଉପନିର୍ବାଚନର ଭୋଟ୍‌ଗଣତି  । ପ୍ରକାଶ ପାଇବ ଫଳାଫଳ । ପୁରୀରେ ଭୋଟ୍‌ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅପରାହ୍ନ ସୁଦ୍ଧା ରେଜଲ୍‌ଟ ଟ୍ରେଣ୍ଡ ଆସିଯିବ ।ବିଜେପି ପରିବର୍ତ୍ତନ ନେଇ ଆଶା ବାନ୍ଧିଥିବାବେଳେ ବିଗତ ଦିନର ଫଳାଫଳ ଓ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ତଥା ଉନ୍ନୟନ କାମ ପୁଣି ଥରେ ବିଜେଡିର ବିପୁଳ ବିଜୟ ସମ୍ଭାବନାକୁ ଅଧିକ ଉଜ୍ବଳ କରିଥିବା ଦଳ ଦାବି କରିଛି । ସେପଟେ ଫଳାଫଳ ପୂର୍ବରୁ ରେସରୁ ଓହରି ସାରିଛି କଂଗ୍ରେସ  ।

ପିପିଲି ପ୍ରତୀକ୍ଷାରେ ରବିବାର ପଡ଼ିବ ପୂର୍ଣ୍ଣଚ୍ଛେଦ ।  ଭୋଟ୍‌ଗଣତି ପାଇଁ ପୁରୀ ପେଣ୍ଠକଟା ଓ୍ବେରହାଉସ୍ ଷ୍ଟ୍ରଙ୍ଗ୍‌ ରୁମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୫ ଓ ୬ ନମ୍ବର ରୁମରେ ହେବ ଇଭିଏମ ଭୋଟ୍‌ ଗଣତି । ଏଥିପାଇଁ ୧୪ଟି ଟେବୁଲ ବ୍ୟବସ୍ଥା କରାଯାଇଛି । ସେହିପରି ୭ ନମ୍ବର ରୁମରେ ପୋଷ୍ଟାଲ ବାଲଟ ଗଣତି ହେବ । ସକାଳ ୮ରୁ ସାଢେ ୮ ଯାଏ ପୋଷ୍ଟାଲ ବାଲଟ୍‌ ଓ ପରେ ଇଭିଏମ ଭୋଟ୍‌ ଗଣତି କରାଯିବ । ଏଥିପାଇଁ ୬୨ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି ।

ସେପଟେ ବଢ଼ି ଯାଇଛି ତିନି ରାଜନୈତିକ ଦଳର ଦିଲ୍ଲ୍ ଧଡ୍‌କନ । ସ୍ଥିତି ଦେଖି ଭୋଟ୍‌ ଗଣତି ପୂର୍ବରୁ ପରାଜୟ ସ୍ବୀକର କରିଛି କଂଗ୍ରେସ । ସେପଟେ ଗତ ନିର୍ବାଚନରେ ଭୋଟ ବୃଦ୍ଧି ପାଇଥିବାରୁ ବିଜେପି ପରିବର୍ତ୍ତନର ଧାରା ଅବ୍ୟାହତ ଥିବା ଦାବି କରିଛି । ଅନ୍ୟପଟେ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ପିପିଲି ସବୁବେଳେ ବିଜେଡି ଦଖଲରେ ଅଛି । ଜନତା ଦଳରୁ ବିଜୁ ଜନତା ଦଳ ଯାଏ ୭ ଥର ବିଧାୟକ ଥିଲେ ପ୍ରଦୀପ ମହାରଥୀ । ଏଥର ବିଜେଡି ପୂର୍ବ ଥରଗୁଡ଼ିକ ଅପେକ୍ଷା ଅଧିକ ଭୋଟ୍‌ ବ୍ୟବଧାନରେ ଜିତିବ ବୋଲି ବିଜେଡି ଦାବି କରିଛି ।

ଗତବର୍ଷ ଅକ୍ଟୋବର ୩ ତାରିଖରେ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ଘଟିଥିଲା  । ଏହାପରେ ମୁରବୀଶୂନ୍ୟ ହୋଇପଡିଥିଲା ପିପିଲି ଆସନ  । ସେପଟେ ଉପନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି ସରିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମଧ୍ୟ ଦେହାନ୍ତ ଘଟିଥିଲା  । ତେଣୁ ପୁନର୍ବାର ନିର୍ବାଚନ ତାରିଖ ଘୋଷଣା କରାଯାଇଥିବାବେଳେ କୋବିଡର ଭୟଭହତା କାରଣରୁ ନିର୍ବାଚନକୁ ସ୍ଥଗିତ ରଖିଥିଲେ ରାଜ୍ୟ ସରକାର  । ତେବେ ସମସ୍ତ ଘଟଣାର ପୂର୍ଣ୍ଣଛେଦ ପକାଇ ରବିବାର ରେଜଲ୍ଟ ପ୍ରକାଶ ପାଇବାକୁ ଯାଉଥିବାବେଳେ ଏବେ ଠାରୁ ନେତାଙ୍କ ଆଖିରେ ହଜିବାକୁ ବସିଲାଣି ନିଦ  । ତେବେ ଦେଖିବାକୁ ବାକି ରହିଲା କାହା ସପକ୍ଷରେ ଯାଉଛି ପିପିଲି ଜନାଦେଶ  ।

Leave a Reply