ପୁଣି ମୁଁହ ଖୋଲିଲେ ପିପିଲି ପୀଡ଼ିତା ମହିଳା RI

ପିପିଲି : ପୁଣି ମୁଁହ ଖୋଲିଲେ ପିପିଲି ପୀଡ଼ିତା ମହିଳା ଆରଆଇ ।  ନ୍ୟାୟ ଦେବା ପରିବର୍ତ୍ତେ ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ପୁଣି ଅଭିଯୋଗ । ଖୋଦ ଇଣ୍ଟରନାଲ କମିଟିରେ ଥିବା ସମାଜ ମଙ୍ଗଳ ଅଧିକାରୀ ତାଙ୍କୁ କେସ ଉଠାଇବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ଆର.ଆଇ । ସରକାରୀ ଚାକିରିରେ ଏମିତି ସବୁ ହୋଇଥାଏ । ତାକୁ ମ୍ୟାନେଜ କରିବାକୁ ପଡିବ ବୋଲି କୁହାଯାଉଥିବା ଅଭିଯୋଗ ଆଣିଛନ୍ତି ପୀଡିତା ଆରଆଇ । ସମାଜମଙ୍ଗଳ ଅଧିକାରିଣୀଙ୍କ ମାନସିକ ଚାପ ରେ ସେ ଭାରାକାନ୍ତ  ହୋଇ ଥିବା ମହିଳା ଆର ଆଇ ଜଣକ ଅଭିଯୋଗ କରିଛନ୍ତି। କେବଳ ସମାଜ ମଙ୍ଗଳ ଅଧିକାରିଣୀ ନୁହଁନ୍ତି କେସ ଉଠାଇବା ପାଇଁ ଅସମାଜିକ ବ୍ୟକ୍ତି ମଧ୍ୟ ତାଙ୍କୁ ଧମକ ଦେଉଥିବା ପୀଡିତା ଆରଆଇ କହିଛନ୍ତି । ଏଭଳି ଅଭିଯୋଗ ଆସିବା ପରେ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଥିବା ଇଣ୍ଟରନାଲ କମିଟିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏଭଳି ଘଟଣାକୁ ନେଇ ପୁଣିଥରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । ମହିଳା ଆରଆଇଙ୍କୁ ସରକାର ନ୍ୟାୟ ପ୍ରଦାନ ନକଲେ ରାଜ୍ୟବ୍ୟାପୀ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ରାଜ୍ୟରେ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ମହିଳା ନିର୍ଯ୍ୟାତିତ ହେଉଥିବା ଖବର ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମହିଳା ଆରଆଇଙ୍କୁ ଅସଦାଚରଣ ବେଳର ଭିଜୁଆଲ ସିସି ଟିଭିରେ ରହିଥିଲେ ମଧ୍ୟ ଅସଦାଚରଣ କରିଥିବା ଅତିରିକ୍ତ ତହସିଲଦାରଙ୍କୁ ଘଣ୍ଟ ଘୋଡାଇବାରେ ଲାଗିଛି ଜିଲ୍ଲା ପ୍ରଶାସନ  । ଇଣ୍ଟରନାଲ କମିଟି ନ୍ୟାୟ ତ ଦେବା ଦୂରର କଥା ମହିଳା ଆରଆଇଙ୍କୁ କେଶ ଉଠାଇବା ପାଇଁ ବାଧ୍ୟ କରିବା  ଏବଂ  ଘଟଣାରେ ଜିଲ୍ଲା ପ୍ରଶାସନ ନିରବ ରହିବା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମେ ୨୪ ତାରିଖରେ ପିପିଲି ଅତିରିକ୍ତ ତହସିଲଦାର ପ୍ରବୋଧ କୁମାର ମହାନ୍ତି ତହସିଲ କାର୍ଯ୍ୟାଳୟରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା ।  ୨୫ ତାରିଖରେ ପିପିଲି ଥାନାରେ ଅଭିଯୋଗ କରିଥିଲେ ପୀଡିତା ମହିଳା ଆରଆଇ । ଅଭିଯୋଗ ପରେ ପିପିଲି ପୋଲିସ ମାମଲା ରୁଜୁ କରି ଚୁପ ବସିଥିବା ବେଳେ ପିପିଲି ତହସିଲଦାର ଇଣ୍ଟରନାଲ କମିଟି ଗଠନ କରିଥିଲେ । ମାତ୍ର ଅତିରିକ୍ତ ତହସିଲଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ବଦଳି କରାଯାଇ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ଏପଟେ ପୀଡିତା ଆରଆଇ ନ୍ୟାୟ ପାଇଁ ଏ ଦୁଆର ସେ ଦୁଆର ହେଉଛନ୍ତି ।