ତାଳସଜ ଖାଇବାକୁ ବିଭିନ୍ନ ଛକ ଓ ରାସ୍ତାକଡ଼ରେ ଗ୍ରାହକଙ୍କ ଭିଡ଼

ପିପିଲି : ତାତି ବଢ଼ିବା ସହିତ ବଢୁଛି ତାଳସଜର ଚାହିଦା । ସୁଆଦିଆ କଅଁଳ ତାଳସଜ ଖାଇବାକୁ ଜମୁଛି ଲୋକଙ୍କ ଭିଡ଼ । ପୁରୀ ଜିଲ୍ଲାର ପିପିଲା ଅଞ୍ଚଳର ବିଭିନ୍ନ ବଜାର, ଛକ ଓ ରାସ୍ତାକଡ଼ରେ ତାଳସଜ ବିକ୍ରି ହେଉଥିବାରୁ ଦେଖିବାକୁ ମିଳୁଛି । ଲୋକେମାନେ ତାଳସଜ ଖାଇବା ସହିତ ଘରକୁ କିଣିନେଉଛନ୍ତି । ତେବେ ତାଳସଜ ବିକ୍ରି କରି ବ୍ୟବସାୟୀ ମଧ୍ୟ ଭଲ ଲାଭବାନ ହେଉଛନ୍ତି । ତାଳ ଗଛକୁ ଲୋକେ ହାଣି ଦେଉଥିବାରୁ ବର୍ତ୍ତମାନ ତାଳସଜ ଅଧିକ ମାତ୍ରାରେ ମିଳୁନାହିଁ । ଯାହାଫଳରେ ମାର୍କେଟରେ ଏହାର ଦାମ୍ ବଢ଼ିବାରେ ଲାଗିଛି । ଆଗ ଭଳି ଆଉ ତାଳ ଗଛ ନାହିଁ କିମ୍ବା ଗଛ ଚଢ଼ାଳି ମଧ୍ୟ ମିଳୁନାହାଁନ୍ତି । ଦୂରରୁ ତାଳସଜ ସଂଗ୍ରହ କରି ଆଣିବାକୁ ଅଧିକ ଖର୍ଚ୍ଚ ଲାଗୁଛି । ବଜାରରେ ଦର ଅଧିକ ଥିଲେ ମଧ୍ୟ ଲୋକେ ତାଳସଜ କିଣିବା ପାଇଁ ପ୍ରତିଯୋଗିତା କରୁଥିବାର ଦେଖିବାକୁ ମିଳୁଛି ।

ଖରାଦିନ ଆରମ୍ଭରୁ ମନଖୋଜେ ବିଭିନ୍ନ ପ୍ରକାର ଥଣ୍ଡା ପାନୀୟ ସହ ତାଳସଜର ସ୍ଵାଦ। ତାଳର ଆବଶ୍ୟକତା ଅନେକ ମାଙ୍ଗଳିକ କାର୍ଯ୍ୟରେ ଆବଶ୍ୟକ ପଡ଼ିଥାଏ । ତାଳସଜ ପାଟିକୁ ସୁଆଦ ପେଟକୁ ଥଣ୍ଡା ପ୍ରଦାନ କରୁଥିବା ବେଳେ ମଣିଷ ଜୀବନ ରକ୍ଷା କବଚ ପାଲଟିଥାଏ ତାଳଗଛ । ବ୍ରଜପାତକୁ ରୋକିବାରେ ସହାୟକ ହୋଇଥାଏ ତାଳ ଗଛ ।  ଗଛ ହାଣିଦେଉଥିବାରୁ ତାଳପତ୍ରରେ ତିଆରି ବିଭିନ୍ନ ଘର କରଣା ସାମଗ୍ରୀ ଲୋପ ପାଇବାକୁ ବସିଛି । ପ୍ରକୃତି ସନ୍ତୁଳନ ରଖିବାରେ ତାଳ ଗଛ ସହାୟକ ହେଇଥାଏ ବୋଲି ପରିବେଶବିତ୍ ମତ ରଖିଛନ୍ତି । ତାଳ ଗଛର ଆବଶ୍ୟକତା ଓ ଉପକରିତାକୁ ଅତି ଗୁରୁତ୍ବର ସହିତ ସରକାର ନେଇ ତାଳ ଗଛ କାଟିବା ଉପରେ ରୋକ ଲଗାଇଛନ୍ତି । ହେଲେ ତାଳ ଗଛ ରୋପଣ ପାଇଁ ସରକାରଙ୍କ ପଦକ୍ଷେପ କେବଳ କାଗଜ ପତ୍ରରେ ସୀମିତ ରହିଛି ।