spot_img

Latest Posts

ସରକାର ପରିବର୍ତ୍ତନ ପରେ ରାଜ୍ୟ କତା ଶିଳ୍ପ ତାଲିମ କେନ୍ଦ୍ର ଭବିଷ୍ୟତ ଅନ୍ଧାରରେ

ନନ୍ଦିଘୋଷ ବ୍ୟୁରୋ: ଜରାଜୀର୍ଣ୍ଣ ଅବସ୍ଥାରେ ରାଜ୍ୟର ଏକମାତ୍ର କତା ଶିଳ୍ପ ତାଲିମ କେନ୍ଦ୍ର । ସରକାର ପରିବର୍ତ୍ତନ ପରେ ହରାଇଛି ସତ୍ତା । ଦୁଇ ବର୍ଷ ହେଲା ବନ୍ଦ ହୋଇପଡିଛି । ଫଳରେ ଅନେକ ଜିଲ୍ଲାସ୍ତରୀୟ କତା ଶିଳ୍ପ ତାଲିମ କେନ୍ଦ୍ର ଗୁଡିକ ବନ୍ଦ ହୋଇଗଲାଣି । ଅନେକ ଯୁବକ ଯୁବତୀ ଚାକିରି ହରାଇ ଘରେ ବସି ରହିଛନ୍ତି, ହେଲେ ପ୍ରଶାସନ ଦୃଷ୍ଟି ଦେଉନି । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

୧୯୭୫ ମସିହାରେ ପିପିଲି ତେଇଶିପୁରଠାରେ ପ୍ରତିଷ୍ଠା ହୋଇଥିଲା ରାଜ୍ୟର ଏକମାତ୍ର କତା ଶିଳ୍ପ ତାଲିମ ତଥା ରୂପାଙ୍କନ କେନ୍ଦ୍ର । ଯେଉଁଠାରେ କତାରେ ବିଭିନ୍ନ ପ୍ରକାର ସାମଗ୍ରୀ, ଗହଣା ସହ ପବିତ୍ର ଘୋଷଯାତ୍ରା ପାଇଁ ରଥ ଦଉଡି ତିଆରି ହେଉଥିଲା । ଖାଲି ସେତିକି ନୁହେଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯୁବତୀମାନେ ଏଠାକୁ ଆସି ପ୍ରଶିକ୍ଷଣ ନେଉଥିଲେ । କତା ରଶି, ପାପୋଛ, ବିଭିନ୍ନ ଘରକରଣା ସାମଗ୍ରୀ ଆଦି ତିଆରି କରି ଜୀବିକା ନିର୍ବାହ କରୁଥିଲେ । ହେଲେ ଏବେ ତାହା ବନ୍ଦ ହୋଇପଡି ରହିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ପ୍ରଶାସନିକ ଅବହେଳାରୁ କତା ଶିଳ୍ପ ତାଲିମ କେନ୍ଦ୍ରଟି ବର୍ତ୍ତମାନ ବନ୍ଦ ହୋଇପଡିଛି । କେନ୍ଦ୍ରରେ ଅବ୍ୟବହୃତ ହୋଇ ପଡିରହିଥିବା ମେସିନ ଓ ଛୋଟ ବଡ଼ ଯନ୍ତ୍ରପାତିରେ କଳଙ୍କି ଲାଗିଗଲାଣି । ତାଲିମ କେନ୍ଦ୍ରଟି ଅଚଳ ହୋଇପଡିଥିବାରୁ ବାଲେଶ୍ଵର ଭୋଗରାଇ, ଜଗତସିଂହପୁରର ବାଲିକୁଦା ଓ ଗଞ୍ଜାମର ଗୋଳାବନ୍ଦଠାରେ ଥିବା ଜିଲ୍ଲା ସ୍ତରୀୟ କତା ଶିଳ୍ପ ତାଲିମ କେନ୍ଦ୍ରଗୁଡ଼ିକ ମଧ୍ୟ ବନ୍ଦ ହୋଇଗଲାଣି । ଅନେକ ଯୁବକ ଯୁବତୀ ରୋଜଗାର ହରାଇ ବସି ରହିଛନ୍ତି । ହେଲେ ପ୍ରଶାସନ ଦୃଷ୍ଟି ଦେଉନାହିଁ । ଶୀଘ୍ର ତାଲିମ କେନ୍ଦ୍ରଟିକୁ କାର୍ଯ୍ୟକ୍ଷମ କରା ନଗଲେ ଆନ୍ଦୋଳନର ଚେତାବନୀ ଦେଲେଣି ଜିଲ୍ଲା ପରିଷଦ ସଭ୍ୟ । ଅନ୍ୟପଟେ ଖୁବଶୀଘ୍ର ତାଲିମ କେନ୍ଦ୍ରଟିକୁ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ପୁରୀ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ।

Latest Posts

Don't Miss