ପିପିଲି ଚାନ୍ଦୁଆ ଶିଳ୍ପର ହେବ ବିକାଶ, ସପ୍ତାହେ ଭିତରେ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ

1 min read

ପିପିଲି: ପିପିଲି ଚାନ୍ଦୁଆ ଶିଳ୍ପର ହେବ ବିକାଶ  । ଏଥିପାଇଁ ସପ୍ତାହେ ଭିତରେ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଜିଲ୍ଲାର ରୂପାନ୍ତରଣ ପାଇଁ ଗ୍ରାଉଣ୍ଡରେ ଅନୁଧ୍ଯାନ କରି ଏହି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ  । ଫାଇଭ-ଟି ସଚିବ କହିଛନ୍ତି, ପିପିଲି ଚାନ୍ଦୁଆ ଓଡ଼ିଶା କଳାର ପରିଚୟ  । ଏହାର ଉନ୍ନତିକରଣ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି  ।

ପିପିଲି ଇନ୍ଦିରା ଗାନ୍ଧୀ ପଡ଼ିଆରେ ଲୋକଙ୍କ ସହିତ ଆଲୋଚନା କରିଛନ୍ତି ଫାଇଭ-ଟି ସଚିବ । ପ୍ରତି ଲୋକଙ୍କ ପାଖକୁ ଯାଇ ସମସ୍ୟା ଶୁଣିଛନ୍ତି । ଏହି ସମୟରେ ଫାଇଭ-ଟି ସଚିବଙ୍କୁ ରାକ୍ଷୀ ପିନ୍ଧାଇଦେଇଥିଲେ ମହିଳା । ଲୋକଙ୍କଠାରୁ ଦରଖାସ୍ତ ଗ୍ରହଣ କରି ଆସନ୍ତା ସାତ ଦିନ ଅର୍ଥାତ ୨୫ ତାରିଖ ଭିତରେ ଧର୍ମାନୁଷ୍ଠାନ ସମ୍ପର୍କିତ ଦାବି ପୂରଣ କରାଯାଇ ଖୁସି ଖବର ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି  ।

ମୁଖ୍ୟମନ୍ତ୍ରୀ ଦେଉଥିବା ଅନୁଦାନକୁ ସ୍ବଚ୍ଛତାର ସହିତ ବିନିଯୋଗ କଲେ ଆଗକୁ ଅଧିକ ଅର୍ଥ ପ୍ରଦାନ କରାଯିବ ବୋଲି ଫାଇଭ-ଟି ସଚିବ କହିଛନ୍ତି । ଦିନେ ଦୁଇଦିନ ମଧ୍ୟ ପିଇବା ପାଣି ସମ୍ପର୍କିତ ଯାହା ବି ସମସ୍ୟା ରହିଛି ତାହାର ସମାଧାନ କରାଯିବ  । ଏହି ଅବସରରେ ମିଶନ ଶକ୍ତି ମାଆଙ୍କୁ ପ୍ରଶଂସା କରିଥିଲେ ଭିକେ ପାଣ୍ଡିଆନ  ।

ମୁଖ୍ୟମନ୍ତ୍ରୀ ପ୍ରତି ସରକାରୀ କାର୍ଯ୍ୟକ୍ରମରେ ମିଶନ ଶକ୍ତି ମାଆମାନଙ୍କୁ ସାମିଲ କରୁଛନ୍ତି   । ଏହାଦ୍ବାରା ମାଆ ସ୍ବାବଲମ୍ବୀ ହୋଇ ଘର ଚଳାଉଛନ୍ତି । ସେହିପରି ବିଏସକେଓ୍ବାଇ ଲୋକଙ୍କ ପାଇଁ ସଞ୍ଜୀବନୀ ସାଜିଛି  ।  ଏହା ମାଧ୍ୟମରେ ଦେଶର ବଡ଼ ବଡ଼ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ଉପଲବ୍ଧ ହେଉଛି  । ଚାଷୀମାନଙ୍କୁ ମଧ୍ୟ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା ଯାଏ ବିନା ସୁଧରେ ଋଣ ପ୍ରଦାନ କରୁଛନ୍ତି  । ଫସଲ ବୀମା ପ୍ରିମିୟମ ଚାଷୀଙ୍କୁ ଦେବାକୁ ପଡ଼ୁନାହିଁ  । ସେହିପରି ଫାଇଭ-ଟି ସ୍କୁଲ ରୂପାନ୍ତରଣ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିଛି ବୋଲି ଫାଇଭ-ଟି ସଚିବ କହିଛନ୍ତି  ।