ପିପିଲି ପାଇଁ କଂଗ୍ରେସ କାହାକୁ କରିବ ପ୍ରାର୍ଥୀ, ଦିବଙ୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର/ପିପିଲି: ଆଜି ପିପିଲି ଉପନିର୍ବାଚନ ପାଇଁ ଭୋଟିଂ ହୋଇଥାନ୍ତା । କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ସ୍ଥଗିତ ରହିଛି । ଏହା ଭିତରେ ନୂଆ ପ୍ରାର୍ଥୀ ଖୋଜା ଆରମ୍ଭ କରିଛି କଂଗ୍ରେସ । ଅଧିକାଂଶ ମତ ଅଜିତଙ୍କ ପତ୍ନୀ ବନ୍ଦନା ମଙ୍ଗରାଜଙ୍କ ସପକ୍ଷରେ ଥିବା ସୁରେଶ ରାଉତରାୟ କହିଛନ୍ତି । ସେପଟେ ପ୍ରଚାର ବନ୍ଦ ସତ୍ତ୍ୱେ ଲୋକଙ୍କ ପାଖରେ ପହଞ୍ଚୁଥିବା ବିଜେପି ଓ ବିଜେଡି କହିଛନ୍ତି, ଭୋଟ୍‌ ବିଳମ୍ବ ହେଲେ ବି ଜନମତ ପ୍ରଭାବିତ ହେବନାହିଁ ।

ପିପିଲି ପାଇଁ କଂଗ୍ରେସର ପ୍ରାର୍ଥୀ ହୋଇପାରନ୍ତି ଦିବଙ୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା । ତାଙ୍କୁ ପ୍ରାର୍ଥୀ କରିବା ନେଇ କଂଗ୍ରେସ କସରତ ଆରମ୍ଭ କରିଛି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଦଳ ଭିତରେ ବନ୍ଦନାଙ୍କ ପାଇଁ ସମର୍ଥନ ବଢୁଛି । ବନ୍ଦନା ପ୍ରାର୍ଥୀ ହେଲେ କଂଗ୍ରେସ କର୍ମୀ ନିଜ ହାତରୁ ଉପନିର୍ବାଚନ ପାଇଁ ଖର୍ଚ୍ଚ କରିବେ । ରାହୁଲ ଗାନ୍ଧୀ ବି ଏନେଇ ବନ୍ଦନାଙ୍କ ସହ କଥା ହୋଇଥିବା ସୂଚନା ମିଳିଛି । ସ୍ବାମୀ ଅଜିତଙ୍କୁ ହରାଇବା ସହ ଶାଶୂଙ୍କୁ ବି ହରାଇଛନ୍ତି ବନ୍ଦନା । ବନ୍ଦନାଙ୍କ ସଂଗଠନ ଭଲ ଓ ଲୋକଙ୍କ ସହାନୁଭୂତି ମିଳିବ ବୋଲି କଂଗ୍ରେସ କହୁଛି । ସେପଟେ ଭୋଟ୍ ଗ୍ରହଣ ବିଳମ୍ବ ହେଲେ ବି ଜନମତ ପ୍ରଭାବିତ ହେବନାହିଁ ବୋଲି ଅନ୍ୟ ପ୍ରାର୍ଥୀ କହିଛନ୍ତି ।

 

ପ୍ରଚାର ବନ୍ଦ ଅଛି ହେଲେ ଗାଁ, ୱାର୍ଡ ଓ ପଞ୍ଚାୟତର ଦଳୀୟ ଶିବିରରେ ନେତା ଓ କର୍ମୀ ବସାଉଠା କରୁଛନ୍ତି । ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝୁଛନ୍ତି । ଏହା ବିଜୟ ପଥକୁ ସୁଗମ କରିବ ବୋଲି ବିଜେଡି ଦାବି କରିଛି । ସେପଟେ ପ୍ରତି ଗାଁରେ ଦଳର କର୍ମୀ ଥିବା ବିଜେପି କହିଛି । ଯାହା ପରିବର୍ତ୍ତନ ଆଣିବ ବୋଲି ଦଳୀୟ ନେତା ଆକଳନ କରିଛନ୍ତି । ତେବେ ଚୂଡ଼ାନ୍ତ ମତ ପିପିଲି ଜନସାଧାରଣ ଦେବେ ।

ସ୍ୱାମୀ ଓ ଶାଶୂଙ୍କୁ ହରାଇଛନ୍ତି ବନ୍ଦନା । ବାପାଙ୍କୁ ହରାଇଛନ୍ତି ରୁଦ୍ର । ବନ୍ଦନା ପ୍ରାର୍ଥୀ ହେଲେ ପିପିଲି ଓ ଡେଲାଙ୍ଗର ଅନୁକମ୍ପା ଭୋଟ୍‌ କାହା ଆଡ଼କୁ ଯିବ, ତାହା ଚର୍ଚ୍ଚାର ବିଷୟ ହୋଇଛି ।

Leave a Reply