ବଢ଼ୁଛି ଉତ୍କଣ୍ଠା, କିଏ ହାତେଇବ ପିପିଲି ? ଜାଣନ୍ତୁ କ’ଣ କହୁଛି ବିଗତ ନିର୍ବାଚନ ଗଣିତ…

1 min read

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ଭୋଟ୍ ଗଣତି ଆରମ୍ଭ ହୋଇଛି । ଆସନ ଦଖଲକୁ ନେଇ ତିନିଦଳ ବିଜେଡି, ବିଜେପି ଓ କଂଗ୍ରେସ ଭରପୂର ପ୍ରୟାସ କରିଥିବା ବେଳେ ଖୋଲୁଛି ଭୋଟ୍ ପେଡ଼ି । ଜିତିବ କିଏ ? କାହାର ହେବ ପିପିଲି ? ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ବିକଳ୍ପ ଭାବେ କାହାକୁ ବାଛିବେ ଜନତା ? ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ ଫଳାଫଳ ।

ରାଜ୍ୟର ୧୧୦ ନମ୍ବର ବିଧାନସଭା କ୍ଷେତ୍ର ହେଉଛି ପିପିଲି । ପୁରୀ ଜିଲ୍ଲାର ପିପିଲି, ଡେଲାଙ୍ଗ ବ୍ଲକକୁ ନେଇ ଗଠିତ ଏହି ବିଧାନସଭା ନିର୍ବାଚନ ମଣ୍ଡଳି । ଗଲା ଦୁଇ ଦଶନ୍ଧି ଭିତରେ ଲଗାତାର ୫ଟି ନିର୍ବାଚନରେ ପିପିଲିର ଭୋଟର ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରି ଆସିଛନ୍ତି। ଦିବଂଗତ ପ୍ରଦୀପ ମହାରଥୀ ଏହି ସମୟରେ ତାଙ୍କ ସାରଥୀ ସାଜିଛନ୍ତି। ବିଜେଡି ଗଢ଼ା ହେବା ଦିନଠାରୁ ଏଠାରେ କେବେ ପରାଜୟ ମୁହଁ ଦେଖି ନାହିଁ। ଅର୍ଥାତ୍ ଗୋଟିଏ ଦଳ ଓ ଗୋଟିଏ ପ୍ରାର୍ଥୀଙ୍କ ଉପରେ ଦୃଢ଼ ଆସ୍ଥା ପ୍ରକଟ କରି ଆସିଛନ୍ତି ପିପିଲିବାସୀ । ୨୦୨୦ ମସିହା ଅକ୍ଟୋବର ୪ରେ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଥିଲା ।

ଏଥିସହ ପଢ଼ନ୍ତୁ: Pipili By-Election: କିଛି ସମୟ ପରେ ଖୋଲିବ ଇଭିଏମ୍

ସେପ୍ଟେମ୍ବର ୩୦ରେ ପିପିଲିରେ ଭୋଟ୍ ଗ୍ରହଣ ହୋଇଥିଲା । ଚଳିତ ନିର୍ବାଚନରେ ୭୮.୨୪ ପ୍ରତିଶତ ମତଦାନ ହୋଇଛି । ଏହା ପୂର୍ବରୁ ଗତବର୍ଷ ନଭେମ୍ବର ମାସରେ ରାଜ୍ୟର ୨ ଗୋଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଉ ଉପନିର୍ବାଚନ ହୋଇଥିବା ବାଲେଶ୍ୱର ସଦର ଓ ଜଗତସିଂହପୁର ତିର୍ତ୍ତୋଲ ୨ଟି ଯାକ ଆସନରେ ବିଜୟୀ ହୋଇଥିଲା ବିଜେଡି ।

ବାଲେଶ୍ୱର ସଦର ଆସନରେ ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ମୃତ୍ୟୁ ପରେ ଗତବର୍ଷ ଉପନିର୍ବାଚନ ହୋଇଥିଲା । ନିର୍ବାଚନରେ ବିଜେପି ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଥିଲା । ସେଠାରେ ବିଜେଡି ସ୍ୱରୂପ ଦାସଙ୍କୁ ଛିଡ଼ା କରିଥିଲା । ଏଥିରେ ବିଜୟୀ ହୋଇଥିଲେ ବିଜେଡିର ସ୍ୱରୂପ ଦାସ । ସେହିଭଳି ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ହୋଇଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିଜୟୀ ହୋଇଥିଲେ ।

Pipili By Election Know Poll History Pradeep Maharathy

ବାଲେଶ୍ୱର କିମ୍ବା ତିର୍ତ୍ତୋଲ ଉପନିର୍ବାଚନକୁ ବାଦ୍ ଦେଲେ ରାଜ୍ୟର ଅନ୍ୟ ସ୍ଥାନରେ ହୋଇଥିବା ଅଧିକାଂଶ ନିର୍ବାଚନରେ ବିଜେଡି ବିଜୟୀ ହୋଇଛି । ତା’ଛଡ଼ା ଦୀର୍ଘ ଦୁଇ ଦଶନ୍ଧି ଧରି ପିପିଲି ଆସନରେ ବିଜେଡିର ଦବଦବା ରହିଥିବା ବେଳେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଛି । ବିଜେଡି ଟିକେଟରୁ ଦିବଂଗତ ମହାରଥୀ ୨୦୦୦ ମସିହାରୁ ୨୦୧୯ ଯାଏ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି । ଏବେ ଦିବଂଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ବିଜେଡିରୁ ଲଢ଼ିଥିବା ବେଳେ ତାଙ୍କ ବିଜୟକୁ ନେଇ ଆଶାବାଦୀ ବିଜେଡି ।

୨୦୧୯ ନିର୍ବାଚନରେ ପ୍ରଦୀପ ମହାରଥୀ ୧୫ ହଜାର ୭୮୭ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ । ପ୍ରଦୀପ ମହାରଥୀଙ୍କୁ ୮୮ ହଜାର ୫୧୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ଆଶ୍ରିତ ପଟ୍ଟନାୟକ ୭୨ ହଜାର ୭୩୧ ଖଣ୍ଡ ଭୋଟ୍ ପାଇଥିଲେ । ସେହିଭଳି ୨୦୧୪ ନିର୍ବାଚନରେ ପ୍ରଦୀପ ମହାରଥୀ ୩୩ ହଜାର ୪୭୪ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ । ପ୍ରଦୀପ ମହାରଥୀଙ୍କୁ ୮୨ ହଜାର ୫୫୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସର ଯୁଧିଷ୍ଠିର ସାମନ୍ତରାୟ ପାଇଥିଲେ ୪୯ ହଜାର ୭୬ ଖଣ୍ଡ ଭୋଟ୍ । ବିଜେପି ପ୍ରାର୍ଥୀ ପ୍ରଫୁଲ୍ଲ ପ୍ରସାଦ ଗଜେନ୍ଦ୍ରଙ୍କୁ ମିଳିଥିଲା ୭ ହଜାର ୬୫୬ ଭୋଟ୍ ମିଳିଥିଲା ।

ବିଗତ ନିର୍ବାଚନ ଫଳାଫଳ ଏବଂ ଭୋଟ୍ ହାରକୁ ଦେଖିଲେ ଲାଗୁଛି ପିପିଲିରେ ବିଜେଡି ଦିନକୁ ଦିନ ସୁଦୃଢ଼ ହୋଇଛି ଏବଂ ବିଜେଡି ଉପରେ ପିପିଲିବାସୀଙ୍କ ପୂର୍ଣ୍ଣ ଆସ୍ଥା ରହିଛି । ଏବେର ଉପନିର୍ବାଚନରେ ମଧ୍ୟ ବିଜେଡି ପୂର୍ବଭଳି ବିପୁଳ ଭୋଟରେ ବିଜୟ ଲାଭ କରିବ ବୋଲି ସମ୍ଭାବନା ସ୍ୱାଭାବିକ ।

Leave a Reply