Pipili By-Election: କାହିଁକି ଖସୁଛି କଂଗ୍ରେସର ଭୋଟ୍ ହାର ?

Pipili By-Election Congress Vote Percentage Downed Again

ଭୁବନେଶ୍ୱର: କମଜୋର୍ ହେଉଛି କଂଗ୍ରେସ । ପିପିଲିରେ ଦିନକୁ ଦିନ ଦୁର୍ବଳ ହେଉଛି କଂଗ୍ରେସ ଦଳ । ୨୦୧୪ ସାଧାରଣ ନିର୍ବାଚନରେ ପିପିଲିରେ ୪୯ ହଜାରରୁ ଅଧିକ ଭୋଟ୍ ପାଇଥିବା କଂଗ୍ରେସ ୨୦୧୯ରେ ପାଇଥିଲା ମାତ୍ର ୯ ହଜାର ୮୩୦ ଭୋଟ୍ । ଆଉ ଏବେ ଉପନିର୍ବାଚନରେ ସମାନ ଫଳ ଦେଖିବାକୁ ମିଳୁଛି । କେନ୍ଦ୍ର ଓ ରାଜ୍ୟ କଂଗ୍ରେସରେ ଲାଗି ରହିଥିବା ନେତୃତ୍ୱ ଅର୍ନ୍ତଦ୍ୱନ୍ଦ୍ୱ ଯୋଗୁଁ ଦଳ ନିର୍ବାଚନରେ ଅମାନତ ହରାଉଛି ।

ଯଦିଓ ୨୦୧୪ ନିର୍ବାଚନ ପରଠାରୁ କଂଗ୍ରେସ ପିପିଲିରେ ତୃତୀୟ ସ୍ଥାନରେ ରହୁଛି ତଥାପି ଭୋଟ୍ ହାର, କ୍ରମାଗତ ଭାବେ ଜୋରରେ ଖସୁଛି । ୨୦୧୪ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ୨୦୧୯ରେ ତୃତୀୟ ସ୍ଥାନକୁ ଖସି ଆସିଥିଲା । ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟ ୪୯ ହଜାର ୭୬ ଭୋଟ୍ ପାଇଥିବା ବେଳେ ତୃତୀୟ ସ୍ଥାନରେ ରହିଥିବା ବିଜେପିର ପ୍ରଫୁଲ୍ଲ ପ୍ରସାଦ ଗଜେନ୍ଦ୍ରଙ୍କୁ ମିଳିଥିଲା ୭ ହଜାର ୬୫୬ ଭୋଟ୍ ।

ତେବେ ଏହି ଭୋଟ୍ ହାର୍ ୨୦୧୯ରେ ବଜାୟ ରଖି ପାରିନଥିଲା ଦଳ । ନିର୍ବାଚନ ନ ଲଢ଼ିବା ନେଇ ଯୁଧିଷ୍ଠିର ସାମନ୍ତରାୟଙ୍କ ଘୋଷଣା ପରେ କଂଗ୍ରେସ ପୂରା କମଜୋର୍ ହୋଇଯାଇଛି । ୨୦୧୯ରେ କଂଗ୍ରେସକୁ ଦ୍ୱିତୀୟ ସ୍ଥାନରୁ ହଟାଇ ସ୍ଥାନ ଅକ୍ତିଆର କରିଥିଲା ବିଜେପି । କଂଗ୍ରେସକୁ ମାତ୍ର ୯୮୩୦ ଭୋଟ୍ ମିଳିଥିବା ବେଳେ ବିଜେପି ପାଇଥିଲା ୭୨ ହଜାର ୭୩୧ ଭୋଟ୍ ।

ଏବେ ଉପନିର୍ବାଚନରେ ମଧ୍ୟ ଜାରି କଂଗ୍ରେସର ସମାନ ଧାରା । ଉପନିର୍ବାଚନ ଫଳ ଗଣତି ଚାଲିଥିବା ବେଳେ ୧୦ତମ ରାଉଣ୍ଡର ଫଳାଫଳ ଆସିଛି । ୧୦ତମ ରାଉଣ୍ଡ ସୁଦ୍ଧା କଂଗ୍ରେସ ମାତ୍ର ୨୪୨୪ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଛି । ଦ୍ୱିତୀୟ ସ୍ଥାନରେ ଥିବା ବିଜେପିକୁ ୨୮ ହଜାର ୧୩୮ ଭୋଟ୍ ମିଳିଥିବା ବେଳେ ବିଜେଡି ୩୮ ହଜାର ୫୮୯ ଭୋଟ୍ ପାଇ ଆଗୁଆ ରହିଛି ।

Leave a Reply