ପିପିଲି ଉପ-ନିର୍ବାଚନ: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ବିଜୟୀ, ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

1 min read

ପୁରୀ: ପିପିଲିରେ ବାଜି ମାରିନେଇଛି ବିଜୁ ଜନତା ଦଳ । ବିଜେଡି ବିଜୟୀ ହୋଇଛି ଆଉ ଏକ ଉପ-ନିର୍ବାଚନ ।  ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଛନ୍ତି ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ । ଭୋଟ ଗଣନା ଆରମ୍ଭରୁ ବିଜେଡିର ଦବଦବା ଜାରି ରହିଥିବା ବେଳେ  କୌଣସି ବି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଅନ୍ୟ ଦଳର ପ୍ରାର୍ଥୀଙ୍କ ଠାରୁ ପଛୁଆ ନଥିଲେ । ଚଳିତ ନିର୍ବାଚନରେ ଗତ ସାଧାରଣ ନିର୍ବାଚନ ଅର୍ଥାତ ୨୦୧୯ ନିର୍ବାଚନ ଠାରୁ ମଧ୍ୟ ଅଧିକ ଭୋଟ ପାଇଛନ୍ତି ବିଜେଡି ପ୍ରାର୍ଥୀ । ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱର୍ଗୀୟ ପ୍ରଦୀପ ମହାରଥୀ ପାଇଥିଲେ ୮୮୫୧୮ ଖଣ୍ଡ ଭୋଟ ।

ମୋଟ ୨୬ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ୯୬୩୯୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୭୨୩୨୧ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ୪୧୫୫ ଖଣ୍ଡ ଭୋଟ ପାଇଛନ୍ତି । ଏଥିସହିତ କଳିଙ୍ଗ ସେନାର ପିଙ୍କଲିନ୍ ମହାନ୍ତି ୧୫୫, ରିପବ୍ଲିକ୍ ପାର୍ଟି ଅଫ୍ ଇଣ୍ଡିଆର ମହମ୍ମଦ ଇମ୍ମାମୁଦିନ୍ ୨୪୪, ସ୍ୱାଧୀନ ପ୍ରାର୍ଥୀ ନଗେନ୍ଦ୍ର ନାଥ ମିଶ୍ର ୪୧୩ ଖଣ୍ଡ, ସୁଲୋଚନା ସାହୁ ୨୬୪, ସପ୍ନେଶ୍ୱର ନାୟକ ୩୭୦ ଖଣ୍ଡ ଭୋଟ ପାଇଥିବା ବେଳେ ନୋଟାକୁ ଯାଇଛି ୮୩୧ ଖଣ୍ଡ ଭୋଟ ଅର୍ଥାତ ୮୩୧ ଜଣ ଭୋଟର କୌଣସି ବି ପ୍ରାର୍ଥୀଙ୍କୁ ପସନ୍ଦ କରିନାହାନ୍ତି ।

ଅପରପକ୍ଷରେ ପିପିଲରେ ବିଜେଡିର ବିପୁଳ ବିଜୟ ନେଇ ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । । ଟ୍ୱିଟ୍ କରି ବିଜେଡି ସଭାପତି ନବୀନ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିପୁଳ ଜନସମର୍ଥନ ଦେଇଥିବାରୁ ପିପିଲିବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।  ଏଥିସହିତ ଦଳର ସମସ୍ତ କର୍ମୀ ଓ ନେତୃବୃନ୍ଦଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ଜନତା ଦଳ ଆପଣମାନଙ୍କର ଦଳ । ଆପଣମାନଙ୍କ ସେବାରେ ଆମେ ସର୍ବଦା ସମର୍ପିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଜଣାଇଛନ୍ତି ।

Leave a Reply