ନୂଆବର୍ଷରୁ ନିସ୍ତାର ନାହିଁ, ବାଇକ୍ ପଛରେ ବସିଲେ ବି ପିନ୍ଧନ୍ତୁ ହେଲମେଟ୍

ଭୁବନେଶ୍ୱର: ସରିଲା ଡେଡ୍‌ଲାଇନ, ଆଉ ମିଳିବନି ତ୍ରାହି । କାଲିଠୁ ବାଇକ୍‌ ଚାଳକ ଓ ପଛରେ ବସିଥିବା ବ୍ୟକ୍ତିଙ୍କୁ ମଧ୍ୟ ପିନ୍ଧିବାକୁ ପଡ଼ିବ ହେଲମେଟ୍‌ । ନୂଆବର୍ଷରୁ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଅଣ୍ଟା ଭିଡ଼ିଛି ପରିବହନ ବିଭାଗ । ଯେଉଁମାନେ ହେଲମେଟ୍ ନପିନ୍ଧିବେ ସେମାନଙ୍କ ଡିଏଲ୍ ବାତିଲ୍ କରାଯିବ । ଏହାସହ ଗାଡ଼ିର କାଗଜପତ୍ର ଯାଞ୍ଚ ବି କଡ଼ାକଡ଼ି କରାଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

ନୂଆବର୍ଷରେ ଦୁଇଚକିଆ ଯାନ ନେଇ ବାହାରକୁ ବାହାରୁଛନ୍ତି କି ? ପଛରେ ସାଙ୍ଗ କି ପରିବାର ଲୋକ ବସିଛନ୍ତି କି ? ଯଦି ବସିଛନ୍ତି ତେବେ ନିଜେ ହେଲମେଟ୍ ପିନ୍ଧିବା ସହ ପଛ ବ୍ୟକ୍ତିଙ୍କୁ ବି ହେଲମେଟ୍ ପିନ୍ଧାନ୍ତୁ । ନହେଲେ ରଦ୍ଦ ହୋଇଯିବ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ । କାରଣ ନୂଆବର୍ଷରୁ ଦୁର୍ଘଟଣାକୁ ରୋକିବା ପାଇଁ ବାଇକ୍ ଚାଳକଙ୍କ ପାଇଁ ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଯାଉଛି ପରିବହନ ବିଭାଗ । ରାସ୍ତାକୁ ଆସିବା ପୁର୍ବରୁ ହେଲମେଟ୍ ପିନ୍ଧି ଆସିବା ପାଇଁ ପରିବହନ ମନ୍ତ୍ରୀ ନିବେଦନ କରିଛନ୍ତି । ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କେବଳ ହେଲମେଟ୍ ଚେକିଂ ନୁହେଁ, ମଦ୍ୟପାନ କରି ଗାଡ଼ି ଚଳାଇବା, ଦ୍ରୁତଗତିରେ ଗାଡ଼ି ଚଳାଇବା ଓ ବିନା କାଗଜପତ୍ରରେ ଗାଡ଼ି ଚଳାଇବା ଲୋକଙ୍କୁ ନୂଆବର୍ଷରୁ ନିସ୍ତାର ନାହିଁ । ଏ ସବୁ ଚେକିଂକୁ କଡ଼ାକଡ଼ି କରିବା ପାଇଁ ପରିବହନ ବିଭାଗ ପୋଲିସକୁ ନିର୍ଦ୍ଦେଶ ଦେଇଛି । ତେବେ ଲର୍ନର ଲାଇସେନ୍ସ ଥିବା ବ୍ୟକ୍ତିଙ୍କ ଡିଏଲ୍ ମିଳିନଥିବାରୁ ସେମାନଙ୍କ ପାଇଁ ଏହି ନିୟମକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୋହଳ କରାଯାଇଛି ।

Pillion Helmet Compulsory In Odisha From 1st January

କରୋନା ଯୋଗୁଁ ରାଜ୍ୟରେ କୋହଳ ଥିବା ଚେକିଂ ବ୍ୟବସ୍ଥା ପୁଣି ଥରେ କଡ଼ାକଡ଼ି ହେବ । ଅନ୍ୟପଟେ ଫାସ୍‌ଟାଗ ମାଧ୍ୟମରେ ଟୋଲ୍‌ ଆଦାୟ ସମୟରେ ବୃଦ୍ଧି କରାଯାଇଛି । ଫେବ୍ରୁଆରୀ ୧୫ ଯାଏ ସମୟ ସୀମା ବଢ଼ାଇ ଦିଆଯାଇଛି । ପୂର୍ବରୁ ଜାନୁଆରୀ ୧ ସୁଦ୍ଧା ସବୁ ଟୋଲ୍‌ ପ୍ଲାଜାରୁ ଫାସ୍‌ଟାଗ ଯୋଗେ ଶହେ ପ୍ରତିଶତ ଟୋଲ୍ ଆଦାୟ ପାଇଁ ନିର୍ଦ୍ଦେଶ ରହିଥିଲା ।

Leave a Reply