ଇସ୍ପାତନଗରୀରେ ଉଡୁଛି ସନ୍ଦିଗ୍ଧ ପାରା, ଗୋଡରେ ଲାଗିଛି ଟ୍ୟାଗ୍
ରାଉରକେଲା: ଗୋଟିଏ ପାରା ଇସ୍ପାତ ନଗରୀର ପାରା ବଢାଇ ଦେଇଛି । ଆଗରୁ ପାକିସ୍ତାନୀ ପାରା କଥା ଶୁଣିଥିବେ ଏବେ ଚାଇନା ପାରା କଥା ଶୁଣନ୍ତୁ । ପଞ୍ଜାବରେ ପଶୁଥିଲା ପାକିସ୍ତାନୀ ପାରା । ଏବେ ରାଉରକେଲା ପୋଲିସ ଖୋଜୁଛି ପାରା ପାଲାର ସତ । ଇସ୍ପାତ ନଗରୀରେ ଉଡ଼ି ବୁଲୁଛି ଏହା ଚାଇନା ପାରା.. ଚା ଖଟିରୁ ଚାଉମିନ୍ ଦୋକାନ, ସବୁଠି ଏହି ପାରାକୁ ନେଇ ଚର୍ଚ୍ଚା । କିଏ ଛାଡ଼ିଲା ଏହି ପାରା ? କାହିଁକି ପକ୍ଷୀର ଗୋଡରେ ଲାଗିଛି ଟ୍ୟାଗ ? ଗୁପ୍ତ ତଥ୍ୟ ପାଇଁ ପାରା ସାଜିଛି କି ଗୁପ୍ତଚର ? ଏହା ଚାଇନାର ଚାଲ ନା କୌଣସି ସନ୍ଦିଗ୍ଧଙ୍କ ଷଡଯନ୍ତ୍ର ? ରାଜଗାଙ୍ଗପୁରରୁ ଉଦ୍ଧାର ହୋଇଥିବା ବିଦେଶୀ ପାରାକୁ ନେଇ ଏବେ ନାନା ପ୍ରଶ୍ନ ଉଙ୍କି ମାରିଛି…
କାଂସବାହାଲ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରକୁ ଉଡ଼ି ଆସିଥିଲା ଏହି ପାରା । ବିରଳ ପାରାକୁ ଉଦ୍ଧାର କରିଥିଲେ ସର୍ବେଶ୍ୱର ଛୋଟରାୟ । ସେ ଦେଖିଥିଲେ ପାରାର ଗୋଡ଼ରେ ଲାଗିଛି ଏକ ଧଳାରଙ୍ଗର ଟ୍ୟାଗ । ଯେଉଁଥିରେ ଚାଇନା ଭାଷାରେ କିଛି ଶବ୍ଦ ଲେଖାହୋଇଥିଲା । ପରେ ସର୍ବେଶ୍ୱର ଏନେଇ ସ୍ଥାନୀୟ ଥାନାକୁ ଖବର ଦେଇଥିଲେ । ପାରାର ଗୋଡରେ ଲାଗିଥିବା ଚାଇନା ଭାଷାରେ ଲିଖିତ ଏହି ଟ୍ୟାବ ସନ୍ଦେହଜନକ ସ୍ଥିତି ସୃଷ୍ଟି କରିଥିଲା । ଏମିତିକି ଏହି ଖବର ପ୍ରଚାରିତ ହେବା ପରେ କିଛି ଲୋକେ ଭୟଭୀୟ ହୋଇପଡିଥିଲେ । ଏହା ଚାଇନାର ଗୁଇନ୍ଦା ପାରା ବୋଲି କହିବାକୁ ଲାଗିଥିଲେ ।
ସେପଟେ ପୋଲିସ ଘଟଣା ସ୍ଥଳରେ ପହଁଚି, ପାରାକୁ ଯାଞ୍ଚ କରିଥିଲେ । ପାରା ଗୋଡରେ ଲାଗିଥିବା ଏହି ଟ୍ୟାଗରୁ ଜଣା ପଡିଥିଲା ଏହା ଏକ ରେସିଂ ପାରା । ପ୍ରତିଯୋଗିତା ପାଇଁ ଏହି ପାରାକୁ ବ୍ୟବହାର କରାଯାଇଥିବା ପୋଲିସ ସ୍ପଷ୍ଟ କରିଥିଲା । ଗୁଇନ୍ଦା ସୂଚନା କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ପାରାକୁ ବ୍ୟବହାର ଖବରକୁ ପୋଲିସ ଖଣ୍ଡନ କରିଥିଲା । ଅନ୍ୟପଟେ ପାରାଟି ଏବେ ସାମାନ୍ୟ ଅସୁସ୍ଥ ଥିବାବେଳେ ଆସନ୍ତାକାଲି ତାକୁ ଉଦ୍ଧାର କରିଥିବା ବ୍ୟକ୍ତି ଛାଡ଼ିଦେବେ ବୋଲି କହିଛନ୍ତି ।
କାନସଵାହାଲ ଅଞ୍ଚଳରେ ଗୋଟିଏ ପାରାର ଗୋଡ଼ରେ ଚାଇନା ଭାଷାରେ ଲେଖାଯାଇଥିବା ଟ୍ୟାଗ ଠାବ ହୋଇଛି । ପାରାଟି ଚୀନରୁ ଆସିଛି କି କେହି ଚାଇନା ଭାଷାରେ ଟ୍ୟାଗ୍ ଲଗାଇ ଛାଡ଼ିଦେଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । କାନସବାହାଲ ଅଞ୍ଚଳକୁ ଏହା କିପରି ଆସିଲା ସେନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ପାରାଟିର ଗୋଡରେ ଚାଇନା ଭାଷାର କେହି ଟ୍ୟାଗ ଲଗାଇ ଦେଇଥିବା ପୋଲିସ କହିଛି । ଏନେଇ ଭୟଭୀତ ନହେବାକୁ ପୋଲିସ ପରାମର୍ଶ ଦେଇଛି ।