spot_img

Latest Posts

ମହାପ୍ରଭୁଙ୍କୁ ପ୍ରବଳ ଜ୍ବର, ଶ୍ରୀଅଙ୍ଗ ପୀଡ଼ା ଉପଶମ ପାଇଁ ଲାଗି ହେଲା ଫୁଲୁରୀ ତେଲ

ପୁରୀ : ମହାପ୍ରଭୁଙ୍କ ପ୍ରବଳ ଜ୍ବର । ଅଣସର ତାଟିରେ ଦଇତାପତି ସେବାୟତଙ୍କ ଦ୍ବାରା କରାଯାଉଛି ଗୁପ୍ତ ଉପଚାର । ଅଣସରର ପଞ୍ଚମ ଦିନରେ ପୀଡ଼ା ଉପଶମ ପାଇଁ ଶ୍ରୀଅଙ୍ଗରେ ଲାଗି ହେଉଛି ଫୁଲୁରୀ ତେଲ । ବଡ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ସୁଗନ୍ଧିତ ତେଲ । ହେରାପଞ୍ଚମୀ ଦିନ ଠାରୁ ଘଣାପେଡ଼ା ରାଶିତେଲରେ କର୍ପୁର, ଚୁଆ, ପରଖ, ପିଙ୍ଗଳ ସହ ୧୪ ପ୍ରକାର ଫୁଲ, ୭ ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ପକାଯାଇ ମାଟି ତଳେ ଏକ ପାତ୍ରରେ ଏକବର୍ଷ ପୋତାଯାଇଥାଏ । ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ଏହି ତେଲକୁ ବାହାର କରାଯାଇ ଛଣାଯିବା ପରେ ଅମୁଣିଆ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ପଠାଯାଏ । ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଅଣସର ଘର ଦ୍ୱାର ଖୋଲାଯାଇ ଏହାକୁ ଶ୍ରୀଅଙ୍ଗରେ ମାଲିସ କରନ୍ତି ସେବାୟତ । ପତି ମହାପାତ୍ର ୩ଟି ରୁପା ପିଙ୍ଗଣରେ ଫୁଲୁରୀ ତେଲ ନେଇ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହାକୁ ମର୍ଦନ କରିବାର ବିଧି ରହିଛି।

ସେପଟେ ରଥଯାତ୍ରା ପାଖେଇ ଆସୁଥିବାରୁ ରଥଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ରଥର ମୂଳ କଇଞ୍ଚି ୪ ନାହାକା ଭିତର ପାର୍ଶ୍ଵ ଉଭୟ ପଟରେ ପଡ଼ିବା ସହ ବଡଧରା ପୋଟଳ ଉଠାଯାଇଛି । ଏହାସହ ତିନି ରଥ କଳସରେ ପାଖୁଡ଼ା ସଂଯୋଗ ଶେଷ ହୋଇଛି । କଳସରେ ସିଲଭର ପାତ ଫିଟିଙ୍ଗ ପରେ ରଙ୍ଗ କରାଯିବ । ସେପଟେ ଦୁଆର ବେଢ଼ା ପାଇଁ ୪ଟି ଲେଖାଏଁ ଚନ୍ଦ୍ରଶାଳି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଁଚିଛି । ରୂପକାର ସେବକ ନାଟ ଗୋଡ଼ରେ ରୂପ ଖୋଦେଇ ସହ ତିନି ରଥର ପଟା ଗୁଜରେ ସିଂହ ବିରାଳ, ଗଜ ବିରାଳ, ନର ବିରାଳ ରୂପ ଖୋଦେଇ ଜାରି ରଖିଛନ୍ତି । ବିଶ୍ୱାସ ରହିଛି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ମାଲିସ କରିବା ପରେ ମଶ୍ରୀଅଙ୍ଗ ପୀଡା ଲାଘବ ହେବା ସହ ସୁସ୍ଥତାର ପ୍ରାକ ସୂଚନା ମିଳିଥାଏ ।

Latest Posts

Don't Miss