ଫୁଲୁରୀ ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି ମହାପ୍ରଭୁ

ପୁରୀ: ପବିତ୍ର ଦେବ ସ୍ନାନପୂର୍ଣ୍ଣମୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ଚତୁର୍ଦ୍ଦାବିଗ୍ରହଙ୍କର ଅଣସର ଘରେ ଚାଲିଛି ଗୁପ୍ତନୀତି । ସ୍ନାନପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରିବାରୁ ଜ୍ଵରରେ କମ୍ପୁଛନ୍ତି ଶ୍ରୀଜିଉ । ସମ୍ପୂର୍ଣ୍ଣ ଆୟୁର୍ବେଦ ପ୍ରଣାଳୀରେ ମହାପ୍ରଭୁଙ୍କ ଚିକିତ୍ସା କରାଯାଉଛି । ଗତରାତିରେ ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଛି ଫୁଲୁରି ତେଲ । ଏହାପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ହୋଇଛନ୍ତି । ଶ୍ରୀବିଗ୍ରହଙ୍କ ଓଲାଗି, ଶ୍ରୀଅଙ୍ଗ ଫିଟା ନୀତି ପରେ ଫୁଲୁରୀ ତେଲ ଶ୍ରୀଅଙ୍ଗରେ ଲାଗି ଯାଇଛି । ଏହାପରେ ମହାପ୍ରଭୁ ଜ୍ବରରୁ ସାମାନ୍ୟ ଉପଶମ ପାଇଛନ୍ତି । ଆଜି ଅନବସରର ଷଷ୍ଠୀ ତିଥିରେ ସୁଦୁ ସୁଆରଙ୍କ ଘରୁ ଆସିଥିବା ଓଷକୁ ମହାପ୍ରଭୁଙ୍କୁ ଲାଗି କରାଯିବ। ଶ୍ରୀମନ୍ଦିରରେ ଆଜି ମଧ୍ୟାହ୍ନ ଧୂପ ନୀତି ସରିବା ପରେ ବେହରଣ ଦ୍ୱାର ଦେଇ ଦଇତାପତି ପ୍ରବେଶ କରି ଏହି ଓଷ ଲାଗି କରିବେ। ମଧ୍ୟାହ୍ନ ଧୂପ ପରେ ଶୁଦ୍ଧସୁଆର ପ୍ରସ୍ତୁତ କରିଥିବା ଝୁଣା, ତେଲ ଓ ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଔଷଧକୁ ଦଇତାପତି ସେବକମାନେ ଶ୍ରୀଜୀଉଙ୍କ ଅଙ୍ଗରେ ଲଗାଇବେ । ତିନିଦିନ ଧରି ମହାପ୍ରଭୁଙ୍କୁ ଓଷ ଲାଗି କରାଯିବ। ଷଷ୍ଠୀଠାରୁ ନବମୀ ତିଥି ପର୍ଯ୍ୟନ୍ତ ଏହି ଔଷଧ ଲାଗି କରାଯିବ । ଫଳରେ କିଛି ମାତ୍ରାରେ ଶ୍ରୀଜିଉ ଜ୍ୱରରୁ ଉପଶମ ପାଇବେ । ଦଶମୀ ଦିନ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଖାଇବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଉପଶମ ହେବେ । ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ପ୍ରଭୁଙ୍କୁ ଆୟୁର୍ବେଦ ପଦ୍ଧତିରେ ଚିକିତ୍ସା କରାଯାଉଥିବା ବେଳେ, ଘନ ଅନ୍ଧକାରରେ ମହାପ୍ରଭୁଙ୍କର ଏହି ଅନବସର ଗୁପ୍ତ ଚିକିତ୍ସା ଜାରି ରହିଛି।
ପରମ୍ପରା ଅନୁଯାୟୀ, ଗତକାଲି ଅନବସର ପଞ୍ଚମୀ ତିଥିରେ ଅଣସରରେ ଥିବା ଶ୍ରୀବିଗ୍ରହମାନଙ୍କୁ ଜଡିବୁଟିଯୁକ୍ତ ଔଷଧୀୟ ଫୁଲୁରି ତେଲ ଲାଗି ହୋଇଛି । ପରେ ଶ୍ରୀଜିଉ ଧୀରେ ଧୀରେ ସୁସ୍ଥ ହେବେ । ଏନେଇ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ବତନ୍ତ୍ର ଶୈଳୀରେ ଫୁଲୁରି ତେଲ ପ୍ରସ୍ତୁତ ହୋଇଥିଲା । ଗତକାଲି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ପରମ୍ପରା ମୁତାବକ ବଡ ଓଡ଼ିଆ ମଠକୁ ଶ୍ରୀମନ୍ଦିର ପକ୍ଷରୁ ଫୁଲୁରି ତେଲ ବିଜେ ପାଇଁ ଖବର ଯାଇଥିଲା । ଏହାପରେ ବଡ଼ ଓଡ଼ିଆ ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥମାନେ ଶୋଭାଯାତ୍ରାରେ ଫୁଲୁରି ତେଲକୁ ଶ୍ରୀମନ୍ଦିରକୁ ବିଜେ କରିଥିଲେ । ଶ୍ରୀଜିଉଙ୍କ ପାଇଁ ୩ଟି ମାଟି ଘଡ଼ିରେ ଫୁଲୁରି ତେଲ ବିଜେ କରାଯାଇଥିଲା । ଜ୍ବର ପୀଡ଼ିତ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ଦରଜ ଭାଙ୍ଗିବା ପାଇଁ ତୈଳ ମର୍ଦ୍ଦନର ଏହି ପରମ୍ପରା ରହି ଆସିଛି । ସେହିପରି ମହାପ୍ରଭୁଙ୍କୁ ଲାଗି ହେଉଥିବା ଫୁଲୁରି ତେଲର ପ୍ରସ୍ତୁତି ଶୈଳୀ ସମ୍ପୂର୍ଣ୍ଣ ସ୍ଵତନ୍ତ୍ର । ତିନି ଘଡ଼ିରେ ଘଣା ପେଡ଼଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଆଦି ଫୁଲର ମିଶ୍ରଣ କରଯାଇଥାଏ । ଏହି ମିଶ୍ରଣ ପ୍ରସ୍ତୁତ କରିବା ପାଇଁ ବଡ଼ ଓଡ଼ିଆ ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥମାନେ ସ୍ବତନ୍ତ୍ର ପଦ୍ଧତି ଅନୁସରଣ କରିଥାନ୍ତି । ଯାହା ଆଜି ପର୍ଯ୍ୟନ୍ତ ଗୁପ୍ତ ରଖାଯାଇଛି ।