ବାହାଘର ଭିଡିଓ ନଦେବାରୁ ଫଟୋଗ୍ରାଫରଙ୍କୁ ମିଳିଲା ଏମିତି ସଜ୍ଜା

ନନ୍ଦିଘୋଷ ବ୍ୟୁରୋ: ବିବାହକୁ ସ୍ମୃତି କରି ରଖିବା ପାଇଁ ସମସ୍ତେ ଫଟୋଗ୍ରାଫି ଏବଂ ଭିଡିଓ ସୁଟିଂ କରିଥାନ୍ତି । କିନ୍ତୁ ଯେତେବେଳେ ଆପଣଙ୍କୁ ସେହି ଭିଡିଓ ଆଉ ଫଟୋ ଯଦି ନମିଳେ ତାହେଲେ କିଭଳି ଅନୁଭବ ହେବ ତାହା ସମସ୍ତଙ୍କୁ ବେଶ ଭଲଭାବେ । ତେବେ ଏଭଳି ଏକ ଘଟଣା ବାଙ୍ଗାଲୋରରୁ ଆସିଛି । ବିବାହ ଉତ୍ସବ ପାଇଁ ଟଙ୍କା ନେଇଥିବା ଫଟୋଗ୍ରାଫର ଫଟୋ ଭିଡିଓ ଦେବାରେ ଅସମର୍ଥ ହେବାରୁ ଗ୍ରାହକ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଉପଭୋକ୍ତା ଅଦାଳତର ଦ୍ବାରସ୍ଥ ହୋଇଥିବା ଦମ୍ପତ୍ତିଙ୍କର ଶେଷରେ ବିଜୟ ହୋଇଛି । ଆଉ ଫଟୋଗ୍ରାଫରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

ମାର୍ଚ୍ଚ ୨୦୨୧ରେ ବିବାହ ହୋଇଥିଲା । କିନ୍ତୁ ଫଟୋଗ୍ରାଫରଙ୍କୁ ସେମାନେ ୧୫ ଜାନୁଆରୀ ୨୦୨୧ରେ ଆଡଭାନ୍ସ ରାଶି ୫ହଜାର ଯଙ୍କା ଦେଇଥିଲେ । ୮୦ ହଜାର ଟଙ୍କାରେ ଭିଡିଓ ସୁଟିଂ ଏବଂ ଫଟୋଗ୍ରାଫି ପାଇଁ ତୁଟିଥିଲା । ଏହାପରେ ବିବାହ ଦିନ ଏବଂ ପରେ କିଛି ଟଙ୍କା ପ୍ରଦାନ କରିଥିଲେ ଦମ୍ପତ୍ତି । ଫଟୋ ଆଲବମ ସାଙ୍ଗକୁ ସିଡି ଦେବାକୁ ଚୁକ୍ତି କରିଥିବା ଫଟୋ ଗ୍ରାଫରଙ୍କୁ ଯେତେବେଳେ ମାଗିଥିଲେ ସେ ବାହାନା କରିବା ଆରମ୍ଭ କରିଥିଲେ । ଆଜି ଆସନ୍ତୁ କାଲି କାଲି ଆସନ୍ତୁ ବାହାନା କରିବା ସହ ଧରା ଛୁଆଁ ଦେଇନଥିଲେ । ବାରମ୍ବାର ନିରାଶ ହୋଇ ଦୋକାନରୁ ଫେରିବା ପରେ ଶେଷରେ ଏହି ଦମ୍ପତ୍ତି ଆଇନର ଆଶ୍ରୟ ନେଇଥିଲେ । ସେମାନେ ପ୍ରଥମେ ବାର ଆଣ୍ଡ ବେଞ୍ଚ ହିସାବରେ ଏକ ଲିଗାଲ ନୋଟିସ ପଠାଇଥିଲେ । ଯାହା ଦ୍ବାରା ଫଟୋଗ୍ରାଫରଙ୍କୁ ନୋଟିସ ହୋଇଥିଲା । କିନ୍ତୁ ସେ ଏହାର ଉତ୍ତର ଦେଇନଥିଲେ।

ଏହାପରେ ଦମ୍ପତ୍ତି ଜିଲ୍ଲା ଉପଭୋକ୍ତା ଫୋରମଙ୍କ ନିକଟରେ ଫେରାଦ ହେବା ସହ ମାନସିକ ନିର୍ଯାତନା ଅଭିଯୋଗରେ ୨ ଲକ୍ଷ ଟଙ୍କାର ଏକ କ୍ଷତି ପୂରଣ ମାଗିଥିଲେ । ଏହାପରେ କନଜ୍ୟୁମର କୋର୍ଟ ମାମଲାର ଶୁଣାଣି କରିଛନ୍ତି । କୋର୍ଟ କହିଛନ୍ତି କି, ଦମ୍ପତ୍ତିଙ୍କ ପାଇଁ ସେମାନଙ୍କ ବିବାହ ଆଲବମ ଏବଂ ଭିଡିଓ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଯଦିଓ ସମ୍ପୂର୍ଣ୍ଣ ଦେୟ ଦିଆଯାଇନାହିଁ ତଥାପି ସେମାନେ ଟଙ୍କା ଦେଇଛନ୍ତି । ଏଣୁ ଏହା ଗ୍ରାହକଙ୍କ ସେବାରେ ବ୍ୟାହତ ହୋଇଛି । ଯାହାକୁ ଦୃଷ୍ଟିରେ ରଖି ଫଟୋଗ୍ରାଫରଙ୍କୁ ୨୦ ହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିଛି । ଏହା ବ୍ୟତିତ ୧୦ ପ୍ରତିଶତ ସୁଧ ମଧ୍ୟ ଦେବାକୁ ପଡ଼ିବ । ସେପଟରେ ଫଟୋ ଗ୍ରାଫର ନିଜର ଯୁକ୍ତିରେ ଦର୍ଶାଇଥିଲେ କି, ଭିଡିଓ ଏଡିଟରଙ୍କ ପାଇଁ ବିଳମ୍ବ ହୋଇଛି । ଭିଡିଓ ଏଡିଟର ନଥିବାରୁ ସେ ସିଡି ଦେଇ ପାରିନଥିଲେ । କିନ୍ତୁ କନଜ୍ୟୁମର କୋର୍ଟରେ ସେ ଏହା ପ୍ରମାଣ କରିପାରିନଥିଲେ ।