ଦିବ୍ୟାଙ୍ଗ ହୋଇ ବି ପର୍ଯ୍ୟଟକଙ୍କ ପାଇଁ ସମୁଦ୍ରରେ ସାଜିଛନ୍ତି ଜାଗ୍ରତ ପ୍ରହରୀ

ପୁରୀ : (ସୁନୀଲ ମହାନ୍ତି) ସେ ଜନ୍ମରୁ ଦିବ୍ୟାଙ୍ଗ । ଗୋଡ଼ ନାହିଁ କହିଲେ ଚଳେ । ହେଲେ ହଜାର ହଜାର ପର୍ଯ୍ୟଟକଙ୍କ ପାଇଁ ସାଜିଛନ୍ତି ଜାଗ୍ରତ ପ୍ରହରୀ ।  ସମୁଦ୍ରରେ ଲହଡ଼ି ଭାଙ୍ଗୁଥିବା ପର୍ଯ୍ୟଟକଙ୍କ ପାଇଁ ପ୍ରହରୀ ସାଜିଥିବା ଏହି ଉତ୍ସାହୀ ଯୁବକ ହେଲେ ପୁରୀ ବାଲିନୋଳିଆ ବସ୍ତି ମହୋଦଧି ସାହିର ବାଡ଼ିଯୋଗୀ । ସାଙ୍ଗସାଥିରେ ବାଦଶାହ ଯୋଗୀ ବୋଲି ପରିଚିତ ।

ଜନ୍ମରୁ ନା ଅଛି ଗୋଡ଼ ନା ଛିଡା ହେବାର ଶକ୍ତି । କିନ୍ତୁ ଦିବ୍ୟାଙ୍ଗ ହୋଇ ବି ସକ୍ଷମ । ଜନ୍ମରୁ ଗୋଡ଼ ହରାଇଥିଲେ ମଧ୍ୟ ତାଙ୍କୁ ହରାଇ ପାରିନି ଜୀବନ ସଂଗ୍ରାମ । ନିଜ ଇଛା ଶକ୍ତି, ସାଧନା ସହ ସାଙ୍ଗସାଥି ଓ ପରିବାରର ପ୍ରେରଣା ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ସମୁଦ୍ରରେ ଲାଇଫ ଗାର୍ଡ ଭାବେ କାର୍ଯ୍ୟ କରିବା ସହ ସମୁଦ୍ର ସ୍ନାନ ବେଳେ ପର୍ଯ୍ୟଟକଙ୍କ ଜୀବନ ରକ୍ଷା ପାଇଁ ଅଗାଧ ସମୁଦ୍ରରେ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରନ୍ତି ଯୋଗୀ । ବୁଡ଼ି ଯାଉଥିବା ବେଳେ ଚାରି ଜଣରୁ ଅଧିକ ପର୍ଯ୍ୟଟକଙ୍କ ଜୀବନ ମଧ୍ୟ ବଂଚାଇଛନ୍ତି ଏହି ଦିବ୍ୟାଙ୍ଗ ଯୋଗୀ । ଏଥିରେ ଖୁସି ହୋଇ ପର୍ଯ୍ୟଟକ ଯାହାକିଛି ପାଉଣା ଦିଅନ୍ତି ସେଥିରେ କଷ୍ଟେ ମଷ୍ଟେ ଚଳିଯାଏ ତାଙ୍କ ତେଲଲୁଣର ସଂସାର । ଲାଇଫ୍ ଗାର୍ଡ ଭାବେ ପର୍ଯ୍ୟଟକଙ୍କ ପାଇଁ କାର୍ଯ୍ୟ କରିବାକୁ ତାଙ୍କୁ ବେଶ ଆନନ୍ଦ ଲାଗୁଥିବା ବେଳେ ଏଇଥିରେ ହିଁ ଆଗକୁ ନିଜର କ୍ୟାରିଅର ଗଢିବାକୁ ଇଚ୍ଛା ରଖିଛନ୍ତି ଯୋଗୀ । ଏନେଇ ସେ କହନ୍ତି । ଜଗତରନାଥ ଜଗନ୍ନାଥଙ୍କ କୃପାରୁ ସଂସାର ରୂପକ ଗିରିକୁ ଲଙ୍ଘି ପାରିଛନ୍ତି ।

୧୯୯୦ ମସିହାରେ ଜନ୍ମ, ୧୯୯୬ରେ ଦିବ୍ୟାଙ୍ଗ ତାଲିକାରେ ଯୋଡ଼ା ହୋଇଗଲା ତାଙ୍କ ନାଁ । ଘରେ ମା, ବାବା ଓ ଦୁଇଭାଇଙ୍କ ସହ ରୁହନ୍ତି ଯୋଗୀ । ନିଜର ଅକ୍ଷମତା ଓ ଅର୍ଥ ଅଭାବରୁ ଦ୍ଵିତୀୟ ଶ୍ରେଣୀରୁ ପାଠରେ ଡୋରି ବାନ୍ଧିଥିଲେ । ବାବା ମା ହୋଟେଲରେ କାମ କରୁଥିବା ବେଳେ ଯୋଗୀ ନିଜର ଦୁଇ ସାନଭାଇଙ୍କୁ ନେଇ କେତେବେଳେ ମାଛ ଧରନ୍ତି ତ ଆଉ କେତେବେଳେ ଶଙ୍ଖମାଳି ଓ ଏକ ସଫଳ ଲାଇଫ ଗାର୍ଡ ହେବା ପାଇଁ ଅନବରତ ପ୍ରୟାସ କରନ୍ତି । ତେବେ ଦିବ୍ୟାଙ୍ଗଙ୍କ ପାଇଁ ଅନେକ ଯୋଜନା ସରକାରଙ୍କ ପକ୍ଷରୁ ହୋଇଥିବା ବେଳେ କେବଳ ଭତ୍ତା ବ୍ୟତୀତ ଅନ୍ୟ କୌଣସି ଯୋଜନାରେ ତାଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇନାହିଁ  । ଯାହାକି ଦୁର୍ଭାଗ୍ୟଜନକ ଓ ବିଡମ୍ବନାର ବିଷୟ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି ।

ଦିବ୍ୟାଙ୍ଗ ସତ୍ୱେ ସମୁଦ୍ରରେ ଦୁଃସାହସିକ ପଦକ୍ଷେପ ସହ ନିଜ ଜୀବନକୁ ବାଜି ଲଗାଇ ଜୀବନ ରକ୍ଷା କରୁଥୁବା ଏଭଳି ଏକ ବ୍ୟକ୍ତିତ୍ୱ ଅଣଦେଖା ହୋଇ ରହିଯାଇଛନ୍ତି । ଏଭଳି ବ୍ୟକ୍ତିତ୍ୱଙ୍କୁ ଉତ୍ସାହିତ କରିବା ସହ ସହଯୋଗର ହାତ ବଢାଇବା ପାଇଁ ସାଧାରଣରେ ଦାବି ହୋଇଛି । ସମୁଦ୍ରରେ ସାଧାରଣ ଲୋକଙ୍କ ଭଳି ସନ୍ତରଣ କରି ବୁଡ଼ିଯାଉଥିବା ଦୁର୍ମୁଲ୍ୟ ଜୀବନକୁ  କୌଶଳ କ୍ରମେ ବଂଚାଉଥିବା ଯୋଗୀଙ୍କୁ ଲାଇଫଗାର୍ଡରେ ନିୟୋଜିତ କରିବାକୁ ଲାଇଫଗାର୍ଡ଼ ଆସୋସିଏସନ ପକ୍ଷରୁ ମଧ୍ୟ ଦାବି କରାଯାଇଛି  ।

Leave a Reply