ବିକଳ୍ପ ମୂଲ୍ୟାୟନ ଜରିଆରେ ଅଗଷ୍ଟ ଶେଷ ସୁଦ୍ଧା ରେଜଲ୍ଟ

ଭୁବନେଶ୍ୱର: ଯୁକ୍ତ ୩ ଷଷ୍ଠ ସେମିଷ୍ଟାର ପରୀକ୍ଷା ନେଇ ଛିଡ଼ିଲା ଅଙ୍କ । ବାତିଲ ହେଲା ପିଜି ଓ ଯୁକ୍ତ ତିନି ଷଷ୍ଠ ସେମିଷ୍ଟାରର ସମସ୍ତ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷା। ଏନେଇ ଆଜି ଲୋକସେବା ଭବନରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଭିଡିଓ କନଫରେନସିଂ ଜରିଆରେ ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କ ବୈଠକ ନେଇଥିଲେ।

ଏଥିରେ ପରୀକ୍ଷା ନେଇ ମତାମତ ନିଆଯାଇଥିଲା। କରୋନା ସମୟରେ ଅସୁରକ୍ଷିତ ବାତାବରଣରେ ପରୀକ୍ଷା ନ କରିବାକୁ ଛାତ୍ରଛାତ୍ରୀଙ୍କ ଦାବିକୁ ଯଥାର୍ଥ ବୋଲି ମତାମତ ଦେଇଥିଲେ କୁଳପତି ଓ ଅଧ୍ୟକ୍ଷ। ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜମାନେ ୟୁଜିସି ସୁପାରିସ ଅନୁସାରେ ବିକଳ୍ପ ମୂଲ୍ୟାୟନ ଜରିଆରେ ଅଗଷ୍ଟ ଶେଷ ସୁଦ୍ଧା ଫଳାଫଳ ପ୍ରକାଶ କରିବେ।

ଏଥିରେ ପ୍ରତ୍ୟେକ ବିଷୟ ପାଇଁ ଓ୍ୱେଟେଜ ଅନୁସାରେ ଇଣ୍ଟରନାଲ ମାର୍କ ଓ ବାକି ଓ୍ୱେଟେଜକୁ ପୂର୍ବର ସେମିଷ୍ଟାରର ଆଭରେଜ ମାର୍କ ଅନୁଯାୟୀ ମାର୍କିଂ କରାଯିବ। ତେବେ ଯଦି ପୂର୍ବ ସେମିଷ୍ଟାର ଅପେକ୍ଷା ଅଧିକ ମାର୍କ ପାଇବାକୁ ଆଶା ରଖିଛନ୍ତି ଛାତ୍ରଛାତ୍ରୀ, ସେମାନେ ନଭେମ୍ବରରେ ପରୀକ୍ଷା ଦେଇ ଡିସେମ୍ବରରେ ଫଳାଫଳ ପାଇବେ।

ଯେଉଁ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତରେ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷା ସରିଛି, ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ। ବ୍ୟାକ୍‌ ପେପର ପରୀକ୍ଷା ବାତିଲ କରାଯିବ। ପ୍ରୋପରସନେଟ୍‌ କୋସେଣ୍ଟ ପାଇଁ ଅନ୍ୟ ପଦ୍ଧତିରେ ସେହି ବିଷୟର ମୂଲ୍ୟାୟନ କରାଯିବ। ହେଲେ ଦୁଇରୁ ଅଧିକ ବିଷୟରେ ବ୍ୟାକ୍‌ ଥିଲେ, ପରୀକ୍ଷା ଦେବାକୁ ପଡ଼ିବ। ଯାହା ତାରିଖ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜ ନିର୍ଦ୍ଧାରଣ କରିବେ।

Leave a Reply