ସେନା ବିରୋଧରେ ମନ୍ତବ୍ୟ ଦେଇ ଫସିଲେ ଜେଏନୟୁ ଛାତ୍ର, ଦିଲ୍ଲୀ ପୋଲିସ୍ ନିଜ ଆଡୁ ମାମଲା ଦାୟର କଲା…..

ଦେଶ ତଥା ସେନା ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଦିଲ୍ଲୀ ପୋଲିସ୍ ଜଣେ ଜେଏନୟୁ ଛାତ୍ରଙ୍କ ବିରୋଧରେ ମାମଲା ଦାୟର କରିଛି । ଦିଲ୍ଲୀ ପୋଲିସର କହିବା ଅନୁଯାୟୀ ସେ ସେନା ଓ ଆରଏସଏସ ବିରୋଧରେ ଉତ୍ତେଜନାମୂଳକ ମନ୍ତବ୍ୟ ରଖୁଥିଲେ । କାଶ୍ମୀରରେ ସେନା ନରସଂହାର କରୁଥିବା ଅଭିଯୋଗ ଆଣି ସରକାର ହିଂସାକୁ ପ୍ରୋତ୍ସାହନ ଦେଉଥିବା କହିଥିଲେ । ଛାତ୍ର ଜଣଙ୍କର ନାମ ସଜିଦ୍ ବିନ୍ ସଇଦ୍ । ତେବେ ଏବେ ମାମଲା ରୁଜୁ ହେବା ପରେ ଦିଲ୍ଲୀ ପୋଲିସ୍ ଖୁବ୍ ଶୀଘ୍ର ସଇଦଙ୍କୁ ପଚରାଉଚରା କରିପାରିବ ।
ସେ ନିଜ ଟ୍ୱିଟରରେ ପୋଷ୍ଟ କରି ଲେଖିଥିଲେ ଯେ କାଶ୍ମୀରରେ ଆରଏସଏସ ଦ୍ୱାରା ପ୍ରସ୍ତୁତ ସେନା ନରସଂହାର କରୁଛି । ଭାଜପା ସରକାରଙ୍କର କ୍ଷେତ୍ର ବିସ୍ତାରକୁ ନେଇ ଥିବା ଲୋଭକୁ କମାଇବା ଉଚିତ୍ ଓ କାଶ୍ମୀର ଜନସାଧାରଣଙ୍କୁ ସେମାନଙ୍କ ନିଷ୍ପତ୍ତି ନିଜସ୍ୱ ଭାବେ ନେବା ପାଇଁ ଅନୁମତି ଦେବା ଆବଶ୍ୟକ । ସେହିଭଳି ସଂଯୁକ୍ତ ରାଷ୍ଟ୍ର ଓ ଅନ୍ୟ ଆନ୍ତର୍ଜାତିକ ସଂସ୍ଥା ମଧ୍ୟ ସ୍ୱୟଂଶାସିତ କାଶ୍ମୀର ସପକ୍ଷରେ ଯୁକ୍ତି ଉପସ୍ଥାପନ କରୁଛନ୍ତି ଏଣୁ ଏନେଇ ଆନ୍ତର୍ଜାତିକ ସଂସ୍ଥା ଯୁକ୍ତି ଉପସ୍ଥାପନ କରିବା ପାଇଁ ଏହା ପ୍ରଯୁଜ୍ୟ ସମୟ ।
ଉଲ୍ଲେଖଯୋଗ୍ୟ ଯେ, ସେ ଏବେ କ୍ୟାମ୍ପସ୍ ଫ୍ରଣ୍ଟ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଭାବେ ନିଯୁକ୍ତ ଅଛନ୍ତି । ତେବେ ଜାମିଆ ମିଲିଆ ଇସଲାମିଆ ହିଂସା ଓ ଦଙ୍ଗା ଘଟଣାରେ ମଧ୍ୟ ତାଙ୍କର ସଂପୃକ୍ତି ରହିଥିଲା । କ୍ରମାଗତ ଭାବେ ସାମ୍ପ୍ରଦାୟିକ ହିଂସାକୁ ଉସକାଇବାରେ ସେ ସକ୍ରିୟ ରହୁଛନ୍ତି । ସଜିଦଙ୍କ ବିରୋଧରେ ଦିଲ୍ଲୀ, ଉତ୍ତରପ୍ରଦେଶ ସମେତ ୫ ରାଜ୍ୟରେ ରାଜଦ୍ରୋହ ଅପରାଧ ମାମଲା ଦାୟର ଅଛି ।