ଆଗାମୀ ୫ ବର୍ଷରେ ପେଟ୍ରୋଲର ବ୍ୟବହାର ଶେଷ ହୋଇଯିବ: ନୀତିନ ଗଡ଼କରୀ

1 min read

ମୁମ୍ବାଇ: ଦେଶରେ ଗୋଟିଏ ପଟେ ପେଟ୍ରୋଲ ଡିଜେଲ ମୂଲ୍ୟରେ ବୃଦ୍ଧି ମଧ୍ୟରେ କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି  । ସେ କହିଛନ୍ତି, ଆଗାମୀ ୫ ବର୍ଷରେ ଦେଶରୁ ପେଟ୍ରୋଲ ଯୁଗ ଶେଷ ହୋଇଯିବ । ଏହି କାରଣରୁ ଜୀବାଶ୍ମ ଇନ୍ଧନ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯିବ । ନୀତିନ ଗଡ଼କରୀ ଗୁରୁବାର ମହାରାଷ୍ଟ୍ରର ଅକୋଲାରେ ଡା. ପଞ୍ଜାବରାଓ ଦେଶମୁଖ କୃଷି ବିଶ୍ୱବିଦ୍ୟାଳୟର ୩୬ତମ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ  । ତାଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟର ଅଫ୍ ସାଇନ୍ସ ଉପାଧିରେ ସମ୍ନାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୂଳାଧିପତି ଭଗତ ସିଂହ କୋଶ୍ୟାରୀ ମଧ୍ୟ ସାମିଲ ଥିଲେ ।

ଏହି ଅବସରରେ ନୀତିନ କହିଥିଲେ, ବିଧର୍ଭରେ ପ୍ରସ୍ତୁତ ବାୟୋ-ଇଥାନଲର ବ୍ୟବହାର ଗାଡିରେ କରାଯାଉଛି । ଗ୍ରୀନ ହାଇଡ୍ରୋଜେନକୁ କୂଅ ପାଣିରୁ ପ୍ରସ୍ତୁତ କରାଯାଇପାରିବ । ଏହାକୁ ୭୦ ଟଙ୍କା ପ୍ରତି ଲିଟରରେ ବିକ୍ରୀ କରାଯାଇପାରିବ । ପେଟ୍ରୋଲର ବିକଳ୍ପ ଭାବେ ଏହାର ବହୁଳମାତ୍ରାରେ ବ୍ୟବହାର କରାଯିବ  । ଆଗାମୀ ୫ ବର୍ଷରେ ଦେଶରୁ ପେଟ୍ରୋଲ ଶେଷ ହୋଇଯିବ । ସେ କହିଛନ୍ତି, ଗହମ, ଚାଉଳ, ମକ୍କା ଚାଷ କରି କୌଣସି କୃଷକ ଭବିଷ୍ୟତ ବଦଳାଇ ପାରିବନାହିଁ  । କୃଷକ କେବଳ ଅନ୍ନଦାତା ନହୋଇ ଶକ୍ତିଦାତା ମଧ୍ୟ ହେବା ଆବଶ୍ୟକ । ଗଡକରୀ ଆଗକୁ କହିଥିଲେ, ଇଥାନଲକୁ ନେଇ ଏକ ନିଷ୍ପତ୍ତି ଦ୍ୱାରା ଦେଶକୁ ୨୦ ହଜାର କୋଟି ଟଙ୍କାର ସେଭିଙ୍ଗ ହୋଇଛି । ନିକଟ ଭବିଷ୍ୟତରେ ଦୁଇଚକିଆ ଏବଂ ଚାରି ଚକିଆ ଗାଡି ଗ୍ରୀନ ହାଇଡ୍ରୋଜେନ, ଇଥାନଲ ଏବଂ ସିଏନଜି ଦ୍ୱାରା ଚାଲିବ  । ଧୀରେ ଧୀରେ ପେଟ୍ରୋଲର ବ୍ୟବହାର କମ୍ କରାଯିବ  । ଇଥାନଲ, ଗ୍ରୀନ ହାଇଡ୍ରୋଜେନ ଏବଂ ସିଏନଜି ବ୍ୟବହାର ପେଟ୍ରୋଲ ଅପେକ୍ଷା ଅଧିକ ଲାଭଦାୟକ ସାବ୍ୟସ୍ଥ ହେବ  । ପ୍ରଦୂଷଣର ମାତ୍ରା କମିବା ସହ ଏହା ଶସ୍ତା ରହିବ ବୋଲି ସେ କହିଛନ୍ତି  ।