ଭାରତର ଏକ ଲିଟର ପେଟ୍ରୋଲ ଦାମ ଯେତିକି,ପାକିସ୍ତାନରେ ଦୁଇ ଲିଟର ତେଲର ମୂଲ୍ୟ ସେତିକି !

ଜୁନ୍ ୨୦୧୦ର ତତ୍କାଳୀନ ୟୁପିଏ ସରକାର ପେଟ୍ରୋଲ ଦାମ ତୈଳ କଂପାନୀ ନିର୍ଦ୍ଧାରିତ କରିବେ ବୋଲି ନିଷ୍ପତି ନେଇଥିଲେ । ଏହା ପରେ ୨୦୧୪ରେ ଡିଜେଲ ଦର ନିର୍ଦ୍ଧାରଣ କ୍ଷମତା ମଧ୍ୟ ପେଟ୍ରୋଲିୟମ କଂପାନୀଙ୍କୁ ଦିଆଗଲା । ଏପ୍ରିଲ ୨୦୧୭ରେ ଦୈନିକ ପେଟ୍ରୋଲ ଓ ଡିଜେଲ ଦର ନିର୍ଦ୍ଧାରଣ କରିବାକୁ ମୋଦି  ସରକାର ନିଷ୍ପତ୍ତି ନେଇଥିଲେ । ଏହାପରଠାରୁ ଦୈନିକ ତୈଳ ଦର ନିର୍ଧାରିତ ହେବାକୁ ଲାଗିଲା । ସରକାରଙ୍କ ଯୁକ୍ତି ଥିଲା ଯେ, ଏହାଦ୍ୱାରା ଉଭୟ ଗ୍ରାହକ ଓ କଂପାନୀଙ୍କର ଲାଭ ହେବ । ତେବେ ଏହାଦ୍ୱାରା  ଗ୍ରାହକଙ୍କୁ କିଛି ଅଧିକ ଫାଇଦା ମିଳିନଥିଲା । କିନ୍ତୁ ତୈଳ କଂପାନୀ ଲାଭ ଉପରେ ଲାଭ କମାଉଛନ୍ତି ।

ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳମୂଲ୍ୟ କମିବାରେ ଲାଗିଲା,ସେତେବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଟ୍ୟାକ୍ସ ବଢାଇ ନିଜ ରାଜସ୍ୱ ବଢାଇଥିଲେ । ଫଳରେ ଲୋକଙ୍କ ପାଖରେ ଲାଭ ପହଞ୍ଚି ପାରିନଥିଲା । ଏବେ ଯେତେବେଳେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି ସେତେବେଳେ ସରକାର ଟ୍ୟାକ୍ସ କମ କରୁନାହାନ୍ତି । ତୈଳ କଂପାନୀ ନିଜ ଲାଭ କମ କରିବା କଥା ମଧ୍ୟ ଚିନ୍ତା କରୁନାହାନ୍ତି । ଏମିତିରେ ଗ୍ରାହକ ପକେଟ୍ ଉପରେ ତୈଳ ଦର ବୃଦ୍ଧିର ପ୍ରଭାବ ଜୋରଦାର ହୋଇଛି । ବିଶ୍ୱରେ ଯଦି କୌଣସି ଦେଶରେ ପେଟ୍ରୋଲ ଓ ଡିଜେଲ ଉପରେ ସର୍ବାଧିକ କର ଆଦାୟ କରାଯାଉଥାଏ ତେବେ ସେହି ଦେଶ ହେଉଛି ଭାରତ ।

ଏହି କଥା ଆମେ ଏମିତି ଖାଲି ହାୱାରେ କହୁନାହୁଁ । ଆସନ୍ତୁ ପରିସଂଖ୍ୟନରୁ ଏହାକୁ ବୁଝିବା । ଜାଣିବା ଅଶୋଧିତ ତୈଳ ବା କ୍ରୁଡ୍ ଅଏଲର ଦାମ କମ ହେବା ପରେ ମଧ୍ୟ ଭାରତରେ କାହିଁକି ତୈଳ ଦର କମୁନାହିଁ । କେନ୍ଦ୍ର କେମିତି ପେଟ୍ରୋଲ ଦର ବୃଦ୍ଧି ପାଇଁ ଦାୟୀ ? କେନ୍ଦ୍ର ସରକାର ପେଟ୍ରୋଲ ଉପରେ କେତେ ଟ୍ୟାକ୍ସ ନିଅନ୍ତି ? ଦୁନିଆର କେଉଁ ଦେଶରେ ପେଟ୍ରୋଲ ଦର ମହଙ୍ଗା ଓ କେଉଁଠି ଶସ୍ତା ? ତୈଳ କଂପାନୀ ଏବେ କେତେ ଲାଭ କମାଉଛନ୍ତି ?

ପ୍ରଥମେ ଅଶୋଧିତ ତୈଳଦର କଥା ଆଲୋଚନା ହେଉ ..

  • ଭାରତ ତାହାର ତୈଳ ଚାହିଦା ପୁରଣ କରିବା ପାଇଁ ୮୫ ପ୍ରତିଶତ ବିଦେଶରୁ ଆମଦାନୀ କରିଥାଏ । ଅଶୋଧିତ ତୈଳ ବ୍ୟାରେଲରେ ଆସିଥାଏ । ଗୋଟିଏ ବ୍ୟାରେଲର ଥାଏ ୫୯ ଲିଟର ପେଟ୍ରୋଲ ।
  • ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ୍ ଏନାଲିସିସ୍ ସେଲ୍ ଅନୁସାରେ ୧୪ ଡିସେମ୍ବର ଦିନ ଅଶୋଧିତ ତୈଳ ବ୍ୟାରେଲ ପିଛା ଥିଲା ୩ ହଜାର ୭୦୫ ଟଙ୍କା । ଅର୍ଥାତ ଏକ ଲିଟର ଅଶୋଧିତ ତୈଳ ମୂଲ୍ୟ ଥିଲା ୨୩ ଟଙ୍କା ୩୦ ପଇସା । ମାନେ ଏକ ଲିଟର ମିନେରାଲ ୱାଟରଠାରୁ ୩ ଟଙ୍କା ୩୦ ପାଇସା ଅଧିକ ।

ଅଶୋଧିତ ତୈଳ ଶସ୍ତା ତ’ ପେଟ୍ରୋଲ ଡିଜେଲ ମହଙ୍ଗା କାହିଁକି ?

  • ପ୍ରଥମେ ଅଶୋଧିତ ତୈଳ ବିଦେଶରୁ ଆସି ରିଫାଇନାରିକୁ ଯାଏ । ସେଠାରୁ ପେଟ୍ରୋଲ ଓ ଡିଜେଲକୁ ଅଲଗା କରାଯାଏ । ଏହା ପରେ ତୈଳ କଂପାନୀଙ୍କ ପାଖକୁ ଯାଏ । ତୈଳ କଂପାନୀ ନିଜ ଲାଭ ରଖି ପେଟ୍ରୋଲ ପମ୍ପକୁ ତେଲ ପଠାନ୍ତି ।
  • ପେଟ୍ରୋଲ ପମ୍ପକୁ ଆସିବା ପରେ ମାଲିକ ନିଜ କମିଶନ ରଖି ତେଲ ବିକ୍ରୀ କରନ୍ତି । ଏହି କମିଶନକୁ ତୈଳ କଂପାନୀ ନିର୍ଧାରଣ କରନ୍ତି । ଏହା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଟ୍ୟାକ୍ସକୁ ଯୋଡାଯାଏ । କମିଶନ୍,ଟ୍ୟାକ୍ସ ମିଶିବା ପରେ ଆମ ପାଖରେ ତେଲ ପହଂଚିଥାଏ ।

ତେବେ ଦର ଏତେ ବଢିଯାଏ କେମିତି ?

  • ଏହାର କାରଣ ହେଉଛି ଟ୍ୟାକ୍ସ । କେନ୍ଦ୍ର ପେଟ୍ରୋଲ ଉପରେ ଏକ୍ସସାଇଜ୍ ଡ୍ୟୁଟି ଲାଗୁ କରିଥାଏ । ଚଳିତ ବର୍ଷ ମେ ମାସରେ କେନ୍ଦ୍ର ଏକ୍ସସାଇଜ୍ ଡ୍ୟୁଟି ବଢାଇଥିଲା । ବର୍ତ୍ତମାନ ପେଟ୍ରୋଲ ଉପରେ ଲିଟର ପିଛା ୩୨.୯୮ ଟଙ୍କା ରହିଥିବା ବେଳେ ଡିଜେଲ ଉପରେ ରହିଛି ୩୧ ଟଙ୍କା ୮୩ ପଇସା ।
  • ମେ ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ବେଳେ ପେଟ୍ରୋଲ ଲିଟର ପିଛା ଏକ୍ସସାଇଜ୍ ଡ୍ୟୁଟି ୯ଟଙ୍କା ୪୮ ପଇସା ଓ ଡିଜେଲ ପିଛା ୩.୫୬ ପଇସା ଥିଲା । ମେ ୨୦୧୪ଠାରୁ ଡିସେମ୍ବର ୨୦୨୦ ଭିତରେ ମୋଦି ସରକାର ଅମଳରେ ୧୩ ଥର ଏକ୍ସସାଇଜ୍ ଡ୍ୟୁଟି ବଢିଥିବା ବେଳେ ମାତ୍ର ତିନି ଥର କମିଛି । ଏହା ହେଉଛି ପେଟ୍ରୋଲ ଦର ବଢିବାର ପ୍ରମ୍ମୁଖ କାରଣ ।
  • ଏହା ପରେ ରାଜ୍ୟ ସରକାରଙ୍କ ପାଳି ପଡେ । କେନ୍ଦ୍ର ଏକ୍ସସାଇଜ୍ ଡ୍ୟୁଟିରୁ ଲାଭ କରେ । ରାଜ୍ୟ ଭ୍ୟାଲୁ ଆଡେଡ୍ ଟ୍ୟାକ୍ସ ବା ଭ୍ୟାଟ୍ ଲାଗୁ କରି ନିଜ ରାଜସ୍ୱ ବଢାନ୍ତି ।
  • ବିଭିନ୍ନ ରାଜ୍ୟ ଅନ୍ୟ ପ୍ରକାରର ଟ୍ୟାକ୍ସ ଲଗାଇଥାନ୍ତି ।ଯେମିତିକି ଗ୍ରୀନ୍ ଟ୍ୟାକ୍ସ,ଏମ୍ପ୍ଲୟମେଣ୍ଟ୍ ସେସ୍ ଆଦି

ଏବେ ଆସନ୍ତୁ ଜାଣିବା ଦେଶରେ ପେଟ୍ରୋଲ ଓ ଡିଜେଲ ଉପରେ କେତେ ଟ୍ୟାକ୍ସ ଲାଗିଥାଏ..

ପେଟ୍ରୋଲ ଓ ଡିଜେଲର ବେସ ପ୍ରାଇସ୍ ରହିଥାଏ । ଟ୍ୟାକ୍ସ ଲାଗିବା ପରେ ଏହା ଗ୍ରାହକଙ୍କ ପାଖକୁ ଆସିଥାଏ ।  ତେବେ କ’ଣ ଆପଣ ଜାଣିଛନ୍ତି ବିଶ୍ୱରେ ପେଟ୍ରୋଲ ଓ ଡିଜେଲ ଉପରେ ଭାରତରେ ସର୍ବାଧିକ ଟ୍ୟାକ୍ସ ଲାଗୁ ହୋଇଥାଏ ? ଡିସେମ୍ବର ୧ ତାରିଖ ଦିନ ଦିଲ୍ଲୀରେ ପେଟ୍ରୋଲର ବେସ୍ ପ୍ରାଇସ୍ ଥିଲା ୨୬.୩୪ ପଇସା । କିନ୍ତୁ ଗ୍ରାହକଙ୍କୁ ଦେବାକୁ ପଡୁଥିଲା ୮୨.୩୪ ପଇସା । ଅର୍ଥାତ ଟ୍ୟାକ୍ସ ଥିଲା ୬୮ ପ୍ରତିଶତ । ସେହିଭଳି ଡିଜେଲ ଉପରେ ଟ୍ୟାକ୍ସ ଥିଲା ୬୩ ପ୍ରତିଶତ । ଡିଜେଲ ବେସ୍ ପ୍ରାଇସ୍ ୨୭ଟଙ୍କା ଥିବା ବେଳେ ଗ୍ରାହକଙ୍କ ପାଖରେ ପଂହଚିବା ବେଳକୁ ଏହା ଥିଲା ୭୨ ଟଙ୍କା ୪୨ ପଇସା । ଅନ୍ୟପକ୍ଷରେ ବିକଶିତ ଦେଶରେ ଏତେ ଅଧିକ ଟ୍ୟାକ୍ସ ନିଆ ଯାଇ ନଥାଏ । ଆମେରିକାରେ ତୈଳ ଟ୍ୟାକ୍ସ ୧୯ ପ୍ରତିଶତ ହୋଇଥିବା ବେଳେ ବ୍ରିଟେନରେ ଏହା ହେଉଛି ୨୨ ପ୍ରତିଶତ ।

ତୈଳ କମ୍ପାନୀଙ୍କ ଲାଭ କେତେ ?

ଟ୍ୟାକ୍ସ  ବୃଦ୍ଧି କାରଣରୁ ଚଳିତ ବର୍ଷ ସେପ୍ଟେମ୍ବର ତ୍ରୟ ମାସରେ ସରକାର ୧୮ ହଜାର କୋଟିରୁ ଅଧିକ ଏକ୍ସସାଇଜ୍ ଡ୍ୟୁଟି ଭାବେ ପାଇଛନ୍ତି ।  ଦେଶର ତିନି ବଡ ତୈଳ କଂପାନୀ ୧୧ ହଜାର କୋଟିର ଲାଭ କରିଛନ୍ତି । ଇଣ୍ଡିଆନ୍ ଅଏଲ ଏହି ଅବଧିରେ ୬ ହଜାର ୨୨୭ କୋଟି ଟଙ୍କା ଲାଭ କରିଛି । ଅନ୍ୟପକ୍ଷରେ ହିନ୍ଦୁସ୍ତାନ ପେଟ୍ରୋଲିୟମ ୨ ହଜାର ୪୭୭କୋଟି ଟଙ୍କା ଲାଭ କରିଛି । ଇଣ୍ଡିଆନ୍ ଅଏଲ ୧୦୦୫ ଗୁଣ ଲାଭ କରିଥିବା ବେଳେ ହିନ୍ଦୁସ୍ତାନ ପେଟ୍ରୋଲିୟମ ୧୦୫ ଗୁଣ ଲାଭ କମାଇଛି ।

ଭାରତର ପଡୋଷୀ ଦେଶରେ ପେଟ୍ରୋଲ ଦର କେତେ ?

ଭାରତରେ ଆପଣ ଯେତିକି ଟଙ୍କାରେ ଏକ ଲିଟର ପେଟ୍ରୋଲ କିଣୁଛନ୍ତି ସେତିକି ଟଙ୍କାରେ ପାକିସ୍ତାନରେ ଦୁଇ ଲିଟର ପେଟ୍ରୋଲ କିଣି ପାରିବେ । ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ୪୬ ଟଙ୍କା ଥିବା ବେଳେ ଭୁଟାନରେ ୪୯ ଟଙ୍କା ରହିଛି । ଭେନେଜୁଏଲାରେ ପେଟ୍ରୋଲ ଲିଟର ପିଛା ୧.୫୦ ପଇସା ହୋଇଥିବା ବେଳେ ହଂକଂରେ ଲିଟର ପିଛା ୧୬୮ ଟଙ୍କା ।

 

 

Leave a Reply