ରେକର୍ଡ ଅତିକ୍ରମ କରୁଛି ତୈଳ ଦର, ଭୁବନେଶ୍ୱରରେ ପେଟ୍ରୋଲ ୮୬ ଟଙ୍କା ୩୮ ପଇସା

ଭୁବନେଶ୍ୱର: ସର୍ବକାଳୀନ ରେକର୍ଡରେ ପହଞ୍ଚିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା 86 ଟଙ୍କା 38 ପଇସା ଥିବା ବେଳେ ଡିଜେଲ ଲିଟର ପିଛା 82 ଟଙ୍କା 68 ପଇସାରେ ପହଁଚିଛି। ରାଜ୍ୟରେ ମାଲକାନଗିରିରେ ସବୁ ରେକର୍ଡ ଭାଙ୍ଗିଛି ତେଲଦର । ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା 91ଟଙ୍କା 42 ପଇସା ଓ ଡିଜେଲ ଲିଟର ପିଛା 87 ଟଙ୍କା 56 ପଇସାରେ ପହଞ୍ଚିଛି । ୨୦୨୦ ମେ’ ମାସ ଠାରୁ ଏପର୍ଯ୍ୟନ୍ତ ପେଟ୍ରୋଲ ଦର ଲିଟର ପିଛା ପାଖାପାଖି 16 ଟଙ୍କା ଏବଂ ଡିଜେଲ 13 ଟଙ୍କା ବଢ଼ିଛି ।

ଦିଲ୍ଲୀରେ ଗତ ଶନିବାର ଲିଟର ପିଛା ପେଟ୍ରୋଲ ଦର ୨୫ ପଇସା ବୃଦ୍ଧି ପାଇ ୮୫ ଟଙ୍କା ୭୦ ପଇସାରେ ପହଞ୍ଚିଛି । ଏଠାରେ ଡିଜେଲ ରହିଛି ୭୫ ଟଙ୍କା ୮୮ ପଇସା । ସେହିଭଳି ମୁମ୍ବାଇରେ ମଧ୍ୟ ଏହି ଦର ୯୨ ଟଙ୍କା ୨୮ ପଇସା ହୋଇଛି । ଚଳିତ ସପ୍ତାରେ ତୈଳଦର ଚତୁର୍ଥଥର ପାଇଁ ବଢ଼ିଛି । ଲିଟର ପିଛା ହାରାହାରି ଏହା ବଢ଼ିଛି ଏକ ଟଙ୍କା । ତୈଳଦର ବୃଦ୍ଧି ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ଘଟୁଛି ।

ଅନ୍ତର୍ଜାତୀୟ ବଜାରରେ କଞ୍ଚାତେଲର ଦାମ ବୃଦ୍ଧି ଫଳରେ ଏହା ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିଛି । କରୋନା ସମୟରେ ଅନ୍ତର୍ଜାତୀୟ ବଜାର ସାଙ୍ଗକୁ ଦେଶରେ ତୈଳ ବିକ୍ରି କମିଥିଲା। ଏହାର ଭରଣା ପାଇଁ ସରକାର ମଧ୍ୟ ଟିକସ ବଢାଇଥିଲେ । ଅନ୍ତର୍ଜାତୀୟ ବଜାରରେ ତୈଳ କମ୍ପାନୀମାନେ ମଧ୍ୟ ଦର ବୃଦ୍ଧି କରିଛନ୍ତି। ଫଳରେ ତୈଳଦର ଏବେ ବୃଦ୍ଧି ଘଟୁଥିବା କୁହାଯାଉଛି ।

Leave a Reply