କେନ୍ଦ୍ର ସରକାରଙ୍କ ପରେ ବିଭିନ୍ନ ରାଜ୍ୟ ସରକାର ଦେଲେ ପେଟ୍ରୋଲ-ଡିଜେଲ ଉପରେ ଆଶ୍ବସ୍ତି

3 min read

ନୂଆଦିଲ୍ଲୀ: ଦୀପାବଳିରେ ସାଧାରଣ ଲୋକଙ୍କୁ ଗିପ୍ଟ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲ-ଡିଜେଲ ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଥିଲା । ତେବେ ଏ ଭିତରେ କେନ୍ଦ୍ର ସରକାର ଗତକାଲି ଏହାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ଦୀପାବଳିର ପୂର୍ବ ସନ୍ଧ୍ୟାରୁ କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଛନ୍ତି । ଆସନ୍ତା କାଲିଠାରୁ ପେଟ୍ରୋଲରେ ପ୍ରତି ଲିଟର ପିଛା ୫ ଟଙ୍କା କମିଥିବା ବେଳେ ଡିଜେଲରେ ପ୍ରତି ଲିଟର ପିଛା ୧୦ ଟଙ୍କା ହ୍ରାସ ପାଇଛି । କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟି କମ୍ କରିଥିବାବେଳେ କିଛି ରାଜ୍ୟ ମଧ୍ୟ ଭାଟ୍ ହ୍ରାସ କରିଛନ୍ତି । ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବା ରାଜ୍ୟ ଉତ୍ତରପ୍ରଦେଶ, ଗୋଆ ସମେତ ବିହାର, ଆସାମ, ତ୍ରିପୁରା, ମଣିପୁର ଏବଂ କର୍ଣ୍ଣାଟକ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ କରିଛନ୍ତି । ଉତ୍ତରପ୍ରଦେଶ ଓ ଗୋଆ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ସବୁଠୁ ଅଧିକ ଭାଟ୍ ଛାଡିଥିବାବେଳେ ବିହାର ସବୁଠୁ କମ୍ ଭାଟ୍ ହ୍ରାସ କରିଛି । ୟୁପି ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୧୨ ଟଙ୍କା ହ୍ରାସ କରିବା ପାଇଁ ଘୋଷଣା କରିଛନ୍ତି । ଗୋଆ ସରକାର ମଧ୍ୟ ପେଟ୍ରୋଲ-ଡିଜେଲ ଉପରୁ ଭାଟ୍ ହ୍ରାସ କରିବ ବୋଲି ଘୋଷଣା କରିଛି । ଏଥିସହ ଉତ୍ତରାଖଣ୍ଡ ଓ ସିକ୍କିମ ମଧ୍ୟ ପେଟ୍ରୋଲ-ଡିଜେଲ ଉପରୁ ଭାଟ୍ ହ୍ରାସ କରିବା ପାଇଁ ଘୋଷଣା କରିଛି ।  ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଟୁଇଟ କରି ପେଟ୍ରୋଲ-ଡିଜେଲ ଉପରୁ ୭ ଟଙ୍କା ଭାଟ୍ ହ୍ରାସ ହୋଇଛି ବୋଲି ଘୋଷଣା କରିଛନ୍ତି ।

ବିହାର ସରକାର ସବୁଠାରୁ କମ୍ ଭାଟ୍ ହ୍ରାସ କରିଛି । ବିହାର ସରକାର ପେଟ୍ରୋଲ ଲିଟର ପ୍ରତି ୧  ଟଙ୍କା ୩୦ ପଇସା କମ୍ କରିଥିବାବେଳେ ଡିଜେଲ ପ୍ରତି ଲିଟର ପିଛା ୧ ଟଙ୍କା ୯୦ ପଇସା କମ୍ କରିଛି । ବିହାର ପରେ ଆସାମ ସରକାର ମଧ୍ୟ ପେଟ୍ରୋଲ-ଡିଜେଲ ଶସ୍ତା କରିଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ପେଟ୍ରୋଲ-ଡିଜେଲରେ ପ୍ରତି ଲିଟରେ ୭ ଟଙ୍କା କମ୍ କରିଛନ୍ତି । ସେହିପରି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଟୁଇଟ କରି ପେଟ୍ରୋଲ-ଡିଜେଲ ପ୍ରତି ଲିଟରରେ ୭ ଟଙ୍କା କମ୍ କରିଛନ୍ତି ।

କର୍ଣ୍ଣାଟକ ସରକାର ମଧ୍ୟ ଉଭୟ ପେଟ୍ରୋଲ-ଡିଜେଲରେ ପ୍ରତି ଲିଟରରେ ୭ ଟଙ୍କା ହ୍ରାସ କରିଛନ୍ତି ।  ୭ ଟଙ୍କା ହ୍ରାସ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଟୁଇଟ କରି କହିଛନ୍ତି ।

ସେହିପରି ମଣିପୁର ସରକାର ମଧ୍ୟ ପେଟ୍ରୋଲ-ଡିଜେଲ ପ୍ରତି ଲିଟର ପିଛା ୭ ଟଙ୍କା କମ୍ କରିଛନ୍ତି । ଏନେଇ ମଣିପୁର ମୁଖ୍ୟମନ୍ତ୍ରୀ  ଏନ୍.ବିରେନ ସିଂ ଟୁଇଟ କରି କହିଛନ୍ତି ।

Leave a Reply