ଘରୋଇ ବଜାରରେ ଶସ୍ତା ହେବ ପେଟ୍ରୋଲ, ଡିଜେଲ ଏବଂ ବାୟୁ ଇନ୍ଧନ ଦର !

ନୂଆଦିଲ୍ଲୀ: ଏବେ ଶସ୍ତା ହେବ ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ଦର । ଗ୍ରାହକ ମାନଙ୍କୁ ବଡ଼ ଆଶ୍ବସ୍ତି । ଘରୋଇ ବଜାରରେ ପେଟ୍ରୋଲ,ଡିଜେଲ ଓ ବିମାନ ଇନ୍ଧନରେ ମୂଲ୍ୟ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । ଏଥର କମ୍ପାନୀ ଗୁଡ଼ିକୁ ରପ୍ତାନି ଉପରେ ଅଧିକ ଟିକସ ଦେବାକୁ ପଡ଼ିବ । ବିଶୋଧିତ ପେଟ୍ରୋଲ ଏବଂ ଡିଜେଲର ରପ୍ତାନୀ ହ୍ରାସ କରିବାକୁ ଏହି ପଦକ୍ଷେପ ନିଆଯାଇଛି ।

ଘରୋଇ ବଜାରକୁ ଇନ୍ଧନ ଯୋଗାଣକୁ ସୁଗମ ରଖିବା ଏବଂ ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ବିଜ୍ଞାପ୍ତି ଅନୁଯାୟୀ ଜୁଲାଇ ପହିଲାରୁ ପେଟ୍ରୋଲ, ଡିଜେଲ ଏବଂ ବିମାନ ଟର୍ବାଇନ ଇନ୍ଧନ (ଏଟିଏଫ) ରପ୍ତାନୀ ଉପରେ ଅତିରିକ୍ତ ଟିକସ ଦେବାକୁ ହେବ । ତୈଳ ବିଶୋଧନ କମ୍ପାନୀ ଗୁଡିକୁ ବର୍ତ୍ତମାନ ପେଟ୍ରୋଲ ଏବଂ ଏଫଟିଏଫରେ ଲିଟର ପିଛା ୬ଟଙ୍କା ଲେଖାଏଁ  ରପ୍ତାନି ଟିକସ ଦେବାକୁ ହେବ । ସେପଟେ ଡିଜେଲରେ ଲିଟର ପିଛା ୧୩ଟଙ୍କା ରପ୍ତାନି ଟିକସ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୁଚନା ଅନୁସାରେ, ଚଳିତ ମାସ ଆରମ୍ଭରେ ଦେଶର ଅନେକ ସ୍ଥାନରେ ପେଟ୍ରୋଲ ପମ୍ପରେ ଇନ୍ଧନର ଅଭାବ ଦେଖାଦେଇଥିଲା। ରିଫାଇନାରୀ କମ୍ପାନୀଗୁଡିକରୁ ପର୍ଯ୍ୟାପ୍ତ ଯୋଗାଣ ନାହିଁ ବୋଲି ପମ୍ପ ଡିଲରମାନେ କହିଛନ୍ତି । ସରକାର କହିଛନ୍ତି ଯେ, ଘରୋଇ କ୍ଷେତ୍ରର ରିଫାଇନାରୀ ଗୁଡିକ ସେମାନଙ୍କର ଅଧିକାଂଶ ଉତ୍ପାଦ ରପ୍ତାନି କରଥାନ୍ତି, ତେଣୁ ଏହି ନିଷ୍ପତ୍ତି ତାଙ୍କ ଉପରେ ସବୁଠାରୁ ବଡ ପ୍ରଭାବ ପକାଇବ |

ଯଦି ଦେଶରେ ଉତ୍ପାଦିତ ଅଶୋଧିତ ତୈଳ ବାହାରେ ରପ୍ତାନି ହୁଏ, ତେବେ କମ୍ପାନୀଗୁଡିକ ଟନ୍ ପିଛା ୨୩,୨୩୦ ଟଙ୍କା ଅତିରିକ୍ତ ଟିକସ ଦେବାକୁ ପଡିବ । ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଘରୋଇ ଉତ୍ପାଦନକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।