ଲିଟର ପିଛା ୫ରୁ ୭ ଟଙ୍କା କମିପାରେ ପେଟ୍ରୋଲ ଓ ଡିଜେଲ ଦର

ନନ୍ଦିଘୋଷ ବ୍ୟୁରୋ: ଆଗକୁ ନିର୍ବାଚନ। ଲିଟର ପିଛା ୫ରୁ ୭ ଟଙ୍କା କମିପାରେ ପେଟ୍ରୋଲ ଓ ଡିଜେଲ ଦର । ଏ ନେଇ ମିଳିଛି ସଙ୍କେତ । ଲଗାତାର ୨୨ ମାସ ଧରି ତୈଳ ଦର ଅପରିବର୍ତ୍ତିତ ରହିଛି । ଅଶୋଧିତ ତୈଳ ଦର କମ ଥିବା ସହ ଅୟଲ କମ୍ପାନୀ ଅପର୍ଯ୍ୟାପ୍ତ ଲାଭ କରିଥିଲେ ବି ଲୋକଙ୍କ ପାଇଁ ଶସ୍ତା କରିନାହାନ୍ତି । ଲାଭ ପରିମାଣ ଦେଖିଲେ ଲୋକଙ୍କୁ ମହଙ୍ଗା ମାଡ଼ରୁ ଆଶ୍ବସ୍ତ କରିବା ପାଇଁ ବେସ୍ ମୂଲ୍ୟରେ ହ୍ରାସ କରିବାକୁ ହୋଇଛି ଦାବି।

ସିଲିଣ୍ଡର ପିଛା ୧୦୦ ଟଙ୍କା କମିଲା ରନ୍ଧନ ଗ୍ୟାସ । ହେଲେ ୨୨ ମାସ ଧରି କମିନି ପେଟ୍ରୋଲ ଓ ଡିଜେଲ ଖୁଚୁରା ଦର । ଏବେ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ । ନିର୍ବାଚନ ଆଚରଣ ବିଧି ଲାଗୁ ହେବାକୁ ଆଉ ମାତ୍ର କିଛି ଦିନ ବାକି । ତା’ ପୂର୍ବରୁ ଲିଟର ପିଛା କେନ୍ଦ୍ର ସରକାର ଓ ତୈଳ ବିପଣନ କମ୍ପାନୀ ୫ରୁ ୭ ଟଙ୍କା ହ୍ରାସ କରିପାରନ୍ତି । ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ଯୋଗୁ ମୁଦ୍ରାସ୍ଫୀତି ଓ ଖାଦ୍ୟ ସାମଗ୍ରୀ ଦର ଚଢା ରହୁଛି । ଦର କମିବା ନେଇ ପେଟ୍ରୋଲିୟମ୍ ଓ ଡିଲର୍ସ ଆସୋସିଏସନ୍ ଆଶା ରଖିଛି । ଗତବର୍ଷ ଏପ୍ରିଲରୁ ଚଳିତବର୍ଷ ଫେବ୍ରୁଆରୀ ଭିତରେ ଅଶୋଧିତ ତୈଳ ଦର କମ୍ ଥିଲା ।

ସେ ସମୟରେ ତୈଳ ବିପଣନ କମ୍ପାନୀଗୁଡ଼ିକ ଲକ୍ଷାଧିକ କୋଟି ଲାଭ କଲେ । ଅଥଚ ଖୁଚୁରା ଦର କମାଇନାହାନ୍ତି । ଡାଇନାମିକ ପ୍ରାଇସ୍ ମେକାନିଜିମ୍‌କୁ ଅଚଳ କରିଦିଆଯାଇଛି । ଏବେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ୮୩ ଡଲାର ରହିଛି । ଏବେ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଲୋକଙ୍କୁ ମହଙ୍ଗା ମାଡ଼ରୁ ଆଶ୍ବସ୍ତି ଦେବା ପାଇଁ ଦର କମ୍ କରିବାର ସ୍ଥିତି ଅନୁକୂଳ ରହିଛି। ଉତ୍ପାଦ ଶୁଳ୍କ ନ କମାଇ ପେଟ୍ରୋଲ ଓ ଡିଜେଲ ବେସ୍ ମୂଲ୍ୟରେ ତୈଳ ବିପଣନ କମ୍ପାନୀ ଦର ହ୍ରାସ କରିବେ ବୋଲି ମତ ପ୍ରକାଶ ପାଇଛି ।

ଓଡ଼ିଶା ବଜାରରେ ପେଟ୍ରୋଲ ଲିଟର ୧୦୩ ଟଙ୍କା ୩୭ ପଇସା ଓ ଡିଜେଲ ଲିଟର ପିଛା ୯୪ ଟଙ୍କା ୮୬ ପଇସା ରହିଛି । ତୈଳ ଦର ଉଚ୍ଚା ଯୋଗୁ ଦେଶରେ ମୁଦ୍ରାସ୍ଫୀତି କମୁନି। ଏବେ କେବଳ ମହଙ୍ଗା ବଜାରରୁ ଲୋକଙ୍କୁ ଆଶ୍ବସ୍ତ କରିବା ପାଇଁ ଦର ହ୍ରାସ ହେବାର ସମ୍ଭାବନା ରହିଛି । ନିର୍ବାଚନ ବର୍ଷ ଥିବାରୁ  କେନ୍ଦ୍ର ସରକାର ଏହି ଜନପ୍ରିୟ ପଦକ୍ଷେପ ନେବାକୁ ମଧ୍ୟ ଭୁଲିବେନି । ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକରେ ୩ଟି ଯାକ ତୈଳ ବିପଣନ କମ୍ପାନୀଙ୍କ ଲାଭ ୭୮ ହଜାର କୋଟିରେ ପହଞ୍ଚିଛି । ଅଥଚ ଏହି ଲାଭ ଲୋକଙ୍କ ପାଖରେ ପହଞ୍ଚିନି । ଦୀର୍ଘ ଦିନରୁ ଅପେକ୍ଷା ରହିଛି – ପେଟ୍ରୋଲ ଓ ଡିଜେଲ ଦର କମିବା ନେଇ ।