ପୁଣି ବଢିପାରେ ପେଟ୍ରୋଲ-ଡିଜେଲର ଖୁଚୁରା ଦର

1 min read

ଭୁବନେଶ୍ବର: ପୁଣି ବଢିପାରେ ପେଟ୍ରୋଲ-ଡିଜେଲର ଖୁଚୁରା ଦର । ପୁଣି ମହଙ୍ଗା ହୋଇପାରେ ଖାଇବା ତେଲ । ଲୋହିତ ସାଗରରେ  ଅଶୋଧିତ ତୈଳ ନେଇ ଭାରତ ଆସୁଥିବା ଜାହାଜଙ୍କୁ ଲଗାତାର ଡ୍ରୋନ୍ ଆକ୍ରମଣ କରିଛନ୍ତି ହାଉଥି ଆତଙ୍କବାଦୀ । ଠିକଣା ସମୟରେ ତୈଳ ଆସିପାରୁନଥିବାରୁ ଇନ୍ଧନ ଜାତୀୟ ତେଲ ଓ ଖାଇବା ତେଲର ଦର ବୃଦ୍ଧି ହେବା ନେଇ ଆଶଂକା ଦେଖାଦେଲାଣି । ଗତ ୧୩ ଦିନ ଭିତରେ ଅଶୋଧିତ ତୈଳ ବ୍ୟାରେଲ୍ ୭୨ ଡଲାରରୁ ୭୯ ଡଲାରରେ ପହଞ୍ଚିଲାଣି । ଏମିତି ସ୍ଥିତି ରହିଲେ ଭାରତକୁ ତୈଳ ଆମଦାନୀ ଆଫ୍ରିକା ବାଟେ କରିବାକୁ ପଡ଼ିବ । ଯାହା ବ୍ୟୟ ବହୁଳ । ଫଳରେ ଖାଉଟିଙ୍କୁ ଆହୁରି ମହଙ୍ଗାମାଡ଼ର ଶିକାର ହେବା ଆଶଙ୍କା ଉପୁଜିଛି ।

ଦେଢ଼ବର୍ଷ ହେଲାଣି ପେଟ୍ରୋଲ-ଡିଜେଲ ଦର କମିନି । ଭାରତର ଅର୍ଥନୀତିକୁ ଅସ୍ଥିର କରିବାକୁ ଅନ୍ତଃରାଷ୍ଟ୍ରୀୟ ଆତଙ୍କବାଦୀଙ୍କ ଆକ୍ରମଣ । କମିବା ପରିବର୍ତ୍ତେ ଏଣିକି ଖୁଚୁରା ପେଟ୍ରୋଲ ଓ ଡିଜେଲ ଦର ବଢିବା ଆଶଙ୍କା । ଖାଲି ପେଟ୍ରୋଲ-ଡିଜେଲ ନୁହଁ, ବଢିବ ଖାଇବା ତେଲ ପାମ୍, ସୂର୍ଯ୍ୟମୁଖୀ ଓ ସୋରିଷ ତେଲ ସମେତ ଆମଦାନୀ ହେଉଥିବା ବୈଦ୍ୟୁତିକ ସାମଗ୍ରୀ ଦର । ମହଙ୍ଗା ମାଡ଼ରେ ଆହୁରି ଆଉଟୁପାଉଟୁ ହେବେ ଖାଉଟି । କାରଣ ଲୋହିତ ସାଗରରେ ପଣ୍ୟ ଓ ଅଶୋଧିତ ତୈଳ ନେଇ ଭାରତ ଆସୁଥିବା ଜାହଜ ଉପରେ ହାଉଥି ଆତଙ୍କବାଦୀ ଗୋଷ୍ଠୀ ଡ୍ରୋନ୍ ମାଡ଼ କରୁଛନ୍ତି । ଇସ୍ରାଏଲ୍-ହମାସ ଲଢ଼େଇ ପରିଣତି ଏବେ ଭାରତ ଉପରେ ପଡ଼ିବାକୁ ଯାଉଛି । ଗତ ୧୩ ଦିନ ଭିତରେ ଅଶୋଧିତ ତୈଳ ଦର ୭୨ ଡଲାରରୁ ବଢ଼ି ୭୯.୨୭ ଡଲାର ପହଞ୍ଚିଲାଣି । ୩୩ ପ୍ରତିଶତ ଅଶୋଧିତ ତୈଳ ଋଷରୁ ଭାରତ ଆମଦାନୀ କରୁଛି । ବାକି ଆବଶ୍ୟକ ତୈଳ ଲୋହିତ ସାଗର ଦେଇ ଭାରତ ମଧ୍ୟପ୍ରାଚ୍ୟ ଇରାକ୍, ସାଉଦି ଆରବରୁ ଆମଦାନୀ କରିଥାଏ । ଲୋହିତ ସାଗରରେ ଏପରି ଆକ୍ରମଣ ଜାରି ରହିଲେ ଭାରତକୁ ଆଫ୍ରିକା ଦେଇ ଜାହାଜ ଆଣିବାକୁ ପଡ଼ିବ । ଫଳରେ ତୈଳ କମ୍ପାନୀଙ୍କୁ ଅଧିକ ଖର୍ଚ୍ଚ ବହନ କରିବାକୁ ପଡ଼ିବ ।

ଦେଢ଼ବର୍ଷ ହେଲାଣି ପେଟ୍ରୋଲ-ଡିଜେଲ ଦର ମହଙ୍ଗା । ଘାଇଲା ଖାଉଟି । ସ୍ଥିତି ଏମିତି ଚଳିତବର୍ଷ ଶୀତଦିନରେ ବି ବଜାର ଦରରୁ ଲୋକଙ୍କୁ ନିସ୍ତାର ମିଳିନି । ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହେବାକୁ ଯାଉଛି । ପାମ୍ ଖାଇବା ତେଲ ଚାହିଦା ମେଣ୍ଟାଇବା ପାଇଁ ଆନ୍ଧ୍ରପ୍ରଦେଶର ଗୋଦାବରୀ ଅବବାହିକାରେ ଗତ ୩ ବର୍ଷ ଭିତରେ ପାମ୍ ତେଲ ଚାଷ କରାଯାଇ ଉତ୍ପାଦନ ଆରମ୍ଭ ହୋଇଛି । କିନ୍ତୁ ଭାରତକୁ ଏବେ ବି ସୂର୍ଯ୍ୟମୁଖୀ ଓ ସୋରିଷ ତେଲ ପାଇଁ ବିଦେଶରୁ ଆମଦାନୀ କରିବାକୁ ପଡୁଛି । ଜାହାଜ ଆକ୍ରମଣର ପ୍ରଭାବ ଏବେ ହଠାତ୍ ଦରବୃଦ୍ଧି କରିନାହିଁ । ଏବେ ପାମ୍ ତେଲର ପାଇକରୀ ଦର ୮୦ ଟଙ୍କାରୁ ୯୩ ଟଙ୍କା ଭିତରେ ରହିଛି । ଯଦି ଭାରତ ସମେତ ଅନ୍ତଃରାଷ୍ଟ୍ରୀୟ ସଂସ୍ଥା ପାଲେଷ୍ଟାଇନ୍-ହମାସ ଓ ଋଷ ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବାକୁ ଉଦ୍ୟମ ନ କରନ୍ତି ତାହେଲେ ଆଉ ୩ରୁ ୪ ମାସ ଭିତରେ ଜିନିଷପତ୍ର ଦର ହୁହୁ ହୋଇ ବଢିଚାଲିବ ।