ମହଙ୍ଗା ମାଡ଼, ଆଜି ପୁଣି ଲିଟର ପିଛା ୩୫ ପଇସା ବଢ଼ିଲା ପେଟ୍ରୋଲ୍

1 min read
Petrol Costlier By 35 Paisa

ଭୁବନେଶ୍ୱର: ମହଙ୍ଗା ମାଡ଼ରୁ ମୁକ୍ତି ମିଳୁନି । ଦେଶରେ ପ୍ରତିଦିନ ଦରଦାମ ବଢ଼ି ବଢ଼ି ଚାଲିଛି । ଯାହାକି ସାଧାରଣ ଲୋକଙ୍କ ଜୀବନକୁ ଖାଲି ପ୍ରଭାବିତ କରିନି ବରଂ ବଞ୍ଚିବା ମୁସ୍କିଲ୍ କରି ଦେଲାଣି । ଲଗାତାର ତୈଳଦର ବଢ଼ୁଥିବାରୁ ପରିବହନ ଭଡ଼ା ବଢ଼ି ଅନ୍ୟ ସାମଗ୍ରୀର ଦର ବଢ଼ିଛି । ଆଜି ମଧ୍ୟ ପେଟ୍ରୋଲ୍ ଦର ବୃଦ୍ଧି ପାଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୩୫ ପଇସା ମହଙ୍ଗା ହୋଇଛି ପେଟ୍ରୋଲ୍ ।

ଆଜିର ଦରବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ୍ ଦାମ୍ ଲିଟର ପିଛା ୯୯ ଟଙ୍କା ୧୬ ପଇସା ହୋଇଥିବା ବେଳେ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଏବେ ଦିଲ୍ଲୀରେ ଡିଜେଲ୍ ଲିଟର ପିଛା ୮୯ ଟଙ୍କା ୧୮ ପଇସାରେ ବିକ୍ରି ହେଉଛି ।

Petrol Costlier By 35 Paisa

ଆରଟିଆଇରେ ମିଳିଥିବା ସୂଚନା ଅନୁସାରେ, କରୋନା ସଂକଟ ବେଳେ ପେଟ୍ରୋଲିୟମ ସାମଗ୍ରୀରେ କଷ୍ଟମ ଓ ଏକ୍ସସାଇଜ୍ ଡ୍ୟୁଟିରୁ କେନ୍ଦ୍ର ସରକାର ୫୬ ପ୍ରତିଶତ ଅଧିକ ରାଜସ୍ୱ ଆୟ କରିଛନ୍ତି । ସରକାର ଇନଡାଇରେକ୍ଟ ଟିକସରୁ ପ୍ରାୟ ୨.୮୮ ଲକ୍ଷ କୋଟି ଟଙ୍କା ପାଇଛନ୍ତି ।

୨୦୨୦-୨୧ ବର୍ଷରେ ପେଟ୍ରୋଲିୟମ୍ ସାମଗ୍ରୀ ଆମଦାନୀ ଉପରେ ୩୭ ହଜାର ୮୦୬ କୋଟି ଟଙ୍କାର କଷ୍ଟମ ଡ୍ୟୁଟି ଆଦାୟ କରିଛନ୍ତି । ସେହିଭଳି ସେଣ୍ଟ୍ରାଲ୍ ଏକ୍ସସାଇଜ୍ ଡ୍ୟୁଟିରୁ ସରକାର ୪.୧୩ ଲକ୍ଷ କୋଟି ଟଙ୍କା ପାଇଥିବା ବେଳେ ପେଟ୍ରୋଲିୟମ ପଦାର୍ଥ ଉପରେ ଆମଦାନୀ ସୀମା ଶୁଳ୍କ ଭାବେ ୪୬ ହଜାର କୋଟି ଟଙ୍କା ପାଇଛନ୍ତି ।

ମେ ୧ରେ ଦିଲ୍ଲୀରେ ପେଟ୍ରୋଲ୍ ୯୦ ଟଙ୍କା ୪୦ ପଇସା ରହିଥିଲା । ଏବେ ତାହା ବୃଦ୍ଧି ପାଇ ୯୯ ଟଙ୍କା ୧୬ ପଇସାରେ ପହଞ୍ଚିଛି । ଏହିଭଳି ଭାବେ ବିଗତ ୬୦ ଦିନରେ ପେଟ୍ରୋଲ୍ ଲିଟର ପିଛା ୮ ଟଙ୍କା ୭୬ ପଇସା ମହଙ୍ଗା ହୋଇଛି । ସେହିଭଳି ଦିଲ୍ଲୀରେ ଡିଜେଲ ଦର ୨ ମାସ ମଧ୍ୟରେ ୮ ଟଙ୍କା ୪୫ ପଇସା ବଢ଼ି ଲିଟର ପିଛା ୮୯ ଟଙ୍କା ୧୮ ପଇସାରେ ବିକ୍ରି ହେଉଛି ।

Leave a Reply