ତୈଳଦରରେ ଲଗାମ୍ ନାହିଁ, ମାଲକାନଗିରିରେ ପେଟ୍ରୋଲ ଲିଟର ୧୧୨ ଟଙ୍କା

ଭୁବନେଶ୍ୱର: ଆଜି ପୁଣି ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ୍ ଦର । ପେଟ୍ରୋଲ ଲିଟର ପିଛା ୩୬ ପଇସା ଓ ଡିଜେଲ୍ ଲିଟର ପିଛା ୩୮ ପଇସା ବୃଦ୍ଧି ପାଇଛି । ଫଳରେ ଭୁବନେଶ୍ୱରରେ ଆଜି ପେଟ୍ରୋଲ୍ ଲିଟର ପିଛା ୧୦୬ ଟଙ୍କା ୦୬ ପଇସା ଓ ଡିଜେଲ ଲିଟର ପିଛା ୧୦୨ ଟଙ୍କା ୪୦ ପଇସା ରହିଛି । ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୧୧୨ ଟଙ୍କାରେ ବିକ୍ରି ହେଉଛି ।
ସେହିଭଳି କୋରାପୁଟରେ ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୩୦ ପଇସା, ନବରଙ୍ଗପୁରରେ ୧୧୧ ଟଙ୍କା ୧ ପଇସା ରହିଛି । ଗତକାଲି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୫ ଟଙ୍କା ୭୦ ପଇସା ଓ ଡିଜେଲ ଲିଟର ପିଛା ୧୦୨ ଟଙ୍କା ୦୨ ପଇସା ଥିଲା । ଗତ ଏକ ସପ୍ତାହ ଧରି ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି ।
ସୂଚନାଯୋଗ୍ୟ ଯେ, ଗତବର୍ଷ ଅନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳଦର କମିବା ପରେ ମଧ୍ୟ ସରକାର ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ାଇଥିଲେ । ଏହାଦ୍ୱାରା ସରକାରଙ୍କ ରାଜସ୍ୱ ସଂଗ୍ରହ ବୃଦ୍ଧି ପାଇଥିଲା ।