୧୧ ବର୍ଷ ମଧ୍ୟରେ ୨୦୦ ପ୍ରତିଶତ ବଢ଼ିଛି ପେଟ୍ରୋଲ ଦର
ଭୁବନେଶ୍ୱର(ସୁଶାନ୍ତ କୁମାର ସାହୁ): ଦିନ ଗଡ଼ୁଛି, ଦର ବଢ଼ୁଛି । ଦିନ ଥିଲା କେନ୍ଦ୍ରରେ ସରକାରକୁ ଆସିବା ଲାଗି ବିଜେପି ଦେଶବ୍ୟାପୀ ଆନ୍ଦୋଳନ କରୁଥିଲା । ୟୁପିଏ ସରକାର ଉପରେ ଦରବୃଦ୍ଧି ନେଇ ଜୋରଦାର ହମଲା କରୁଥିଲେ ବିଜେପି ନେତା । ସମୟ ସହ ସରକାର ବଦଳିଛି । ୨୦୦୯ରେ ୪୪ ଟଙ୍କା ଥିବା ପେଟ୍ରୋଲ୍ ଲିଟର ପିଛା ବଢ଼ି ବଢ଼ି ଶହେ ଟଙ୍କା ହୋଇଛି । ଅବଶ୍ୟ ୨୦୦୯ରୁ ୨୦୨୧ ମଧ୍ୟରେ ପୂର୍ବାପେକ୍ଷା ଦେଶରେ ଗାଡ଼ିଘୋଡ଼ା ବଢ଼ିଛି । ସେହି ଅନୁପାତରେ ବଢ଼ିଛି ପେଟ୍ରୋଲ ଓ ଡିଜେଲର ବ୍ୟବହାର । ଅଶୋଧିତ ତୈଳଦର ଦରରେ ସେତେଟା ପରିବର୍ତ୍ତନ ହୋଇନଥିବା ବେଳେ ୧୧ ବର୍ଷ ଭିତରେ ପେଟ୍ରୋଲ ଓ ଡିଜେଲର ଦାମ ୨ ଗୁଣା ଅର୍ଥାତ୍ ୨୦୦ ପ୍ରତିଶତ ବଢ଼ିଛି ।
କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ୨୦୦୯ ଜୁଲାଇ ମାସରେ ପେଟ୍ରୋଲର ସର୍ବନିମ୍ନ ଦର ଲିଟର ପିଛା ୪୦ ଟଙ୍କା ୬୨ ପଇସା ଥିବାବେଳେ ସର୍ବାଧିକ ୪୪ ଟଙ୍କା ୭୨ ପଇସା ହୋଇଥିଲା । ସେହିଭଳି ଡିଜେଲର ସର୍ବନିମ୍ନ ଦର ଲିଟର ପିଛା ୩୦ ଟଙ୍କା ୮୬ ପଇସା ଥିବାବେଳେ ସର୍ବାଧିକ ୩୨ ଟଙ୍କା ୯୨ ପଇସା ଛୁଇଁଥିଲା । ସେତେବେଳେ ଭାରତ କିଣୁଥିବା ଅଶୋଧିତ ତୈଳ ବ୍ୟାରେଲ୍ ପିଛା ସର୍ବନିମ୍ନ ୪୩.୨୨ ଡଲାର ଓ ସର୍ବାଧିକ ୭୫.୦୨ ଡଲାର ଥିଲା ।
ସେହିଭଳି ୨୦୧୪ରେ ବିଜେପି କ୍ଷମତାକୁ ଆସିବା ପରେ ଡିସେମ୍ବର ମାସରେ ପେଟ୍ରୋଲର ସର୍ବନିମ୍ନ ଦର ଲିଟର ପିଛା ୬୩ ଟଙ୍କା ୩୩ ପଇସା ଓ ଡିଜେଲ୍ ୫୨ ଟଙ୍କା ୫୧ ପଇସା ରହିଥିଲା । ସେତେବେଳେ ଭାରତ ଆମଦାନୀ କରୁଥିବା ଅଶୋଧିତ ତୈଳ ବ୍ୟାରେଲ୍ ପିଛା ସର୍ବନିମ୍ନ ୬୧.୨୧ ଡଲାର ଥିଲା । କେନ୍ଦ୍ରରେ ବିଜେପି ସରକାରକୁ ଆସିବା ପରେ ଦର ବଢ଼ି ବଢ଼ି ଚାଲିଛି । ଫେବ୍ରୁଆରୀରେ ପେଟ୍ରୋଲ ଶତକ ମାରିଛି ।
୨୦୨୧ ଫେବ୍ରୁଆରୀ ୧୯ରେ ଭାରତ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ୬୩.୬୫ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୪୬୨୯.୪୭ ଟଙ୍କା ଦେଇ କିଣୁଛି । ଆଉ ଦେଶର ରାଜଧାନୀ ଦିଲ୍ଲୀରେ ଆଜିର ଦିନରେ ପେଟ୍ରୋଲର ଲିଟର ପିଛା ଦର ୯୦ ଟଙ୍କା ୧୯ ପଇସା ରହିଥିବା ବେଳେ ଡିଜେଲର ଲିଟର ପିଛା ଦାମ ୮୦ ଟଙ୍କା ୬୦ ପଇସା ରହିଛି । ୨୦୦୯, ୨୦୧୪ ଓ ୨୦୨୧ ମସିହାର ସମସ୍ତ ଡାଟାକୁ ଦେଖିଲେ ଅଶୋଧିତ ତୈଳଦର ପ୍ରାୟତଃ ସମାନ ରହିଥିବା ବେଳେ ୧୧ ବର୍ଷ ଭିତରେ ଦର ଦୁଇଗୁଣାରୁ ଅଧିକ ବଢ଼ିଛି ।
ପେଟ୍ରୋଲ ଓ ଡିଜେଲ୍ ଉପରେ ରାଜ ଭାଟ୍ ନେଉଥିବା ବେଳେ କେନ୍ଦ୍ର ସରକାର ସେଣ୍ଟ୍ରାଲ ଏକ୍ସସାଇଜ୍ ଓ କଷ୍ଟମ୍ ଟାରିଫ୍ ଲାଗୁ କରି ଦର ବଢ଼ାଇଛନ୍ତି । କେନ୍ଦ୍ର ସରକାର ପେଟ୍ରୋଲ୍ ଉପରେ ଲିଟର ପିଛା ୨.୫୦% ବେସିକ୍ କଷ୍ଟମ ଡ୍ୟୁଟି, ସିଭିଡି ୨ ଟଙ୍କା ପଇସା, ଅତିରିକ୍ତ ସୀମା ଶୁଳ୍କ ଲିଟର ପିଛା ୧୮ ଟଙ୍କା, ବେସିକ୍ ଏକ୍ସସାଇଡ୍ ଡ୍ୟୁଟି ଲିଟର ପିଛା ୧ ଟଙ୍କା ୪୦ ପଇସା, ସ୍ପେଶାଲ୍ ଅତିରିକ୍ତ ସୀମା ଶୁଳ୍କ ବାବଦକୁ ଲିଟର ପିଛା ୧୧ ଟଙ୍କା, କୃଷି ଓ ଭିତ୍ତିଭୂମି ସେସ୍ ପାଇଁ ଲିଟର ପିଛା ୨ ଟଙ୍କା ୫୦ ପଇସା, ରୋଡ୍ ଓ ଭିତ୍ତିଭୂମି ସେସ୍ ପାଇଁ ଲିଟର ପିଛା ୧୮ ଟଙ୍କା ନେଉଛି । ଏମିତି ପେଟ୍ରୋଲ ଲିଟର ପିଛା କେନ୍ଦ୍ର ବିଭିନ୍ନ କର ହିସାବରେ ୫୫ ଟଙ୍କାରୁ ଅଧିକ ନେଉଛି ।
ପେଟ୍ରୋଲିୟମ ପଦାର୍ଥର ଦର ବୃଦ୍ଧି ରାଜ୍ୟରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଜିର ଦିନରେ ରାଜ୍ୟର ୩୦ ଜିଲ୍ଲାରେ ପେଟ୍ରୋଲର ଦର ୯୦ ତଳେ ନାହିଁ । ରାଜ୍ୟରେ ପେଟ୍ରୋଲର ସର୍ବାଧିକ ଦର ରହିଛି ମାଲକାନଗିରି ଜିଲ୍ଲାରେ । ମାଲକାନଗିରିରେ ପେଟ୍ରୋଲ୍ ୯୫ ଟଙ୍କା ୫୬ ପଇସା ରହିଛି । ସେହିଭଳି ରାଜ୍ୟରେ ଡିଜେଲର ସର୍ବାଧିକ ଦର ଲିଟର ପିଛା ୯୨ ଟଙ୍କା ୩୪ ପଇସା ରହିଛି ।