ପେଟେଇ ପଡ଼ିଛି ପେଟ୍ଟାନାଳ କାମ, ଅନାବନା ଗଛ ଉଠି ସୃଷ୍ଟି ହେଲାଣି ଜଙ୍ଗଲ

କଟକ : ପେଟେଇ ପଡ଼ିଛି ପେଟ୍ଟାନାଳ କାମ । ଅନାବନା ଗଛ ଉଠି ସୃଷ୍ଟି ହେଲାଣି ଜଙ୍ଗଲ । ଅଧାରେ ରହିଛି ପାର୍ଶ୍ବବର୍ତ୍ତୀ ୱାଲ କାମ । କଟକ ସହରକୁ ସୁନ୍ଦର କରିବା ସହ ସିଡିଏ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ଓ ଗମନାଗମନକୁ ଉନ୍ନତ କରିବା ପାଇଁ ଆରମ୍ଭ ହୋଇଥଇଲା ପେଟ୍ଟାନାଳର ଉନ୍ନତିକରଣ କାମ । ଜବରଦଖଲ ଉଚ୍ଛେଦ କରି ନାଳର ଉଭୟ ପାର୍ଶ୍ବକୁ ସଫା କରା ଯାଇଥିଲା । ୩୨ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିଲା ନାଳର ଦୁଇ ପାର୍ଶ୍ବର ୱାଲ କାମ । ଏହାସହ ନାଳର ଉଭୟ ପାର୍ଶ୍ବରେ ଥିବା ରାସ୍ତାକୁ ପ୍ରଶସ୍ତ କରିବାକୁ କରାଯାଇଥିଲା ଉଦ୍ଯମ । ଦେଢ ଦୁଇ ବର୍ଷ ମଧ୍ଯରେ କାମ ବହୁତ ଆଗେଇ ଯାଇଥିଲା । ତେବେ ସରକାର ପରିବର୍ତ୍ତନ ହେବା ପରେ ପେଟେଇ ପଡ଼ିଛି ପେଟ୍ଟା ନାଳ କାମ । ଦେଢ ବର୍ଷରେ ପୁରା ବନ୍ଦ ହୋଇ ଯାଇଛି ଉନ୍ନତିକରଣ । ଯାହାକୁ ନେଇ ସୃଷ୍ଟି ହୋଇଛି ଅସନ୍ତୋଷ ।
କାମ ବନ୍ଦ ହେବା କାରଣରୁ ପୁଣି ଜଙ୍ଗଲ ଭଳି ଦିଶିଲାଣି ନାଳର ଦୁଇ ପାର୍ଶ୍ବ । ଅନ୍ୟ ପକ୍ଷରେ କଟକ ମେୟର କହିଛନ୍ତି ଆହୁରି ୫୦ କୋଟି ଖର୍ଚ୍ଚ ହୋଇ ଥିଲେ କାମ ସରି ଲୋକଙ୍କ ଦେଖିବା ପରି ହୋଇଥାନ୍ତା । ଆଗକୁ ବିଭାଗୀୟ ମନ୍ତ୍ରୀ ଓ ସରକାରଙ୍କ ସହ ପୁଣି କାମ ଆରମ୍ଭ କରିବା ପାଇଁ ଆଲୋଚନା କରାଯିବ । ନୂଆ ବ୍ଯୟବରାଦ ହେଲେ କାମ ଆଗେଇବ ବୋଲି କହିଛନ୍ତି ମେୟର । ତାଳଦଣ୍ଡା କେନାଲ ପର୍ଯ୍ଯଟକଙ୍କ ଦୃଷ୍ଟି ଆକର୍ଷଣ କରୁଥିବାବେଳେ ପେଟ୍ଟାନାଳକୁ ମଧ୍ଯ ଅନୁରୂପ ଉନ୍ନତି କରଣ କରିବାକୁ ସାଧାରଣରେ ଦାବି ହୋଇଛି ।